ବଦଳୁନି ସାତଭାୟାବାସୀଙ୍କ ଭାଗ୍ୟ

 ରାଜନଗର : ରାଜନଗର ବ୍ଲକର ସାତଭାୟା ଥଇଥାନସ୍ଥଳୀ ବଗପାଟିଆର ଅବସ୍ଥା ବେହାଲ ହୋଇପଡିଛି । ବଙ୍ଗୋପସାଗର ଗ୍ରାସରୁ ରକ୍ଷା କରିବା ପାଇଁ ସରକାର ସାତଭାୟାବାସୀଙ୍କୁ ବଗପାଟିଆଠାରେ ଥଇଥାନ କରିଦେଲେ । ପ୍ରତି ପରିବାରଙ୍କୁ ଘରଡିହ ପାଇଁ ୧୦ଡିସିମିଲ ଲେଖାଏଁ ଜାଗା ଯୋଗାଇ ଦେବା ସହ ବିଜୁ ପକ୍କାଘର ଦେଇଥିଲେ । ରାସ୍ତା, ବିଜୁଳି, ପାନୀୟ ଜଳ ଯୋଗାଣ ଯୋଗାଇ ଦେବାର ବ୍ୟବସ୍ଥା କରାଯାଇଛି । ଏଥିପାଇଁ ସରକାର ବିଭିନ୍ନସ୍ତରରୁ ପାଣ୍ଠି ଯୋଗାଇ ଦେଲେ । ସମୁଦ୍ରର କରାଳ ଗ୍ରାସରୁ ଲୋକମାନଙ୍କୁ ସୁରକ୍ଷା ଦେବା ପାଇଁ ଦୁଇଟି ପର୍ଯ୍ୟାୟରେ ୫୭୧ ଓ ୧୪୮କୁ ମିଶାଇ ୭୧୯ପରିବାରଙ୍କୁ ଥଇଥାନ କରାଇଲେ । ପୂର୍ବରୁ ଏହି ଥଇଥାନସ୍ଥଳୀଟି ଚିଙ୍ଗୁଡିଘେରୀ ଥିଲା ।
 ଅସରାଏ ବର୍ଷା ହେଲେ ଏହି ସ୍ଥାନରେ ବର୍ଷାଜଳ ଜମି ରହୁଥିଲା । ସରକାରଙ୍କ ପକ୍ଷରୁ କୋଟି କୋଟି ଟଙ୍କା ବ୍ୟୟରେ ମାଟି ଫିଲିଂ ଆରମ୍ଭ କରାଯାଇ କିଛିଦିନ ପରେ ବନ୍ଦ କରିଦିଆଗଲା । ମାଟି ଫିଲିଂକାମ ଅଧାପନ୍ତରିଆ ଭାବେ ରହିଗଲା । ମାଟି ପୂରଣ ସମୟରେ ତିଆରି ହୋଇଥିବା ରାସ୍ତାଗୁଡିକ ବିପର୍ଯ୍ୟସ୍ତ ହୋଇପଡିଲା । ପରବର୍ତୀ ସମୟରେ ସେଗୁଡିକୁ ମରାମତି କରାଗଲା ନାହିଁ । ଯାହାଫଳରେ ଅସରାଏ ବର୍ଷାରେ ରାସ୍ତାରେ ବର୍ଷାଜଳ ଜମି ରହିବା ସହ ଘରୁ ବାହାରିବା କଷ୍ଟକର ହେଉଛି । ଏହି ଥଇଥାନସ୍ଥଳୀର ୪,୫, ୬, ୭, ୮,୧୧, ୧୩ ଓ୧୪ ନଂ ରାସ୍ତା ପାଣିରେ ବୁଡି ରହିଥିବା ବେଳେ, ୯,୧୦, ୧୫,୧୬ ଓ ୧୭ ପ୍ରଭୃତି  ନମ୍ବର ରାସ୍ତାରେ ଅତ୍ୟଧିକ କାଦୁଅ ଯୋଗୁଁ ସ୍ଥାନୀୟ ଲୋକେ ଯିବା ଆସିବା କରିପାରୁ ନାହାନ୍ତି । ବ୍ଲକ ପ୍ରଶାସନ ପକ୍ଷରୁ ଜଳନିଷ୍କାସନ ପାଇଁ କେତେକ ରାସ୍ତାରେ ପାଇପ ବସାଯାଇଥିଲେ ମଧ୍ୟ ଅଧିକାଂଶ ରାସ୍ତାରେ ପାଇପ ବସାଯାଇନାହିଁ । ଫଳରେ ଜଳ ନିଷ୍କାସନ ହୋଇନପାରି ବର୍ଷାଜଳ ଜମି ରହୁଛି । ଘରୁ ବାହାରିବା କଷ୍ଟକର ହେଉଛି । ସବୁଠାରୁ ବଡକଥା ହେଲା, ଡ୍ରେନେଜ ଡିଭିଜନ ପକ୍ଷରୁ ଥଇଥାନସ୍ଥଳୀରୁ ଉଦ୍ବୃତ ବର୍ଷାଜଳ ନିଷ୍କାସନ ପାଇଁ ଡ୍ରେନ ନିର୍ମାଣ ସରିଛି । ମାତ୍ର ଥଇଥାନସ୍ଥଳୀ ମଧ୍ୟରୁ ଏହି ମୁଖ୍ୟ ଡ୍ରେନକୁ ବର୍ଷାଜଳ ଆସିବା ପାଇଁ କୈ÷ାଣସି ଡ୍ରେନ ନିର୍ମାଣ କରାଗଲା ନାହିଁ । ରାସ୍ତା ନିର୍ମାଣ ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗକୁ ଦାୟିତ୍ୱ ଦିଆଯାଇଥିଲେ ମଧ୍ୟ ବିଭାଗୀୟ ଯନ୍ତ୍ରୀଙ୍କ ଅବହେଳା ଯୋଗୁଁ କାମ ହୋଇନଥିବା ସ୍ଥାନୀୟ ସରଂପଚ ପ୍ରସନ୍ନକୁମାର ପରିଡା ଅଭିଯୋଗ କରିଛନ୍ତି ।