ବନ୍ୟା ବିତ୍ପାତ : ଉଦ୍ଧାର କାର୍ଯ୍ୟ ଜାରି; ଆଶ୍ରୟସ୍ଥଳୀରେ ୬୧୯୧ଜଣ ବନ୍ୟା ପ୍ରଭାବିତ
ଯାଜପୁର ଟାଉନ: ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁଁ ବୈତରଣୀ ନଦୀରେ ବନ୍ୟାଜଳ ବୃଦ୍ଧି ପାଇ ଏହାର ଶାଖା ନଦୀ କାଣୀ ନଦୀରେ ଦଶରଥପୁର ଓ ଯାଜପୁର ବ୍ଲକର ୨୧ ପଞ୍ଚାୟତ ପ୍ରଭାବିତ ହୋଇଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ରିଲିଫ ଓ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ୨୧ଟି ପଞ୍ଚାୟତର ୧୮୪୩୩ ଜଣ ଲୋକ ପ୍ରଭାବିତ ହୋଇଛନ୍ତି । ୬୧୯୧ଜଣ ଲୋକଙ୍କୁ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତରିତ କରାଯାଇଛି । ୧୪ ଟି ରିଲିଫ ସେଂଟର୍ ଖୋଲାଯାଇ ପ୍ରଭାବିତଙ୍କୁ ଶୁଖିଲା ଓ ରନ୍ଧା ଖାଦ୍ୟ ପ୍ରଦାନ କରାଯାଉଛି । ଆମ୍ବୁଲାନ୍ସ ସହିତ ୨ଟି ମେଡିକାଲ ଟିମ୍ ଓ ୯ଟି ଭେଟେରୀନାରୀ ଟିମ୍ ନିୟୋଜିତ ହୋଇଛନ୍ତି । ରିଲିଫ ଓ ଉଦ୍ଧାର କାର୍ଯ୍ୟରେ ୨ ଟି ଓଡରାଫ ଓ ୧ ଟି ଅଗ୍ନିଶମ ଦଳ ନିୟୋଜିତ ହୋଇଛନ୍ତି । ଦଶରଥପୁର ବ୍ଲକର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଆକାଶ ପଟ୍ଟନାୟକ, ତହସିଲଦାର ରଶ୍ମିରଞ୍ଜନ ମଲ୍ଲିକ ପ୍ରଭାବିତ ଅଞ୍ଚଳରେ ଉପସ୍ଥିତ ରହି ରିଲିଫ ଓ ଉଦ୍ଧାର କାର୍ଯ୍ୟ ପରିଚାଳନା କରୁଛନ୍ତି । ଜିଲ୍ଲାର ବରିଷ୍ଠ ଅଧିକାରୀ ମାନଙ୍କୁ ବିଭିନ୍ନ ବ୍ଲକରେ ଉପସ୍ଥିତ ରହି ରିଲିଫ ଓ ଉଦ୍ଧାର କାର୍ଯ୍ୟ ତଦାରଖ କରିବାକୁ ଦାୟିତ୍ୱ ପ୍ରଦାନ କରାଯାଇଛି । ଶିବାନନ୍ଦ ସ୍ୱାଇଁ ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱଙ୍କୁ ବିଂଝାରପୁର ଓ ଦଶରଥପୁର ବ୍ଲକ, ଯୁଧିଷ୍ଠିର ନାୟକ, ଅତିରିକ୍ତ ଜିଲ୍ଲାପାଳ, ପ୍ରଶାସନଙ୍କୁ ବଡ଼ଚଣା ଓ ଧର୍ମଶାଳା ବ୍ଲକ୍, ସପନ କୁମାର ନନ୍ଦ, ଅତିରିକ୍ତ ଜିଲ୍ଲାପାଳ କଳିଙ୍ଗନଗରଙ୍କୁ ଦାନଗଦୀ, ସୁକିନ୍ଦା ବ୍ଲକ୍ ଓ ବ୍ୟାସନଗର ମ୍ୟୁନିସିପାଲଟି, ଦେବୀ ପ୍ରସାଦ ମହାନ୍ତି, ମୁଖ୍ୟ ଉନ୍ନୟନ ଓ ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦଙ୍କୁ କୋରେଇ ଓ ରସୁଲପୁର ବ୍ଲକ୍ ଓ ତାପସ ରଂଜନ ଦେହୁରୀ, ଉପ ଜିଲ୍ଲାପାଳଙ୍କୁ ବରୀ, ଯାଜପୁର ବ୍ଲକ୍ ଓ ଯାଜପୁର ମ୍ୟୁନିସିପାଲଟି ଦାୟିତ୍ୱରେ ରଖାଯାଇଛି ।
ବ୍ରାହଣୀ ନଦୀରେ ତୃତୀୟ ବନ୍ୟା
ଧର୍ମଶାଳା: ବ୍ରାହ୍ମଣୀ ଓ ତାର ଶାଖା ନଦୀ ଗୁଡିକରେ ତୃତୀୟ ବନ୍ୟାଜଳ ଆସିବା ଫଳରେ ନଦୀ କୁଳିଆ ଲୋକେ ଆତଙ୍କିତ ହୋଇପଡିଛନ୍ତି । ଉପର ମୁଣ୍ଡରେ ବର୍ଷା ଲାଗିରହିବା ଫଳରେ ରେଙ୍ଗାଲିର ୩ ଗୋଟି ଗେଟ ଖୋଲାଯାଇଛି । ପୁର୍ବରୁ ରେଙ୍ଗାଲିର ୨ଗୋଟି ଗେଟ ଖୋଲାଯାଇଥିବା ବେଳେ ଆଜି ଭୋରରୁ ଗୋଟଏ ଗେଟ ଖୋଲାଯାଇଛି । ସେହିପରି ସମଲ ବ୍ୟରେଜର ୧୦ଗୋଟି ଗେଟ ଖୋଲାଯାଇଛି । ଫଳରେ ଆଜି ସନ୍ଧ୍ୟା ୭ଟା ସୁଦ୍ଧା ବ୍ରାହମଣୀ ନଦୀର ଜେନାପୁର ଠାରେ ୬୩.୭୦ମିଟରରେ ବନ୍ୟାଜଳ ପ୍ରବାହିତ ହେଉଛି ଏବଂ ଏହା କ୍ରମଶ ବୃଦ୍ଧି ପାଉଥିବା ବେଳେ ଆଜି ଭୋର ସମୟରେ ରେଙ୍ଗାଲି ଡ୍ୟାମର ଖୋଲାଯାଇଥିବା ଗୋଟିଏ ଗେଟର ପାଣି କାଲି ସକାଳ ସୁଦ୍ଧା ଜେନାପୁର ନିକଟରେ ପହଁଚିବ । ଫଳରେ ବନ୍ୟା ଜଳ ବୃଦ୍ଧି ପାଇ ଜେନାପୁର ଠାରେ ବିପଦ ସଙ୍କେତ ଥିବା ୬୭ ଫୁଟ ପାଖାପାଖି ଯିବାର ଆଶଙ୍କା କରାଯାଉଛି । ତେବେ ଉପରମୁଣ୍ଡରେ ବର୍ଷା ପରିମାଣ ନକମିଲେ ରେଙ୍ଗାଲି ଡ୍ୟାମର ଆଉ ଏକ ଗେଟ ଖୋଲାଗଲେ ବନ୍ୟା ହେବାର ଆଶଙ୍କା କରାଯାଇଛି । ଏହି ବନ୍ୟାରେ ବିଶେଷ କରି ତଳିଆ ଅଞ୍ଚଳ ଗୁଡିକ ବିଶେଷ ଭାବରେ ପ୍ରଭାବିତ ହେବାର ସମ୍ଭାବନା ଦେଖାଦେଇଛି । ତେବେ ନଦୀ କୁଳିଆ ଲୋକମାନେ ସଜାଗ ରହିବାକୁ ଜିଲ୍ଲାପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି । ବ୍ରହ୍ମଣୀ ନଦୀରେ ଚଳିତ ବର୍ଷ ଏକ ବଡଧରଣର ବନ୍ୟା ହେବା ନେଇ ଆଶଙ୍କା କରାଯାଇଛି ।
ବ୍ରାହ୍ମଣୀରେ ଭାସିଗଲେ ବୃଦ୍ଧ
ବ୍ରହ୍ମବରଦା: ଯାଜପୁର ସଦରଥାନା ଅଧିନସ୍ଥ ସାମନ୍ତରାପୁର ପଞ୍ଚାୟତ ମହାରଣା ସାହିର ଜଣେ ବୃଦ୍ଧ ବ୍ରାହ୍ମଣୀ ନଦୀ ସ୍ରୋତରେ ଭାସି ଯାଇଥିବା ଜଣାପଡ଼ିଛି । ଖବରମତେ ସୋମବାର ଅପରାହ୍ନରେ ବାଲିପାଟଣା ମହାରଣା ସାହିର ଜଣେ ୬୫ ବର୍ଷିୟା ବୃଦ୍ଧ ବ୍ରାହ୍ମଣୀ ନଦୀକୁ ଶୌଚ ହେବାକୁ ଯାଇଥିବା ବେଳେ ନଦୀ ସ୍ରୋତରେ ଭାସି ଯାଇଥିଲେ । ଏହା ଦେଖି ସ୍ଥାନିୟ ଲୋକେ ତାଙ୍କୁ ପାଣିରୁ ଉଦ୍ଧାର କରିବାକୁ ଚେଷ୍ଠା କରିଥିଲେ ମଧ୍ୟ ଉଦ୍ଧାର କରି ପାରି ନଥିବା ସୂଚନା ମିଳିଛି ।
ବିପଦ ସଙ୍କେତ ତଳେ ବନ୍ୟାଜଳ ପ୍ରବାହିତ
ପାଣିକୋଇଲି: ବୈତରଣୀ ନଦୀରେ ବନ୍ୟାଜଳ ବିପଦ ସଙ୍କେତ ତଳେ ପ୍ରବାହିତ ହେଉଛି । ଫଳରେ କୋରେଇ ବ୍ଲକରେ ବନ୍ୟା ଆଂଶଙ୍କା ଟଳି ଯାଇଛି । ଲଘୁଚାପ ପ୍ରଭାବରେ ଉପର ମୁଣ୍ଡରେ ୩ ଦିନ ଧରି ଲଗାଣ ବର୍ଷା ଓ ଆନନ୍ଦପୁର ଡ୍ୟାମ ଫାଟକ ସମୂର୍ଣ୍ଣ ଖୋଲା ଯାଇଥିବାରୁ ପ୍ରବଳ ପାଣି ଆସି ବୈ÷ତରଣୀ ନଦୀର ଜଳସ୍ଥର ଦୃତଗତିରେ ବଢି ଆଖୁଆପଦା ଠାରେ ବିପଦ ସଂକେତର ଢେର ଉପରେ ପ୍ରବାହିତ ହୋଇଥିଲା । ଫଳରେ ନଦୀରୁ ପାଣି ଉପରକୁ ଉଠିବାକୁ ଆରମ୍ଭ କରିଥିଲା । ଯାହା ଫଳରେ ନଦୀପଠାବାସୀ ବନ୍ୟା ଆଶଙ୍କାରେ ଥିଲେ । ଜଳସେଚନ ବିଭାଗ ସୁତ୍ରରୁ ମିଳିଥିବା ସୁଚନା ମୁତାବକ ଆଖୁଆପଦା ଠାରେ ବିପଦ ସଂକେତ ୧୮.୩୩ ମିଟର ରହିଥିବା ବେଳେ ଆଜି ଭୋର ୬ଟାରେ ସର୍ବାଧିକ୧୮.୮୬ରେ ପହଁଚିଥିଲା । ପରେ ପରେ କମିବା ଆରମ୍ଭ କରିଥିଲା ଆଜି ଦିନ ୧୦ରୁ ମଧ୍ୟାହ୍ନ୧୨ ଦୀର୍ଘ ଦୁଇ ଘଂଟା ଜଳସ୍ଥର ୧୮.୮୧ରେ ସ୍ଥିର ରହିଥିଲା । ଅପରାହ୍ନରେ ଜଳସ୍ତର କମି ୧୮.୪୩ ସଂଧ୍ୟା ୬ଟାରେ ୧୮.୨୪ରେ ପ୍ରଭାହିତ ହୋଇ ବିପଦ ସଙ୍କେତ ତଳେ ପହଁଚିଛି ।