ବରିଷ୍ଠ ନାଗରିକ ଓ ଭିନ୍ନକ୍ଷମଙ୍କୁ ମିଳିବ ସହାୟତା
ପୁରୀ : ଚନ୍ଦନଯାତ୍ରା ଓ ଆସନ୍ତା ଦେବସ୍ନାନ ପୂର୍ଣ୍ଣମୀ ପାଇଁ ବରିଷ୍ଠ ନାଗରିକ ଏବଂ ଶାରୀରିକ ଅକ୍ଷମ ବ୍ୟକ୍ତିମାନଙ୍କ ପାଇଁ ବିବିଧ ସୁବିଧା କରାଯିବ । ଏସ୍.ପି ବିନିତ ଅଗ୍ରୱାଲଙ୍କ ଅଧ୍ୟକ୍ଷତାରେ ଏକ ବୈଠକ କରାଯାଇ ଏ ସଂପର୍କରେ ନିଷ୍ପତ୍ତି ନିଆଯାଇଛି । ଏହି ବୈଠକରେ କେତେକ ବରିଷ୍ଠ ନାଗରିକ ମଧ୍ୟ ଉପସ୍ଥିତ ଥିଲେ । ଚନ୍ଦନଯାତ୍ରା ସମୟରେ ନିର୍ଦ୍ଦିଷ୍ଟ ଦର୍ଶନ କ୍ଷେତ୍ର ନିର୍ଦ୍ଧାରଣ କରାଯାଇ ବୃଦ୍ଧ ଓ ଶାରୀରିକ ଅକ୍ଷମ ବ୍ୟକ୍ତିମାନେ ଚୌକିରେ ବସି ଚନ୍ଦନଯାତ୍ରାକୁ ଉପଭୋଗ କରିବାର ବ୍ୟବସ୍ଥା କରାଯିବ ।ଚନ୍ଦନଚକଡ଼ା ନିକଟରେ ଆମ୍ବୁଲାନ୍ସ ରଖାଯିବ । ପାନୀୟ ଜଳ ଓ ଶୀତଳ ଜଳର ବ୍ୟବସ୍ଥା କରାଯିବ ବୋଲି ବୈଠକରେ ନିଷ୍ପତ୍ତି କରାଯାଇଛି । ସେହିଭଳି ସ୍ନାନପୂର୍ଣ୍ଣମୀ ଦିନ ମାର୍କେଟ ଛକ ଓ ଦୋଳବେଦୀ କୋଣ ଠାରେ ଅସ୍ଥାୟୀ ଟେଣ୍ଡ ପକାଯାଇ ବୃଦ୍ଧ ଓ ଶାରୀରିକ ଅକ୍ଷମ ଲୋକମାନଙ୍କୁ ସହଯୋଗ କରାଯିବ । ମାର୍କେଟ ଛକ, ଟାଉନଥାନା ସାମ୍ନା, ମରିଚିକୋଟ ଛକ ଓ ଦୋଳବେଦୀ କୋଣରେ ଛାୟାଯୁକ୍ତ ବିଶ୍ରାମ କେନ୍ଦ୍ର କରାଯିବ । ବୃଦ୍ଧ ଲୋକମାନେ ଦର୍ଶନ କରିବାକୁ ଯିବାବେଳେ ସହାୟକ ଦଳ ତାଙ୍କୁ ସାହାଯ୍ୟ କରିବେ । ଅକ୍ଷମ ବ୍ୟକ୍ତିମାନଙ୍କ ପାଇଁ ହୁଇଲ ଚେୟାରର ବ୍ୟବସ୍ଥା କରାଯିବ । ବରିଷ୍ଠ ନାଗରିକମାନଙ୍କୁ ପାସ୍ ଓ ପରିଚୟ ପତ୍ର ଖୁବ୍ଶୀଘ୍ର ଯୋଗାଇ ଦିଆଯିବ । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଆମ୍ବୁଲାନ୍ସ ବ୍ୟବସ୍ଥା କରାଯିବ । ପୋଲିସ ଓ ସ୍ୱେଚ୍ଛାସେବୀମାନେ ମନ୍ଦିର ପ୍ରବେଶ ପଥରେ ସହାୟତା କରିବା ପାଇଁ ରହିବେ । କୌଣସି ଅସୁବିଧାର ସାମ୍ନା କଲେ ସେମାନେ ଡ଼ି.ଏସ୍.ପି. ତାରା ଜସ୍ମିନ ଗୁରିଆଙ୍କୁ ୯୪୩୭୩୯୦୦୯୬ କିମ୍ବା ଅତ୍ୟାବଶ୍ୟକୀୟ ନମ୍ବର ୬୩୭୦୯୭୨୧୦୦କୁ ଜଣାଇବା ପାଇଁ ପୋଲିସ ପକ୍ଷରୁ ଅନୁରୋଧ କରାଯାଇଛି । ଯେଉଁ ବରିଷ୍ଠ ନାଗରିକଙ୍କ ଘରେ ଅନ୍ୟ କେହି ନାହାନ୍ତି ସେମାନେ ଏହି ନମ୍ବରରେ ଯୋଗାଯୋଗ କରିପାରିବେ । ପୋଲିସ ଓ ସ୍ୱେଚ୍ଛାସେବୀ ତାଙ୍କ ନିକଟକୁ ଯାଇ ସହାୟତା କରିବେ ବୋଲି ନିଷ୍ପତ୍ତି ହୋଇଛି । ଏହି ବୈଠକରେ ଅତିରିକ୍ତ ଏସ୍.ପି ସୁଶୀଲ ମିଶ୍ର, ସଚିନ୍ ପଟେଲ, ସୌମ୍ୟରଂଜନ ମଲ୍ଲିକ, ସିଟି ଡ଼ିଏସ୍ପି ପ୍ରଶାନ୍ତ ସାହୁ, ମନ୍ଦିର ଏସି ଘନଶ୍ୟାମ ହେମ୍ବ୍ରମ୍ ଓ ବିଜୟ ନନ୍ଦ, ଟ୍ରାଫିକ ଡ଼ିଏସ୍ପି ଜୟଦୀପ ମହାନ୍ତି, ଟାଉନଥାନା ଅଧିକାରୀ ଗୋକୁଳ ରଂଜନ ଦାସ, ସିଂହଦ୍ୱାର ଥାନା ଅଧିକାରୀ ଶ୍ୱେତପଦ୍ମା ଦାସ ବୈଠକରେ ଯୋଗଦାନ କରିଥିଲେ ।