ଅବହେଳିତ ବୈଶିଙ୍ଗା ସ୍ୱାସ୍ଥ୍ୟକେନ୍ଦ୍ର

 ବୈଶିଙ୍ଗା : ଶହେବର୍ଷ ତଳେ ତତ୍କାଳୀନ ମୟୂରଭଞ୍ଜ ମହାରାଜାଙ୍କ ଦ୍ୱାରା କଦଳିଆ ପ୍ରଗଣା ଅଧିନ ୫୦ଖଣ୍ଡ ରାଜସ୍ୱ ଗ୍ରାମର ଜନସାଧାରଣଙ୍କ ପାଇଁ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାକୁ ଏହାର କେନ୍ଦ୍ରସ୍ଥଳ ଭାବେ ବୈଶିଙ୍ଗା ଠାରେ ଏକ ଆଞ୍ଚଳିକ ଡାକ୍ତରଖାନା ସ୍ଥାପନା କରିଥିଲେ । ଶହେ ବର୍ଷ ପରେ ମଧ୍ୟ ଆଜି ବି ସେହି ଆଞ୍ଚଳିକ ଡାକ୍ତରଖାନା ଭାବେ ପରିଗଣିତ ହେଉଛି । ଆବଶ୍ୟକୀୟ ଅଭିଜ୍ଞ ଡାକ୍ତର, ନର୍ସ, ଫାର୍ମାସିିଷ୍ଟ, ଡ୍ରେସର, ସ୍ୱିପର ନଥିବା ଆସୁଥିବା ରୋଗୀମାନେ ପ୍ରକାଶ କରିଛନ୍ତି । ଦୈନଦିନ ୨୫୦ରୁ ୩୦୦ ରୋଗୀ ଆସୁଥିବାବେଳେ ଖରା ବର୍ଷାରେ ଘଣ୍ଟା ଘଣ୍ଟା ଧରି ସେମାନଙ୍କୁ ବାହାରେ ଠିଆ ହୋଇ ରହିବାକୁ ପଡ଼ୁଛି । ଡାକ୍ତରଙ୍କର ସିଫ୍ଟ ଟାଇମ୍ ନ ହେଲେ ଡୁ୍ୟଟିରେ ଆସନ୍ତି ନାହିଁ । ଆଉଟଡୋରରେ ସିକୁ୍ୟରିଟି ରୋଗୀଙ୍କ ନାମ ସିରିୟାଲ କରୁଥିବାର ରୋଗୀମାନେ ପ୍ରକାଶ କରିଛନ୍ତି । ସେହିଭଳି ମେଡିସିନ ଦେବା ପାଇଁ ଦୁଇ ଜଣ ଫାର୍ମାସିଷ୍ଟ କାର୍ଯ୍ୟ ଚଳାଇଥିବା ବେଳେ ୪/୫ ଦିନ ତଳେ ଜଣେ ଫାର୍ମାସିଷ୍ଟ ପ୍ରାଶାନ୍ତ କୁମାର ଜେନାଙ୍କୁ ଅନ୍ୟତ୍ର ବଦଳି କରି ଦିଆଯାଇଥିବା ଜଣାଯାଇଛି । ଫଳରେ ଜଣେ ଫାର୍ମାସିଷ୍ଟ ମନୋରଞ୍ଜନ ମିଶ୍ରଙ୍କୁ ଏକୁଟିଆ ମେଡିସିନ ଡିଷ୍ଟ୍ରିବୁ୍ୟଟ କରିବା ପାଇଁ ହଇରାଣ ହେବାକୁ ପଡୁଛି । ଏଥିସହିତ କୁକୁର କାମୁଡା ରୋଗୀ ମଧ୍ୟ ଅଧିକ ସଂଖ୍ୟାରେ ଆସୁଥିବା କାରଣରୁ ଜଣେ ଫାର୍ମାସିଷ୍ଟ କୁ ନାକେଦମ ହେବାକୁ ପଡ଼ୁଛି । ସେହିଭଳି ଅଭିଜ୍ଞ ଡାକ୍ତର ବିନା ରୋଗୀମାନଙ୍କୁ ବାହାରକୁ ବଡ ଡାକ୍ତରଖାନା ଯିବାକୁ ପଡୁଛି । ନୂଆ ସରକାରଙ୍କର ସ୍ୱାସ୍ଥ୍ୟମନ୍ତ୍ରୀ ଡାଃ ମୁକେଶ ମହାଲିଙ୍ଗଙ୍କ ବୈଶିଙ୍ଗା ଡାକ୍ତରଖାନା ଗସ୍ତ ସମୟରେ ସମସ୍ତ ବିଷୟ ଅବରତ କରାଯାଇଥିଲେ ମଧ୍ୟ ଅଦ୍ୟାବଧି କିଛି ପଦକ୍ଷେପ ନିଆ ଯାଇନଥିବା ଜଣାଯାଇଛି । ଯାହାକୁ ନେଇ ସାଧାରଣରେ ଅସନ୍ତୋଷ ଦେଖାଦେଉଛି । ତେବେ ସ୍ୱାସ୍ଥ୍ୟସେବା ପ୍ରତି ପ୍ରଶାସନ ଅଧିକ ଧ୍ୟାନ ଦେବାକୁ ସାଧାରଣରେ ଦାବି ହେଉଛି ।