ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥା ଢିଲା : ମେଘନାଦ ପାଚେରି ଡେଇଁଲେ ୪ ଯୁବକ 


ପୁରୀରୁ ବିଶ୍ୱଜିତ୍ ମିଶ୍ର :  ରାଜ୍ୟର ସବୁଠାରୁ ବଡ଼ ଥାନା ଶ୍ରୀମନ୍ଦିର ଥାନା  । ମନ୍ଦିର ଭିତରେ ଓ ବାହାରେ ଜଗି ରହିଛନ୍ତି ପୋଲିସ କର୍ମଚାରୀ । ତଥାପି ବାରମ୍ବାର ଶ୍ରୀମନ୍ଦିରରେ ସୁରକ୍ଷା ବ୍ୟବସ୍ଥା ଢିଲା ଯୋଗୁଁ ଅଭାବନୀୟ ଘଟଣାମାନ ଘଟୁଛି । ପତିତପାବନ ଯାତ୍ରାର ଅନ୍ତିମ ଦିବସରେ ମେଘନାଦ ପାଚେରୀ ଡ଼େଇଁ ଅନଧିକାର ଭାବେ ଶ୍ରୀମନ୍ଦିରରେ ପ୍ରବେଶ କରିଛନ୍ତି ଚାରିଜଣ ଯୁବକ । ଶ୍ରୀମନ୍ଦିର ଦକ୍ଷିଣ ଦ୍ୱାର ନିକଟରେ ଜମା ହୋଇରହିଥିବା ଅଳିଆ ଗଦା ଉପରେ ଚଢି ୪ ଯୁବକ ମନ୍ଦିର ଭିତରକୁ ଯାଇଥିଲେ  । ଯାହା ଏବେ ଆଲୋଡ଼ନ ସୃଷ୍ଟିକରିଛି  । ଅପରପକ୍ଷରେ ଘଟଣାର ଉତ୍ତରଦାୟିତ୍ୱ ନେଇ ଜିଲ୍ଲାପାଳ ଚଞ୍ଚଳ ରାଣା ନିଜକୁ ଦାୟୀ କରିଛନ୍ତି  । ସେ କହିଛନ୍ତିଯେ, ଶ୍ରୀମନ୍ଦିର ସୁରକ୍ଷା ସହ କୌଣସି ସାଲିସ୍ କରାଯିବ ନାହିଁ  । ସିସିଟିଭି କ୍ୟାମେରା ଯାଞ୍ଚ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ  । ମେଘନାଦ ପାଚେରୀ ଡ଼େଇଁ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିଥିବା ବ୍ୟକ୍ତିଙ୍କ ବିରୋଧରେ ଏତଲା ଦିଆଯିବ  । ଏହା ଲୋକଙ୍କ ବିଶ୍ୱାସକୁ ଆଘାତ ଓ ନିନ୍ଦନୀୟ କାର୍ଯ୍ୟ ବୋଲି ଜିଲ୍ଳାପାଳ ପ୍ରକାଶ କରିଛନ୍ତି  । ସେହିପରି ଏସ୍ପି ପିନାକ ମିଶ୍ର କହିଛନ୍ତିଯେ, ଶ୍ରୀମନ୍ଦିର ସୁରକ୍ଷାରେ କୌଣସି ତ୍ରୁଟି ବିଚୁ୍ୟତି ହେବାର ଧୃଷ୍ଟତା କେହି କରିବେ ନାହିଁ । ଯାହା ସବୁ ତ୍ରୁଟି ବା ସମନ୍ୱୟର ଅଭାବ ହୋଇଥିବ ତାହା ଆଲୋଚନା ମାଧ୍ୟମରେ ଆଗାମୀ ଦିନରେ ସମାଧାନ କରାଯିବ । ପୋଲିସ ସଫେଇ କର୍ମଚାରୀଙ୍କ ଉପରେ ଦୋଷ ଲଦୁଥିବା ବେଳେ ସଫେଇ କର୍ମଚାରୀମାନେ ପୋଲିସକୁ ପାଲଟା ଦାୟୀ କରିଛନ୍ତି । ତେବେ ଖବର ପ୍ରସାରଣ ପରେ ସଫେଇ ଦାୟିତ୍ୱରେ ଥିବା ସଂସ୍ଥା ଆଇଏସ୍ଆଇପିଏଲ୍ ମେଘନାଦ ପାଚେରୀକୁ ଲାଗି ଗଦା ହୋଇଥିବା ଅଳିଆ ଆବର୍ଜନାକୁ ସଫା କରିଛି  । ସେହିପରି ଏହାର ତଦନ୍ତ ପାଇଁ ଏକ ୪ଜଣିଆ କମିଟି ଗଠନ କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଦେବବ୍ରତ ସାହୁ, ସୁରକ୍ଷା ପ୍ରଶାସକ ହେମନ୍ତ ପାଢୀ, ସଫେଇ ସୁପରଭାଇଜର ଓ ପୂର୍ତ୍ତ ବିଭାଗ ଅଧିକାରୀଙ୍କୁ ଏହି କମିଟିରେ ନିଆଯାଇଛି  । ସୁରକ୍ଷା କର୍ମଚାରୀଙ୍କ ଅବହେଳାକୁ ଶ୍ରୀମନ୍ଦିର ସେବାୟତମାନେ ଦାୟୀ କରିଛନ୍ତି  । ମେଘନାଦ ପାଚେରୀର ଜାଲି ଦ୍ୱାରରେ ତାଲା ପକାଯାଇଛି । ଶ୍ରୀମନ୍ଦିର କାର୍ଯ୍ୟନର୍ବାହୀ ଅଧିକାରୀ ଘଟଣା ସ୍ଥଳର ଅନୁଧ୍ୟାନ କରିବା ସହ ଗେଟ୍କୁ ବନ୍ଦ କରିଛନ୍ତି ।