ବନ୍ୟା ନିୟନ୍ତ୍ରଣ ପାଇଁ ହେଉନି ସ୍ଥାୟୀ ପ୍ରତିକାର: ମୁକୁଳା ପଡ଼ିଛି ୧୯୩ କିମି ନଦୀବନ୍ଧ

ସୋନପୁର  : ସୁବର୍ଣ୍ଣପୁର ଜିଲ୍ଲାରେ ମହାନଦୀ, ତେଲ ନଦୀ, ସୁକତେଲ ନଦୀ, ଅଙ୍ଗନଦୀ ଓ ନିବୃତ୍ତି ଜୋର ପ୍ରବାହିତ ହେଉଛି । ଜିଲ୍ଲାରେ ଏହି ୫ଟି ନଦୀର ମୋଟ ୨୩୩ କିଲୋମିଟର ଲମ୍ବା ନଦୀ ଆଡି ରହିଛି । ଜିଲ୍ଲାରେ ୩୯.୭୪କିମି ନଦୀବନ୍ଧକୁ ସୁଦୃଢ କରାଯାଇଥିଲା । ତେବେ ୧୯୩.୨୩ କି.ମି ନଦୀବନ୍ଧ ଏବେ ବି ମୁକୁଳାପଡିଛି । ଏବେ ବି ପଶ୍ଚିମ ଓ ଆଭ୍ୟନ୍ତରଣ ଓଡ଼ିଶାରେ ବର୍ଷା ସାଙ୍ଗକୁ ଉପର ମୁଣ୍ଡରେ ବର୍ଷା ହେଲେ ନଦୀ ତଳମୁଣ୍ଡରେ ଥିବା ଗ୍ରାମବାସୀଙ୍କ ଚିନ୍ତା ବଢିଥାଏ । ବର୍ଷାଦିନେ ହୀରାକୁଦରୁ ଉଦ୍ବୃତ୍ତ ପାଣି ଛାଡିଲେ ନଦୀକୂଳିଆ ଗାଁର ଅଧିବାସୀ ଆତଙ୍କରେ ରୁହନ୍ତି । ଜିଲ୍ଲାର ବିନିକା, ଉଲୁଣ୍ଡା ଓ ବୀରମହାରାଜପୁର ବ୍ଲକର ୩୫ଖଣ୍ଡ ଗାଁର ପ୍ରାୟ ୫୦ହଜାର ଲୋକ ବର୍ଷାଦିନ ଆରମ୍ଭରୁ ପ୍ରାୟ ୪ମାସ ପର୍ୟ୍ୟନ୍ତ ମହାନଦୀର ପାଣିକୁ ଦେଖି ଚିନ୍ତାରେ ରହନ୍ତି । 
ସରକାର ବନ୍ୟା ନିୟନ୍ତ୍ରଣ ପାଇଁ ସ୍ଥାୟୀ ବନ୍ୟା ପ୍ରତିକାର ବ୍ୟବସ୍ଥା କରୁ ନ ଥିବା ଅଭିଯୋଗ ହେଉଛି । ଫଳରେ ନଦୀକୂଳିଆ ଲୋକେ ଭାଗ୍ୟ ଓ ଭଗବାନଙ୍କ ଭରସାରେ ଦିନ କାଟୁଛନ୍ତି । ଉଲୁଣ୍ଡା ବ୍ଲକର ଏସ.ପତ୍ର ପାଲି ପଞ୍ଚାୟତର କେଉଟିପାଲି, ପଞ୍ଚମହଲା ପଞ୍ଚାୟତର ଜଗନ୍ନାଥପାଲି, ନିମ୍ନା ପଞ୍ଚାୟତ ନିମ୍ନା, ଦଶରାଜରାଜପୁର, ବିଶିପଡ଼ା ପଞ୍ଚାୟତ ବଢିଲା, ଖାଲିଆପାଲି, ନୂଆଗାଁ, ମୁଣ୍ଡେ ଘାଟ ପଞ୍ଚାୟତ ମୁଣ୍ଡେ ଘାଟ, ହିକୁଡି, ମହଦା, ପଞ୍ଚାୟତ ଝାରପଡ଼ା, ନାଚଣିପଦର, ବୀରମହାରାଜପୁର ବ୍ଳକ ଉଫୁଲା ପଞ୍ଚାୟତର ଖମ୍ବେଶ୍ୱରୀପାଲି, ବାରବର ପଞ୍ଚାୟତର ବୁରୋଘାଟ, ଜଟେ ସିଂହା, ପଞ୍ଚାୟତର ଜଟେସିଂହା, କେଉଟିପାଲି, ସୁବଳୟା ପଞ୍ଚାୟତର କେଲଗାଁ, ଅମ୍ବସର ଭଟା, ଟେରାପଦର ଓ ପିତାମହୁଲ ପଞ୍ଚାୟତ କୁଞ୍ଜାମହୁଲ, ବିନିକା ଏନଏସିରେ ବେତରାପଡ଼ା, ମନହରିପଡ଼ା, ପାପକ୍ଷୟ ଘାଟ, ସେଲେଡି ପଞ୍ଚାୟତର ସେଲେଡି, ତୁଣ୍ଡୁପାଲି, ମହାଦେବପାଲି  ପଞ୍ଚାୟତ ଗୟା ପାଲି, ପଣ୍ଡ କିଟାଲ, ସିନ୍ଦୁରପୁର ପଞ୍ଚାୟତର ସିନ୍ଦୁରପୁର, ଗଣେଶପୁର ଆଦି ଗ୍ରାମର ଜନସାଧାରଣ ମହାନଦୀ କୂଳରେ ଥିବାରୁ ବର୍ଷାଦିନରେ ଲୋକେ ଭୟଭୀତ ଅବସ୍ଥାରେ ରହୁଛନ୍ତି  । ସୋନପୁର ଓ ତରଭା ବ୍ଲକର ତେଲ ନଦୀ, ସୁକତେଲ, ସୁକତେଲ ଓ ନିବୃତ୍ତି ଜୋର ବ୍ଲକର ରହୁଥିବା ଗ୍ରାମବାସୀଙ୍କ ସକାଶେ ମଧ୍ୟ ଆବଶ୍ୟକ ବନ୍ୟା ନିୟନ୍ତ୍ରଣ ପାଚେରୀ ନ ଥିବାରୁ ହରଡ ଖୋଲ ପଞ୍ଚାୟତ ବୈଦ୍ୟନାଥ, ଛେପାପାଲି, ଲକର୍ମା ଓ ତରଭା ବ୍ଲକ ଅଞ୍ଚଳର ବ୍ରାହ୍ମଣୀ, ଭୁଡ଼ାର, କର୍ଲା ମହାଣ ଓ ମହୁଲଖୁଣ୍ଟା ଆଦି ଶତାଧିକ ଗ୍ରାମର ଜନସାଧାରଣ ନାହିଁ ନ ଥିବା ଅସୁବିଧା ସମ୍ମୁଖୀନ ହୋଇଛନ୍ତି । ସେହିପରି ଅଙ୍ଗ ନଦୀ ଡୁଙ୍ଗୁରିପାଲି ବ୍ଲକର ଦିଗଶିରା ଠାରେ କୂଳ ଖାଉଛି । ବିନିକା, ଡୁଙ୍ଗୁରିପାଲି, ବୀରମହାରାଜପୁର, ଉଲୁଣ୍ଡା, ତରଭା ଓ ସୋନପୁର ବ୍ଲକର କିଛି ଅଞ୍ଚଳରେ ବନ୍ୟା ସୁରକ୍ଷା ପାଚେରୀ ନିର୍ମାଣ କରାଯାଉଥିଲେ ସୁଦ୍ଧା ତାହା ସମୁଦ୍ରକୁ ଶଙ୍ଖେ । ମହାନଦୀରେ ପ୍ରତ୍ୟେକ ବର୍ଷ ବନ୍ୟା ଆସି ନଦୀକୂଳିଆ ଗ୍ରାମଗୁଡିକରେ ଅଭୁତପୂର୍ବ କ୍ଷୟକ୍ଷତି ଘଟାଉଛି । ବନ୍ୟା ସୁରକ୍ଷା ପାଚେରୀ ନିର୍ମାଣ ହେଉନଥିବାରୁ ଗାଁ ଗୁଡିକରେ କ୍ଷୟକ୍ଷତି ହେବା ସହ ଚାଷ ଜମିରେ ବନ୍ୟା ପାଣି ମାଡି ଆସି ଫସଲ ନଷ୍ଟ ହେଉଛି ।ବିଷାକ୍ତ ସରୀସୃପମାନେ ଘରମାନଙ୍କୁ ପଶି ଆସୁଛନ୍ତି । ଲୋକେ ଭୟଭୀତ ହୋଇ ଜୀବନ ଯାପନ କରୁଛନ୍ତି । ତେଣୁ ନଦୀ କୂଳରେ ଥିବା ଗାଁ ଗୁଡିକୁ ବନ୍ୟା ଦାଉରୁ ରକ୍ଷା କରିବା ପାଇଁ ସ୍ଥାୟୀ ବ୍ୟବସ୍ଥା ସକାଶେ ଦାବି ହେଉଛି । ମହାନଦୀ ଓ ତେଲ ନଦୀ ଘେରାରେ ଥିବା ଐତିହ୍ୟ ସୋନପୁର ସହର ସୌନ୍ଦର୍ୟ୍ୟ ଓ ସୁରକ୍ଷା ପାଇଁ ରିଙ୍ଗ୍ ରୋଡ ନିର୍ମାଣ ହେଉଛି । ସୋନପୁର ପୂର୍ତ୍ତ ଡିଭିଜନ ପକ୍ଷରୁ ନିର୍ମାଣଧିନ ରିଙ୍ଗ୍ ରୋଡ ୧୪ ବର୍ଷ ହେଲା ସଂପୂର୍ଣ୍ଣ ହୋଇନାହିଁ । ଏହି ରିଙ୍ଗ୍ ରୋଡର ମଧ୍ୟ ଭାଗରେ ଗୁରୁତ୍ୱପୂର୍ଣ୍ଣ ପୋର୍ଟାଲ-ଫ୍ରେମ୍ ବ୍ରିଜ କୁମ୍ଭାରପଡ଼ାରୁ ଦଶମତି ଘାଟ ୧୧୫୦ ମିଟର ନିର୍ମାଣ ନିର୍ମାଣ ହୋଇ ପାରିନାହିଁ । କାମ ବିଳମ୍ବ ପାଇଁ ବ୍ୟୟ ଅଟକଳ ପଡିଛି । ଫଳରେ ପୋର୍ଟାଲ ଫ୍ରେମ୍ ବ୍ରିଜ କାମ ଅନିଶ୍ଚିତତାରେ ରହିଛି । ରିଙ୍ଗ୍ରୋଡ ସଂପୂର୍ଣ୍ଣ ହୋଇ ପାରିନାହିଁ । ଅନ୍ୟପକ୍ଷରେ ଜିଲ୍ଲାରେ ଗତ ବର୍ଷେ ହେଲା ତେଳ ଡିଭିଜନ ବିଭାଗୀୟ ପକ୍ଷରୁ ଆଡ଼ିବନ୍ଧ କାର୍ୟ୍ୟ ହୋଇନାହିଁ । ତେଲ ଡିଭିଜନରେ ସ୍ଥାୟୀ କାର୍ୟ୍ୟ ନିର୍ବାହୀ ଯନ୍ତ୍ରୀ ନାହାଁନ୍ତି । ବୌଦ୍ଧ ଜିଲ୍ଲାର କାର୍ୟ୍ୟ ନିର୍ବାହୀ ଯନ୍ତ୍ରୀଙ୍କୁ ଅତିରିକ୍ତ ଦାୟିତ୍ୱ ମିଳିଛି । ଚଳିତ ବର୍ଷ ହରିହର ଯୋର ପ୍ରକଳ୍ପର ଆଡିବନ୍ଧ କାର୍ୟ୍ୟ ରାଜ୍ୟ ସରକାରଙ୍କ ପାଖକୁ ପ୍ରସ୍ତାବ ପଠାଯାଇଛି । ଅନୁଦାନ ଆସିଲେ ମୁକୁଳା ପଡ଼ିଥିବା ନଦୀବନ୍ଧକୁ ପର୍ୟ୍ୟାୟକ୍ରମେ ସୁଦୃଢ କରାଯିବାର ବିଭାଗୀୟ ସୂତ୍ରରୁ ଜଣାପଡିଛି ।