ବନ୍ଦ ସଫଳ ପାଇଁ କୃତଜ୍ଞତା ଜଣାଇଲେ ବିରୋଧୀ ଦଳ : ରାଜ୍ୟବାସୀଙ୍କ ସହଯୋଗକୁ ଧନ୍ୟବାଦ

 ଭୁବନେଶ୍ୱର: ଓଡ଼ିଶା ବନ୍ଦକୁ ସଫଳ କରିଥିବାରୁ ରାଜ୍ୟର ଜନସାଧାରଣଙ୍କୁ କଂଗ୍ରେସ ସହିତ ୮ ବିରୋଧୀ ରାଜନୈତିକ ଦଳ ରାଜ୍ୟବାସୀଙ୍କୁ କୃତଜ୍ଞତା ଜଣାଇଛନ୍ତି । ମିଳିତ ବିରୋଧୀ ଦଳ ପକ୍ଷରୁ କୁହାଯାଇଛି ଯେ ଏହି ବନ୍ଦକୁ ସମ୍ପୂର୍ଣ୍ଣ ଶାନ୍ତିପୂର୍ଣ୍ଣ ଭାବେ ପାଳନ କରିଥିବା ଯୋଗୁଁ ରାଜ୍ୟବାସୀ, ବାମପନ୍ଥୀ ଓ ଗଣତାନ୍ତ୍ରିକ ଦଳ, ଟ୍ରେଡ୍ ୟୁନିୟନ, କୃଷକ ସଂଗଠନ, ମହିଳା, ଯୁବକ, ଛାତ୍ର, ଓକିଲ, ବ୍ୟବସାୟୀ ସଙ୍ଘ ଏବଂ ସମାଜର ସମସ୍ତ ବର୍ଗଙ୍କୁ ଧନ୍ୟବାଦ । ରାଜ୍ୟବାସୀଙ୍କ ସମ୍ପୂର୍ଣ୍ଣ ସହଯୋଗ ଯୋଗୁଁ ଏହି ବନ୍ଦ ସଫଳ ହୋଇଥିଲା । ଏହି ବନ୍ଦ ଜନଗଣଙ୍କ ବନ୍ଦରେ ପରିଣତ ହୋଇଛି ବୋଲି ମିଳିତ ବିରୋଧୀ ଦଳ କହିଛନ୍ତି । ଫକୀର ମୋହନ ମହବିଦ୍ୟାଳୟର ଛାତ୍ରୀଙ୍କୁ ହୋଇଥିବା ବ୍ୟବସ୍ଥାକୃତ ହତ୍ୟାର ନ୍ୟାୟିକ ତଦନ୍ତ ଦାବି ସହିତ ଡବଲ ଇଞ୍ଜିନ ବିଜେପି ସରକାରଙ୍କ କୁଶାସନ, ରାଜ୍ୟରେ ମହିଳାଙ୍କ ସମ୍ମାନ ଓ ସୁରକ୍ଷା ପ୍ରତି ଅବହେଳା ଏବଂ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତି ବିରୁଦ୍ଧରେ ଏହି ବନ୍ଦ ଆହ୍ୱାନ ଦିଆଯାଇଥିଲା । ଘଟଣାର ବିଚାର ବିଭାଗୀୟ ତଦନ୍ତ, ଉଚ୍ଚଶିକ୍ଷା ମନ୍ତ୍ରୀ, ବାଲେଶ୍ୱର ସାଂସଦ ଏବଂ ବାଲେଶ୍ୱର ସଦର ବିଧାୟକଙ୍କ ଇସ୍ତଫା ଦାବି କରାଯାଇଥିଲା । 
ଆଜିର ବନ୍ଦରେ କଂଗ୍ରେସ ରାଜ୍ୟ ସଭାପତି ଭକ୍ତ ଚରଣ ଦାସ, ଓଡିଶା ପ୍ରଭାରୀ ଅଜୟ ଲାଲୁ, ଅଖିଳ ଭାରତ ଜାତୀୟ କେଂଗ୍ରସ ମହିଳା ସଭୋନେତ୍ରୀ ଅଳକା ଲମ୍ବା, କଂଗ୍ରେସ ବିଧାୟକ ଦଳର ନେତା ରାମଚଂଦ୍ର କାଡାମ, ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନାଙ୍କ ସମେତ ବହୁ ବାମଦଳ ଏଥିରେ ଯୋଗ ଦେଇଥିଲେ । ରାଜ୍ୟବାସୀ ଏକତା ଓ ସହଯୋଗର ସହିତ ସକ୍ରିୟ ଭାବେ ସାମିଲ ହେବା ଯୋଗୁଁ ଏହି ବନ୍ଦ ସମ୍ପୂର୍ଣ୍ଣ ଶାନ୍ତିପୂର୍ଣ୍ଣ  ଏବଂ ଅଭୂତପୂର୍ବ ଭାବେ ସଫଳ ହୋଇଛି । ସମଗ୍ର ରାଜ୍ୟବାସୀଙ୍କୁ ମିଳିତ ବିରୋଧୀ ଦଳ  ଧନ୍ୟବାଦ ଜଣାଇଛନ୍ତି ।