ବନ୍ୟାଞ୍ଚଳ ବୁଲିଲେ ତହସିଲଦାର ଓ ଜଳସମ୍ପଦ ଅଧିକାରୀ
ବରୀ: ବରୀରେ ବନ୍ୟା ପରିସ୍ଥିତି ଉପୁଜିଛି । ଖରସ୍ରୋତା, ତନ୍ତୀଘାଇ ଓ ବ୍ରାହ୍ମଣୀ ନଦୀରେ ଦ୍ୱିତୀୟ ଥର ବନ୍ୟା ପାଣି ପ୍ରଭାବିତ ହେବା ଫଳରେ ବ୍ଲକର ଭଅଁରା, ବୋଦୁଅ, ରମ୍ପା, ଅରଙ୍ଗାବାଦ, ବରୀ, ଅଲିପୁର, ବାଲିବିଲି, ଅନ୍ୟାସପୁର, ରତଲାଙ୍ଗ, ଉଦୟନାଥପୁର କାଇପଡା, ଅଙ୍ଗାଳେ ଅଂଚଳର ବହୁ ଚାଷ ଜମି ସହ କିଛି ଗାଁ ପାଣି ଘେରରେ ରହିଛି । କେକଁରଡ଼ା ରାସ୍ତାରେ ଆଣ୍ଠୁଏ ଉପରେ ବନ୍ୟା ଜଳ ପ୍ରବାହିତ ହେଉଛି । ବନ୍ୟାକୁ ନେଇ ବରୀ ଉପଖଣ୍ଡ ଜଳସମ୍ପଦ ଅଧିକାରୀ ମନୋରଞ୍ଜନ ତ୍ରିପାଠୀ ତନ୍ତଘାଇ ସିଷ୍ଟମର ଡ଼ିହବାରିଙ୍ଗ, ଏରଡ଼ା, ଚଟୁମାରୀ ଆଦି ବିଭିନ୍ନ ସ୍ଥାନ ପରିଦର୍ଶନ କରିଥିଲେ । ଭଅଁରା ପଂଚାୟତ ଚଟୁମାରୀ ଠାରେ ନିର୍ମାଣ ହେଉଥିବା ପାନୀୟ ଜଳ ପ୍ରକଳ୍ପ ପାଇଁ ନଦୀ ବନ୍ଧ ଧିରେ ଧିରେ ଖାଇଯାଇଛି । ଏହାକୁ ବାଲିବସ୍ତା ପକାଯାଇ ମରାମତି ଚାଲିଥିବା ବେଳେ ଅଂଚଳବାସୀଙ୍କ ପାଇଁ ବିପଦ ରହିଛି । କାର୍ଯ୍ୟକୁ ମଧ୍ୟ ଜଳସମ୍ପଦ ଅଧିକାରୀ ଶ୍ରୀ ତ୍ରିପାଠୀ ତଦାରଖ କରିଥିଲେ । ସେହିପରି ବରୀ ତହସିଲଦାର ଦୀପ୍ତିମୟୀ ବେହେରା, ରାଜସ୍ୱ ନୀରିକ୍ଷକ ପ୍ରଶାନ୍ତ କୁମାର ରାଉତ ରତଲାଙ୍ଗ, କାଇପଡା, ଭଅଁରା ବନ୍ୟାଂଚଳ ପରିଦର୍ଶନ କରିବା ସହ ଲୋକଙ୍କ ସୁବିଧା ଅସୁବିଧା ବୁଝିବା ସହ ବନ୍ୟା ପାଇଁ ପ୍ରଶାସନ ପ୍ରସ୍ତୁତି ଥିବା କହିଥିଲେ ।