ବର୍ଷାରେ ଭୁଶୁଡିଲା କୁଡିଆ

 ତିର୍ତ୍ତୋଲ: ବର୍ଷାରେ ଭୁଶୁଡି ପଡ଼ିଛି ଅସହାୟା ଗୀତାଙ୍କ ଛୋଟ କୁଡ଼ିଆ । କଥାରେ ଅଛି ବିପଦ ଯଦି ଆସେ ତାର ଭାଇ ବନ୍ଧୁଙ୍କୁ ସାଙ୍ଗରେ ନେଇ ଆସେ । ମାତ୍ର ୬ ମାସ ପୁର୍ବରୁ ଦିନମଜୁରିଆ ସ୍ୱାମୀ ଅଳୀ ଦାସଙ୍କୁ ହରାଇ ଅସହାୟା ଗୀତା ଦାସ ପୋଲିଓ ରୋଗରେ ଆକ୍ରାନ୍ତ ହୋଇଥିବା ୧୦/୧୨ ବର୍ଷର ଭିନ୍ନକ୍ଷମ ପୁଅ ସମ୍ବିତ ସହିତ ଯେଉଁ ଝୁମ୍ପୁଡ଼ି କୁଡିଆ ଘରେ ମୁଣ୍ଡଗୁଞ୍ଜିଥିଲେ, ଗତ ରବିବାର ଦିନ ବିଳମ୍ବିତ ରାତିରେ ସେହି ବସଗୃହଟି ବର୍ଷା ରେ ଭୁଷୁଡି ପଡିବାରୁ, ଅଳ୍ପକେ ବର୍ତ୍ତି ଯାଇଥିଲେ ମାଆ ଓ ପୁଅ ଦୁଇ ଜଣ । ଏମିତି ଏକ ଅଭାବନୀୟ ଦୁଃଖଦ ଘଟଣା ଦେଖିବାକୁ ମିଳିଛି, ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ, ମୁଳିସିଂହ ପଞ୍ଚାୟତ ଅଧିନ ସହରହାଟ ନିକଟସ୍ଥ ହରସିଂହ ପୁର ଗ୍ରାମରେ । ସରକାରଙ୍କର ବିଭିନ୍ନ ଜନହିତକର ଯୋଜନା ଅସହାୟକ୍ଷ ଗୀତା ଦାସ ଙ୍କ ପାଇଁ ସାତସପନ ହୋଇ ଯାଇଛି । ପୋଲିଓ ଆକ୍ରାନ୍ତ ହୋଇଥିବା ପୁଅ ସମ୍ବିତ ର ଗୋଟିଏ ଗୋଡ ସମ୍ପୂର୍ଣ ଅଚଳ ହୋଇଥିବା ବେଳେ ଡ଼ାକ୍ତରଙ୍କ ରିପୋର୍ଟରେ ସମ୍ପୂର୍ଣ୍ଣ ଭିନ୍ନକ୍ଷମ ହୋଇ ପାରିନଥିବାରୁ ସେ ମଧ୍ୟ ଆବଶ୍ୟକୀୟ ସରକାରୀ ଭତ୍ତାରୁ ବଞ୍ଚିତ ହୋଇଛି । ତେବେ ଗୀତା ଦାସଙ୍କ ସ୍ୱାମୀ ଅଳିଆଙ୍କ ମୃତୁ୍ୟ ପରେ ମୁଳିସିଂହ ସରପଞ୍ଚ ସାଫି ଆଜାମ ଏହି ବିପନ୍ନ ପରିବାର ନିକଟରେ ପହଞ୍ଚି ଏକ ବିଧବା ଭତ୍ତା ସହିତ ସରକାରୀ ଆବାସ ଯୋଜନାରେ ଗୋଟିଏ ପକ୍କାଘର ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ  । ମାତ୍ର ଆବଶ୍ୟକୀୟ ଡକୋମେଣ୍ଟ ପଞ୍ଚାୟତ ଅଫିସରେ ଦେଇପାରିନଥିବାରୁ   ଘର ପାଇଁ କାର୍ଯ୍ୟାଦେଶ ଦିଆଯାଇ ପାରିନାହିଁ ବୋଲି ସରପଞ୍ଚ କହିଛନ୍ତି ।