ବଦଳିଲା ପଞ୍ଚମ ଓ ଅଷ୍ଟମ ପରୀକ୍ଷା ଢାଞ୍ଚା  : ଅଲ୍ ପାସ୍ ନୁହେଁ, ଏଣିକି ପାସ୍ ଫେଲ୍ 

ଭୁବନେଶ୍ୱର: ପଞ୍ଚମ ଓ ଅଷ୍ଟମ ପିଲାଙ୍କର ବାର୍ଷିକ ପରୀକ୍ଷା ଢାଞ୍ଚା ବଦଳିଛି  । ପଞ୍ଚମ ଓ ଅଷ୍ଟମ ଶ୍ରେଣୀ ବାର୍ଷିକ ପରୀକ୍ଷାରେ ଫେଲ୍ ହେଲେ ସେଇ ଶ୍ରେଣୀରେ ପୁଣି ପାଠ ପଢ଼ିବାକୁ ପଡ଼ିବ  । ପିଲାମାନଙ୍କୁ ଦୁଇଟି ସୁଯୋଗ ମିଳିବ  । ପ୍ରଥମ ପରୀକ୍ଷାରେ ପିଲାଟିଏ କୃତକାର୍ଯ୍ୟ ହୋଇନପାରିଲେ ଦୁଇମାସ ମଧ୍ୟରେ ପୁନଃ ପରୀକ୍ଷା ଦେବାକୁ ପଡ଼ିବ  । ଏହାପରେ ବି ଯଦି ସେମାନେ ଉତ୍ତୀର୍ଣ୍ଣ ହୋଇ ନ ପାରୁଛନ୍ତି, ତେବେ ସେମାନଙ୍କୁ ସମାନ ଶ୍ରେଣୀରେ ବସିବାକୁ ପଡ଼ିବ ବୋଲି ରାଜ୍ୟ ସରକାରଙ୍କ ନୂଆ ଗାଇଡ଼ଲାଇନ୍ରେ ଉଲ୍ଲେଖ ରହିଛି  ।
ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛିଯେ, ଓଡ଼ିଶା ସରକାରଙ୍କ ମାଗଣା ଓ ବାଧ୍ୟତାମୂଳକ ଶିକ୍ଷା ଅଧିକାର ଅଧିନିୟମ, ୨୦୧୦ରେ ସଂଶୋଧନ କରାଯାଇ ମାଗଣା ଓ ବାଧ୍ୟତାମୂଳକ ଶିକ୍ଷା ଅଧିକାର (ସଂଶୋଧନ) ଅଧିନିୟମ, ୨୦୨୫ ମାଧ୍ୟମରେ ଏହି ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରାଯାଇଛି  । ଏହି ନୂଆ ନିୟମ ଅନୁସାରେ ଆହୁରି ଉଲ୍ଲେଖ କରାଯାଇଛି ଯେ, ପ୍ରାଥମିକ ଶିକ୍ଷା ସମାପ୍ତ ନ ହେବା ପର୍ଯ୍ୟନ୍ତ କୌଣସି ପିଲାଙ୍କୁ ବିଦ୍ୟାଳୟରୁ ବହିଷ୍କାର କରାଯାଇପାରିବ ନାହିଁ  । ସ୍କୁଲ୍ ଶିକ୍ଷାରେ ଗୁଣବତ୍ତା ବୃଦ୍ଧି ଏବଂ ମୌଳିକ ଶିକ୍ଷାସ୍ତରକୁ ବୃଦ୍ଧି ନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି । ପୁରାତନ ନିୟମରେ ପିଲାଏ ଅଷ୍ଟମ ହେଉ ଅବା ପଞ୍ଚମ ଶ୍ରେଣୀ ପରୀକ୍ଷାରେ କମ୍ ମାର୍କ ରଖୁଥିଲେ ବି ପିଲାଙ୍କ ମାନସିକ ଚାପ ଦୃଷ୍ଟିରୁ ସେମାନଙ୍କୁ ଉପର ଶ୍ରେଣୀକୁ ଉନ୍ନୀତ କରାଯାଉଥିଲା । କିନ୍ତୁ ନୂଆ ନିୟମ ସମ୍ପୂର୍ଣ୍ଣ ଭିନ୍ନ । ପଞ୍ଚମ ଏବଂ ଅଷ୍ଟମ ଶ୍ରେଣୀର ଛାତ୍ରଛାତ୍ରୀ ଏବେ ବାର୍ଷିକ ପରୀକ୍ଷା ଦେବା ସହ ଯଦି କୌଣସି ପିଲା ଏହି ପରୀକ୍ଷାରେ ବିଫଳ ହୁଅନ୍ତି, ତେବେ ଫଳାଫଳ ଘୋଷଣାର ଦୁଇ ମାସ ମଧ୍ୟରେ ପୁନଃପରୀକ୍ଷା ପାଇଁ ସୁଯୋଗ ପ୍ରଦାନ କରାଯିବ । ପୁନଃପରୀକ୍ଷାରେ ଆବଶ୍ୟକୀୟ ପଦୋନ୍ନତି ମାନଦଣ୍ଡ ପୂରଣ କରିପାରୁ ନ ଥିବା ଛାତ୍ରଛାତ୍ରୀ ପୁଣିଥରେ ସମାନ ଶ୍ରେଣୀରେ ଅଧ୍ୟନ କରିବେ । ଏହି ସଂଶୋଧନ ଶିଶୁଙ୍କ ମାଗଣା ଓ ବାଧ୍ୟତାମୂଳକ ଶିକ୍ଷା ଅଧିକାର ଆଇନ, ୨୦୦୯ର ଧାରା ୩୮ ସହିତ ସମନ୍ୱିତ । ଏହା ଓଡ଼ିଶା ଗେଜେଟରେ ପ୍ରକାଶିତ ହେବା ପରେ କାର୍ଯ୍ୟକାରୀ ହେବ । ଏହି ପରିବର୍ତ୍ତନ ଶିକ୍ଷାଗତମାନ ବୃଦ୍ଧି କରିବା ସହ କୌଣସି ଶିଶୁ ଯେପରି ଶିକ୍ଷା ଅଧିକାରରୁ ବଞ୍ଚିତ ନ ହେବ ସେ ନେଇ ରାଜ୍ୟ ସରକାରଙ୍କ ପ୍ରତିବଦ୍ଧତାକୁ ପ୍ରତିଫଳିତ କରିବ ।