ବନ୍ଦ ହେବ ଡଙ୍କାରୀ ପାହାଡ; ୧୩ ସୈରାତ ବାତିଲ ନିଦେ୍ର୍ଦଶ
କବାଟବନ୍ଧ : ଯାଜପୁର ଜିଲା ଧର୍ମଶାଳାର ବହୁଚର୍ଚ୍ଚିତ ଡଙ୍କାରୀ ପାହାଡରୁ ଶହ ଶହ କୋଟି ଟଙ୍କାର କଳାପଥର ଲୁଟ ପାଇଁ ଜାତୀୟ ସ୍ତରରେ ଚର୍ଚ୍ଚାରେ ରହିଛି । ଏହି ପାହାଡ ପାଦ ଦେଶରେ ହେବାକୁ ଥିବା ଭୂତଳ ତୈଳ ପ୍ରକଳ୍ପକୁ କଳାପଥର ମାଫିଆ ଦୀର୍ଘ୧୦ବର୍ଷ ହେଲା କରାଇ ନଦେବାରେ ସଫଳ ହୋଇଥିବା ବେଳେ ଏବେ ପ୍ରକଳ୍ପ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହି ପ୍ରକଳ୍ପ ପାଇଁ ଏଠାରେ କଳାପଥର ଉତୋଳନକୁ ସଂପୂର୍ଣ୍ଣ ବନ୍ଦ ପାଇଁ ସରକାର ନିଷ୍ପତି ନେଇଛନ୍ତି । ଏଥିନେଇ ଲଘୁ ଖଣିଜ ଦ୍ରବ୍ୟ ବିଭାଗର ନିଦେ୍ର୍ଦଶକ ସମର୍ଥ ବର୍ମା ପତ୍ର ନଂବର-୧୯୭୮ ତା୨୯.୦୭.୨୫ ପ୍ରଦାନ କରିଛନ୍ତି । ଏହାପରେ ବିଭାଗ ତରଫରୁ ବିଧି ଓ ବ୍ୟବସ୍ଥା ଅନୁସାରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ । ଖବରରୁ ପ୍ରକାଶ, ଚଣ୍ଡିଖୋଲ ନିକଟସ୍ଥ ଡଙ୍କାରୀ ପାହାଡ ତଳେ ଭୂତଳ ତୈଳ ପ୍ରକଳ୍ପ ପାଇଁ ୪୦୦ଏକର ଜମିର ଆବଶ୍ୟକ ରହିଛି । ଏହି ଅଂଚଳ ଏବଂ ଏହା ସଂଲଗ୍ନ ଅଂଚଳରେ୧୩ଟି କଳାପଥର ଖାଦାନ ରହିଛି । ଡଙ୍କାରୀ ମୌଜା ଖାତା ନମ୍ବର ୨୨୧, ପ୍ଲଟ୍ ନଂ ୬୦୦ର ୪୦୦ ଏକର ଜମିରେ ୮ହଜାର କୋଟି ଟଙ୍କାର ତୈଳ ସଂରକ୍ଷଣ ପ୍ରକଳ୍ପ ପାଇଁ ଯାଜପୁର ଜିଲ୍ଲାପାଳ ପତ୍ର ନଂବର-୫୭୬୮ ତା୧୬.୦୪.୨୫ ରିଖରେ ଏଠାରୁ କଳାପଥର ଚାଲାଣ ସଂପୂର୍ଣ ବନ୍ଦ ପାଇଁ ନିଦେ୍ର୍ଦଶ ଦେଇଥିଲେ । ଆଇଏସପିଆରଏଲର ମୁଖ୍ୟ ପରିଚାଳକ ମଧ୍ୟ ଏଠାରୁ କଳାପଥର ଚାଲାଣ ଏବଂ ବ୍ଲାଷ୍ଟି ବନ୍ଦ ପାଇଁ ଏହି ସ୍ଥାନର ରାଜସ୍ୱ ମାନଚିତ୍ର ସହ ସରକାରଙ୍କୁ ଅନୁରୋଧ କରିଥିଲେ । ଡଙ୍କାରୀ ମୌଜାରେ ରହିଥିବା ୧୩ଟି କଳାପଥର ସୈରାତ ବନ୍ଦ କରିବାକୁ ଖଣିଜ ସଂପଦ ବିଭାଗର ନିଦେ୍ର୍ଦଶକ ସମର୍ଥ ବର୍ମା ଯାଜପୁର ଲଘୁ ଖଣିଜ ବିଭାଗ ଉପନିଦେ୍ର୍ଦଶକ ଜୟପ୍ରକାଶ ନାୟକଙ୍କୁ ଚିଠି ଲେଖିଛନ୍ତି । ଗତ୨୯ତାରିଖରେ ଚିଠି ନମ୍ବର ୧୯୭୮ରେ ଏହି ଚିଠି ଲଘୁ ଖଣିଜ ବିଭାଗକୁ କରାଯାଇଛି । ଉକ୍ତ ଅଂଚଳରେ ପଥର ଖନନ ବନ୍ଦ କରିବା ସହିତ ଆବଶ୍ୟକୀୟ ପଦକ୍ଷେପ ନେବାକୁ କୁହାଯାଇଛି । ଯାଜପୁର ଡ଼ିଡ଼ିଏମଙ୍କ ଚିଠି ନଂ ୨୪୧୩, ୨୧/୦୪/୨୫ର ନିର୍ଦେଶକ ଅବଧି ପୂର୍ବରୁ ପ୍ରକଳ୍ପ ଅଂଚଳରେ ଥିବା ୧୩ ଗୋଟି ସୈରାତ ବାତିଲ କରିବାକୁ ଚିଠିରେ ଉଲ୍ଲେଖ ରହିଛି । ଏଠାରେ ପ୍ରକଳ୍ପ ହେଲେ ଏଠାରେ ୪ଲକ୍ଷ ମେଟ୍ରିକ୍ ଟନ୍ ସଂଶୋଧିତ ତୈଳ ଗଛିତ ରଖାଯାଇପାରିବ । ଏନେଇ ତୁରନ୍ତ ପଦକ୍ଷେପ ନେବାକୁ ସେ କହିଛନ୍ତି । ଶିଳ୍ପ ବିଭାଗର ସ୍ୱତନ୍ତ୍ର ସଚିବ ମାର୍ଚ୍ଚ ୨୯ତାରିଖରେ ପତ୍ର ସଂଖ୍ୟା ୪୫୦୩ରେ ଯାଜପୁର ଜିଲାପାଳଙ୍କୁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦେଶ ଦେଇଥିଲେ । ଏନେଇ ଯାଜପୁର ଜିଲ୍ଲାପାଳ ଡଙ୍କାରୀ ସୈରାତ ବନ୍ଦ ପାଇଁ ୧୬/୦୪/୨୫ ଚିଠି ନମ୍ବର ୫୭୬୮ରେ ଲଘୁ ଖଣିଜ ଉପନିର୍ଦେଶକଙ୍କୁ ନିର୍ଦେଶ ଦେଇଥିଲେ । ପ୍ରକଳ୍ପ ଚିହ୍ନଟ ସ୍ଥାନରେ କଳାପଥର ସୈରାତ ରହିଥିବାରୁ ପ୍ରକଳ୍ପ କାର୍ଯ୍ୟ ମନ୍ଥର ହୋଇଥିଲା ।
ସୂଚନା ଥାଉକି ଡଙ୍କାରୀ ପାହାଡ ପାଦଦେଶରେ ଦେଶର ସର୍ବବୃହତମ ତୈଳ ପ୍ରକଳ୍ପ ହେବ ବୋଲି ଘୋଷଣା କେନ୍ଦ୍ର ସରକାର ଘୋଷଣା କରିଥିଲେ । ୩.୭୫ମେଟ୍ରିକଟନ ବିଶିଷ୍ଟ ଏହି ପ୍ରକଳ୍ପ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ସାରା ଦେଶର ୮ଦିନର ଆବଶ୍ୟକତାକୁ ନିୟନ୍ତ୍ରଣ କରିବ । ୨୦୧୫ ଅଗଷ୍ଟ ୩ ଏବଂ ୨୦୧୬ଅକ୍ଟୋବର ୪ ତାରିଖରେ କେନ୍ଦ୍ର ତୈଳ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ତରଫରୁ ରାଜ୍ୟର ସରକାରଙ୍କ ମୁଖ୍ୟ ଶାସନ ସଚିବଙ୍କୁ ଦୁଇଥର ପତ୍ର ଦିଆଯାଇ ଜାତୀୟ ସ୍ୱାର୍ଥ ରକ୍ଷା ପାଇଁ ହେଉଥିବା ଏହି ପ୍ରକଳ୍ପ ସ୍ଥାନ ଡଙ୍କାରୀରେ ସମସ୍ତ ପ୍ରକାର ପଥର ଉତୋଳନ କାର୍ଯ୍ୟ ବନ୍ଦ କରିବାକୁ ପରାମର୍ଶ ଦିଆଯାଇ ଥିଲା । ୨୦୧୭ଫେବୃୟାରୀ ୨୮ତାରିଖରେ ଅର୍ଥମନ୍ତ୍ରୀ ସଂସଦରେ ବଜେଟ ଅଭିଭାଷଣରେ ଏହି ପ୍ରକଳ୍ପ ନେଇ ଅର୍ଥ ମଂଜୁର ନେଇ ଘୋଷଣା କରିଥିଲେ । ହେଲେ ପ୍ରକଳ୍ପ କାର୍ଯ୍ୟରେ ଅଗ୍ରଗତି ଘଟିଲାନି । ଅନ୍ୟପକ୍ଷରେ ଗୁରୁବାର ସଂଧାରେ ଏକ ପ୍ରେସ ବିଜ୍ଞପ୍ତିରେ ପାହାଡ଼ପର୍ବତ ସୁରକ୍ଷା ମଂଚର ସଭାପତି ସତୀଶ ବିଶ୍ୱାଳ ଅଭିଯୋଗ କରିଛନ୍ତି ଯେ, ବିନା ଟିପିରେ ଡଙ୍କାରୀରୁ କଳାପଥର ଲୁଟ ନେଇ ସରକାର ସାଟେଲାଇଟ ସର୍ଭେ ରିପୋର୍ଟ ଆଧାରରେ ତଦନ୍ତ କରି ଏକସେସ ମାଇନିଂ ନେଇ ଜରିମାନା କରନ୍ତୁ । ଡଙ୍କାରୀ ପାହାଡରେ ପୂର୍ବରୁ ବିଜେଡି ସରକାର ସମୟରେ ହୋଇଥିବା ବହୁକୋଟି ଟଙ୍କାର ଜରିମାନାକୁ ଆଦାୟ କରନ୍ତୁ । ବିଜେପି ସରକାର ସମୟରେ ଡ୍ରୋନ ସର୍ଭେରେ ଏକସେସ ମାଇନିଂ ନେଇ ଜରିମାନା ଆଦାୟ କରିବାକୁ ସେ ଦାବି କରିଛନ୍ତି ।