ସୁଦାନରେ ଗୃହଯୁଦ୍ଧ : ୩୩ ମୃତ


ପୋର୍ଟ ସୁଦାନ : ଆଫ୍ରିକାର ସୁଦାନରେ ଗୃହଯୁଦ୍ଧ ଜାରି ରହିଛି । ସୁଦାନରେ ସେନା ଏବଂ ଅର୍ଦ୍ଧସାମରିକ ବାହିନୀ ମଧ୍ୟରେ ଉତ୍ତେଜନା ଲାଗି ରହିଥିବା ବେଳେ ୬ ଦିନ ମଧ୍ୟରେ ପ୍ରାୟ ୩୩ ଜଣଙ୍କ ମୃତୁ୍ୟ ହୋଇଥିବା ସୂଚନା ମିଳିଛି । ସେହିପରି ୪୦ରୁ ଊଦ୍ଧ୍ୱର୍ ଲୋକ ଗୁରୁତର ହୋଇ ମେଡିକାଲ୍ରେ ଭର୍ତ୍ତି ହୋଇଛନ୍ତି । ଏପ୍ରିଲ ୨୦୨୩ ପରଠାରୁ ସୁଦାନର ଶାସନ ଦାୟିତ୍ୱ ସେନା ନିଜ ହାତକୁ ନେଇଥିବା ବେଳେ ଆଜି ସେନା ପକ୍ଷରୁ ଏହି ବିବୃତ୍ତି ଦିଆଯାଇଛି । ଅର୍ଦ୍ଧସାମରିକ ବାହିନୀ (ରାପିଡ୍ ସପୋର୍ଟ ଫୋର୍ସେସ୍-ଆର୍ଏସ୍ଏଫ୍) ପକ୍ଷରୁ ଏକ ଘରୋଇ ବିମାନ ବନ୍ଦରରେ ଡ୍ରୋନ୍ ଆକ୍ରମଣ କରାଯାଇଥିବାରୁ ୩୩ ଜଣଙ୍କ ମୃତୁ୍ୟ ହୋଇଛି ବୋଲି ସରକାରରେ ଥିବା ସେନା ପକ୍ଷରୁ ସ୍ପଷ୍ଟ କରାଯାଇଛି ।
ତେବେ ଏପ୍ରିଲ ୨୦୨୩ ପରଠାରୁ ସୁଦାନର ଶାସନ ଭାର ସେନା ନିଜ ହାତକୁ ନେଇଥିବା ବେଳେ ଏହାକୁ ବିରୋଧ କରି ଆସୁଛି ଆର୍ଏସ୍ଏଫ୍ । ସେବେଠାରୁ ଆର୍ଏସ୍ଏଫ୍ ଏବଂ ଏସ୍ଏଏଫ୍ (ସୁଦାନିଜ୍ ଆର୍ମଡ୍ ଫୋର୍ସ) ମଧ୍ୟରେ ଉତ୍ତେଜନା ଲାଗି ରହିଛି । ସେନା ସରକାରକୁ ବିରୋଧ କରି ଆରଏସ୍ଏଫ୍ ବିଭିନ୍ନ ସ୍ଥାନରେ ଆକ୍ରମଣ କରୁଥିବା ବେଳେ ବହୁ ଲୋକ ଏଥିରେ ମୃତାହତ ହେଉଛନ୍ତି । ବିଶେଷ କରି ଦକ୍ଷିଣ ସୁଦାନରେ ଆରଏସ୍ଏଫ୍ ଏହି ଆକ୍ରମଣକୁ ଜୋରଦାର କରିଛି । ତେବେ ସୁଦାନ ଆଫ୍ରିକା ମହାଦେଶର ତୃତୀୟ ବୃହତ୍ତମ ରାଷ୍ଟ୍ର ହୋଇଥିବା ବେଳେ ଆରଏସ୍ଏଫ୍ର ବିରୋଧ କ୍ରମେ ଦକ୍ଷିଣ ସୁଦାନର ଡାରଫର୍ ଅଞ୍ଚଳ ବିଶେଷ ଭାବେ ପ୍ରଭାବିତ ହୋଇଛି । ଜାତିସଂଘର ସୂଚନାନୁସାରେ ପ୍ରାୟ ଦଶ ଲକ୍ଷ ଲୋକ ଏହି ଆକ୍ରମଣ ଯୋଗୁ ନିଜ ଘର ଛାଡ଼ି ନିକଟ ପଡ଼ୋଶୀ ଅଞ୍ଚଳମାନଙ୍କରେ କ୍ୟାମ୍ପ୍ କରି ରହୁଛନ୍ତି ।