ବନ୍ୟଜନ୍ତୁଙ୍କ ଦ୍ୱାରା ମୃତୁ୍ୟବରଣ କଲେ ମିଳିବ ୧୦ ଲକ୍ଷ

ଭୁବନେଶ୍ୱର  : ଓଡିଶାରେ ଏବେ ବନ୍ୟଜନ୍ତୁ ଆକ୍ରମଣର ଶିକାର ହେଲେ ଏଥର ଅନୁକମ୍ପା ମୂଳକ କ୍ଷତିପୂରଣ ଦେୟ ୧୦ଲକ୍ଷ ଟଙ୍କା ମିଳିବ ଏନେଇ ଓଡିଶା ବନ୍ୟପ୍ରାଣୀ ସୁରକ୍ଷା  ୧୯୭୪ର ନିୟମ ୪୫-କକ ଆଇନରେ ପରିବର୍ତ୍ତନ କରାଯାଇ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି  । ରାଜ୍ୟ ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ବନ୍ୟଜନ୍ତୁଙ୍କ ଦ୍ୱାରା କ୍ଷୟକ୍ଷତି କ୍ଷେତ୍ରରେ ଅନୁକମ୍ପାମୁଳକ ଦେୟର ସଂଶୋଧିତ ବିଜ୍ଞପ୍ତି ଜାରି କରିଛନ୍ତି  । ବନ୍ୟଜନ୍ତୁଙ୍କ ଦ୍ୱାରା ମଣିଷ ମୃତୁ୍ୟବରଣ କଲେ ଏଣିକି ଅନୁକମ୍ପାମୁଳକ ସହାୟତା ୧୦ ଲକ୍ଷ ଟଙ୍କା ମିଳିବ  ।
ବନ୍ୟପ୍ରାଣୀ(ସୁରକ୍ଷା)(ଓଡିଶା) ନିୟମ, ୧୯୭୪ ର ନିୟମ ୪୫-ଏଫ ଏଫ ଅନୁଯାୟୀ ବନ୍ୟଜନ୍ତୁଙ୍କ ଦ୍ୱାରା ଘରର ଆଂଶିକ କ୍ଷତି ପାଇଁ ୧୦ ହଜାର ଟଙ୍କା; ରୋଷେଇ ଘର, ଧାନଗୋଦାମ, ଗୋରୁ ଗୁହାଳ, ଛେଳିଆଶ୍ରୟସ୍ଥଳଇତ୍ୟାଦିର କ୍ଷତି ଘଟିଲେ ୩ ହଜାର ଟଙ୍କା ଏବଂ ପକ୍କା ପାଚେରୀ କିମ୍ବା କମ୍ପାଉଣ୍ଡ କାନ୍ଥର କ୍ଷତି ପାଇଁ ପ୍ରତି ରନିଂ ମିଟର ପିଛା ୫ ହଜାର ଟଙ୍କା ଅନୁକମ୍ପା ମୁଳକ ସହାୟତା ଦେୟ ଯାହାକି ସର୍ବାଧିକ ୨୫ହଜାର ଟଙ୍କା ପର୍ଯ୍ୟନ୍ତ ସୀମିତ ରହିବ  । ଘରର ସମ୍ପୂର୍ଣ୍ଣ କ୍ଷତି ହେଲେ "ଅନ୍ତୋଦୟ ଗୃହଯୋଜନା"ରେ ଗୋଟିଏ ଘର କିମ୍ବା ସମତୁଲ୍ୟ ଆର୍ଥିକ କ୍ଷତିପୂରଣ ମିଳିବ  । ଅନ୍ୟାନ୍ୟ ପ୍ରକାରର ନଷ୍ଟ ବା କ୍ଷୟକ୍ଷତି ପାଇଁ ଅନୁକମ୍ପାମୂଳକ ସହାୟତା ଦେୟ ଅପରିବର୍ତ୍ତିତ ରହିବ ବୋଲି ବିଭାଗୀୟ ସୂତ୍ରରୁ ପ୍ରକାଶ  ।