ହାତୀ ଶାବକ ମୃତ, ମାସକରେ ମଲେଣି ଦୁଇ  ଆଉ କେତେ ପରେ ଚେତା ପଶିବ 

କେନ୍ଦୁଝର: କେନ୍ଦୁଝର ବନଖଣ୍ଡ ତେଲକୋଇ ବନାଞ୍ଚଳରେ ଗଜ ରାଜ ଅସୁରକ୍ଷିତ ହୋଇପଡିଛନ୍ତି  । ଦିନକୁ ଦିନ ହାତୀ ମୃତୁ୍ୟ ଘଟଣା ବୃଦ୍ଧି ପାଇବାରେ ଲାଗିଛି । ଏଇ ଦୁଇ ସପ୍ତାହ ପୂର୍ବରୁ ଗୋଟିଏ ଦୁଇ ବର୍ଷିୟା ହାତୀ ଛୁଆର ମୃତୁ୍ୟ ଘଟିଥିବା ବେଳେ ଆଜି ପୁଣି ଏକ ହାତୀ ଶାବକର ମୃତ ଦେହ ଉଦ୍ଧାର ହୋଇଛି । 
ତେଲକୋଇ ବନାଞ୍ଚଳ ବିମଳା ସେକ୍ସନ ରାଣୀବଡା ସଂରକ୍ଷିତ ଜଙ୍ଗଲ ଟାଙ୍ଗିରୀ ଗ୍ରାମ ଦୁବନାଳି ସାହି ପତ୍ରଫଡି ନିକଟରୁ ଏହି ମୃତ ହାତୀ ଶାବକ ଠାବ ହୋଇଛି । ଖବର ପାଇ ତେଲକୋଇ ବନ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ପ୍ରାରମ୍ଭିକ ତଦନ୍ତ ଆରମ୍ଭ କରିଛି । ହାତୀ ଶାବକଟି ଦୁଇରୁ ତିନି ମାସର ହୋଇଥିବା ବନ ବିଭାଗ ଆକଳନ କରିଛି  । ମୃତୁ୍ୟର କାରଣ ସ୍ପଷ୍ଟ ହୋଇ ନଥିବା ବେଳେ ଏକ ପ୍ରାଣୀ ବିଶେଷଜ୍ଞ ଦଳ ଆସନ୍ତା କାଲି (ଶନି ବାର) ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିବା ନେଇ ବନ ବିଭାଗ ପକ୍ଷରୁ ସୂଚନା ମିଳିଛି । ତେଲକୋଇ ବନାଞ୍ଚଳରେ ଏବେ ଦୁଇଟି ଦଳରେ ୫୮ ଟି ହାତୀ ରହିଛନ୍ତି । ଗୋଟିଏ ଦଳରେ ୪୦ ଟି ରହିଥିବା ବେଳେ ଆଉ ଗୋଟିଏ ଦଳରେ ୧୮ ଟି ହାତୀ ରହୁଛନ୍ତି । ମୃତ ହାତୀ ଶାବକ ୪୦ ଟିକିଆ ଦଳର ହୋଇଥିବା ବନ ବିଭାଗ କହିଛି । ଉଭୟ ହାତୀ ପଲ ବିମଳା ସେକ୍ସନ ବନ୍ଧନ ଝରି ସଂରକ୍ଷିତ ଜଙ୍ଗଲରେ ଡେରା ପକାଇ ଥିବା ଜଣାପଡିଛି  । ତେବେ ଏ ସମ୍ବନ୍ଧରେ ତେଲକୋଇ ବନାଞ୍ଚଳ ଅଧିକାରୀ ଶିବାଜୀ ମୋହନ ରାଓଙ୍କୁ ପଚାରିବାରୁ ହାତୀ ଶାବକର ନେଚୁରାଲ ଡେଥ ହୋଇଥିବା ନେଇ ଅନୁମାନ କରାଯାଉଛି, ତଥାପି ମୃତ ଶାବକର ରକ୍ତ ନମୁନା ସଂଗ୍ରହ କରାଯାଇଛି । ରିପୋର୍ଟ ଆସିବା ପରେ ସତ୍ୟା ସତ୍ୟ ଜଣା ପଡ଼ିବ ବୋଲି କହିଛନ୍ତି  ।