ବନାଗ୍ନି ନିବାରଣ ସଚେତନତା ଶିବିର

 ଚମ୍ପୁଆ: ରାଜ୍ୟ ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ନିଦେ୍ର୍ଦଶ କ୍ରମେ କେନ୍ଦୁଝର ବନଖଣ୍ଡ ଅଧୀନସ୍ଥ ଚମ୍ପୁଆ ବନାଞ୍ଚଳ ପକ୍ଷରୁ ଏକ ବନାଗ୍ନି ପ୍ରତିକାର ଓ ବନ୍ୟ ସମ୍ପଦର ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏସିଏଫ୍ ଅକ୍ଷୟ ଛତ୍ରିଆଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ସ୍ଥାନୀୟ ଉପଜିଲ୍ଲାପାଳ ଉମାକାନ୍ତ ପରିଡ଼ା ଯୋଗ ଦେଇଥିଲେ । ସମ୍ମାନୀତଅତିଥି ଭାବେ ନିକୋଲସନ ବନ ବିଦ୍ୟାଳୟର ଅଧ୍ୟକ୍ଷ, ଡିସିଏଫ ରାମଚନ୍ଦ୍ର ମୁର୍ମୁ, ସାଂସଦ ପ୍ରତିନିଧି ସିଦ୍ଧାର୍ଥ ସିଂ, ଚମ୍ପୁଆ ତହସିଲର ରାଜସ୍ୱ ସୁପରଭାଇଜର ଶୁଭକାନ୍ତ କର, ଜରିଆ ସରପଞ୍ଚ ସନ୍ତୋଷ ନାଏକ ଏବଂ ମାଷ୍ଟର ଟ୍ରେନର ସୁବ୍ରତ ବିଶ୍ୱାଳ ପ୍ରମୁଖ ମଞ୍ଚାସୀନ ଥିଲେ । ‘ରହିଲେ ବନ ବଞ୍ଚିବ ଜନ'କୁ ଜୀବନର ବ୍ରତ ଭାବେ ଗ୍ରହଣ ନକଲେ ଏ ସୃଷ୍ଟିର ବିନାଶ ଅବଶ୍ୟମ୍ଭାବୀ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ଜଙ୍ଗଲ ରକ୍ଷା ନହେଲେ ଅନେକ ଔଷଧୀୟ ବୃକ୍ଷରାଜି, ପ୍ରାଣୀ ଜଗତ, ଉଦ୍ଭିଦ ଜଗତ ଆଜି ବିଲୀନ ହେଲାଣି । ଫଳରେ ଜଳବାୟୁ ସନ୍ତୁଳନ ବିଗିଡିବା ସହ ଅଦିନିଆ ବର୍ଷା, ଖରା, ବାତ୍ୟା, ସୁନାମି, ଭୂମିକମ୍ପ ଭଳି ପ୍ରାକୃତିକ ଆପାଦସମାଜ ଉପରେ ଦାଉ ସାଧୁଛି । ତେଣୁ ଜଙ୍ଗଲ ନିଆଁ ନିୟନ୍ତ୍ରଣ ସହ ଜୀବଜନ୍ତୁଙ୍କୁ ସୁରକ୍ଷା ପ୍ରଦାନ ଆଜିକାଲିର ଆହ୍ୱାନ ରୂପେ ମୁଣ୍ଡ ଟେକିଛି । ଏହି କାର୍ଯ୍ୟକ୍ରମରେ ବ୍ଲକର ସମସ୍ତ ପଞ୍ଚାୟତ ସରପଞ୍ଚ, ସମିତି ସଭ୍ୟ, ବନ ସୁରକ୍ଷା ସମିତିର ସଦସ୍ୟ, ସ୍ୱଂୟ ସହାୟକ ଗୋଷ୍ଠୀ ମହିଳା, ଗଜସାଥୀ ସ୍କ୍ୱାର୍ଡ ପ୍ରମୁଖ ଉପସ୍ଥିତ ଥିଲେ । ଚମ୍ପୁଆ ରେଞ୍ଜର ୬ ସେକ୍ସନର ଫରେଷ୍ଟର, ଫରେଷ୍ଟ ଗାର୍ଡ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ଏସିଏଫ ତଥା ରେଞ୍ଜର ଅକ୍ଷୟ କୁମାର ଛତ୍ରିଆ ଧନ୍ୟବାଦ ଅର୍ପଣ କରିଥିଲେ ।