ଜବରଦଖଲରେ ମୁଖ୍ୟ ରାସ୍ତା : ନିୟନ୍ତ୍ରଣ ବାହାରେ ଯାଜପୁରର ଟ୍ରାଫିକ୍ ବ୍ୟବସ୍ଥା

 ଯାଜପୁର ସଦର : ଦିନକୁ ଦିନ ଜବରଦଖଲ ହେବାରେ ଲାଗିଛି ସହରର ମୁଖ୍ୟରାସ୍ତା । ଫଳରେ ଯାଜପୁର ସହରର ଟାଫିକ ବ୍ୟବସ୍ଥା ନିୟନ୍ତ୍ରଣ ବାହାରକୁ ଚାଲିଯାଉଛି । ଯାଜପୁର ସହରର ମୁଖ୍ୟ ରାସ୍ତା ପାର୍ଶ୍ୱରେ ବଡ଼ମେଡ଼ିକାଲ, ତହସିଲ କାର୍ଯ୍ୟାଳୟ, ଜିଲ୍ଲାପ୍ରଶାସନର ସମସ୍ତ କାର୍ଯ୍ୟଳୟ, ଜିଲାମୁଖ୍ୟ କୋର୍ଟ ଅବସ୍ଥିତ । ଦିନକୁ ଦିନ ବଜାରର ଟ୍ରାଫିକ୍ ବ୍ୟବସ୍ଥା ନିୟନ୍ତ୍ରଣ ବାହାରକୁ ଚାଲିଗଲାଣି । ଯାହାଦ୍ୱାରା ଏହି ବଜାର ଦେଇ ଯାତାୟତ କରୁଥିବା ଶହ ଶହ ଯାନବାହନ ଓ ଜନସାଧାରଣ ଟ୍ରାଫିକ ସମସ୍ୟାରେ ପଡ଼ି ହନ୍ତସନ୍ତ ହେଉଛନ୍ତି । ଏହି ସମସ୍ତ ବଜାର ଗୁଡ଼ିକ ସବୁ ସମୟରେ ଅସମ୍ଭବ ଭିଡ଼ ରହୁଛି । ଉଠା ଦୋକାନୀଙ୍କ ଜବରଦଖଲ ଯୋଗୁଁ ଜନସାଧାରଣ ରାସ୍ତା ପାସ କରିବା କାଠିକର ପାଠ ହେଉଛି । ଏପରିକି ସାଧାରଣ ଲୋକ ଓ ଯାନବାହନ ଗୁଡ଼ିକ ଏହି ବଜାର ଦେଇ ରାସ୍ତା ପାର ହେବାକୁ ୨୦ରୁ ୩୦ ମିନିଟ୍ ସମୟ ଲାଗିଯାଉଛି । ଜରୁରୀକାଳୀନ ପରିସ୍ଥିତିରେ ରୋଗୀଙ୍କୁ ନେଇ ଆମ୍ବୁଲାନସ୍ ଯାଉଥିବା ବେଳେ କିମ୍ବା ଦମକଳ ଗାଡ଼ି ଯିବା ସମୟରେ ଭିଡ଼ ମଧ୍ୟରେ ଫସିଯାଉଛନ୍ତି । ଟ୍ରାଫିକ ସମସ୍ୟା ନିୟନ୍ତ୍ରଣ କରିବା ପୁଲିସର ମୁଖ୍ୟ ଦାୟିତ୍ୱ ରହିଥିବାବେଳେ ଯାଜପୁର ଥାନା ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉନଥିବାରୁ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଏହାଛଡ଼ା ସହର ମଧ୍ୟରେ ଦୋକାନ କରିଥିବା ବ୍ୟବସାୟୀ ସେମାନଙ୍କର ସମ୍ମୁଖଭାଗ ରାସ୍ତା ଉପରକୁ ଜବରଦଖଲ କରି ପସରା ମେଲାଇ ଦେଇଥିବାରୁ ବଡ଼ମେଡ଼ିକାଲ କୁ ରୋଗୀଙ୍କ ସହିତ ଆସୁଥିବା ଲୋକମାନେ ରାସ୍ତା ପାରି ହେବାବେଳେ ବହୁ ହନ୍ତସନ୍ତ ହେଉଥିବା ଦେଖାଯାଏ । ସନ୍ଧ୍ୟା ସମୟରେ ସହର ର ଝିଅ ବୋହୁ ମାନେ ମାକେଟିଂ କରିବାକୁ ଆସୁଥିବା ବେଳେ ସେମାନଙ୍କର କାର ଓ ବାଇକ ଗୁଡ଼ିକୁ ରାସ୍ତା ଉପରେ ରଖିଦେବାରୁ ଏଭଳି ଆହୁରି ଟ୍ରାଫିସ୍ ସମସ୍ୟା ଉପୁଜିଛି । ଦିନ ରାତି ବଡ଼ମେଡ଼ିକାଲ ରାସ୍ତା ଉପରେ ରହୁଥିବା ଅଟୋ,କାର ଯାନବାହନ ଗୁଡ଼ିକୁ ନିୟନ୍ତ୍ରଣ କରିବା କିମ୍ବା ହଟେଇବା ପାଇଁ ପୁଲିସ ପକ୍ଷରୁ ପଦକ୍ଷେପ ନିଆଯାଉନଥିବାରୁ ଟ୍ରାଫିକ ଜାମ ହେଉଛି । କୁସୁମା ଛକରେ ହେଉଥିବା ଅସମ୍ଭବ ଭିଡ଼ିକୁ ନିୟନ୍ତ୍ରଣ କରାନଯିବାରୁ ଅନେକ ସମୟରେ ଛୋଟ ବଡ଼ ଦୁର୍ଘଟଣା ମାନ ଘଟୁଛି । ପ୍ରଶାସନର କୋହଳ ମନୋଭାବ ଯୋଗୁଁ ସାଧାରଣ ଜନତା ହନସ୍ତା ଭୋଗୁଛନ୍ତି । ଏଥିପ୍ରତି ଜିଲ୍ଲାପାଳ ପଦକ୍ଷେପ ନେବାକୁ ସାଧାରଣରେ ଦାବି କରାଯାଇଛି ।