ବର୍ମିଂହାମ୍ରେ ଓଡ଼ିଶା ପୁଲିସ୍ କ୍ରୀଡ଼ାବିତ୍ଙ୍କ ସଫଳତା

 ଭୁବନେଶ୍ୱର : ଯୁକ୍ତରାଷ୍ଟ୍ର ଆମେରିକାର ବିର୍ମିଂହାମରେ ଅନୁଷ୍ଠିତ ହୋଇଥିବା ପ୍ରତିଷ୍ଠିତ ବିଶ୍ୱ ପୁଲିସ ଏବଂ ଅଗ୍ନିଶମ କ୍ରୀଡ଼ା ୨୦୨୫ରେ ଓଡ଼ିଶା ପୁଲିସର କ୍ରୀଡାବିତମାନେ ନିରନ୍ତର ଭାବେ ସଫଳତା ହାସଲ କରି ଚାଲିଛନ୍ତି । ଏହି କ୍ରମରେ ଆଜି ୨ ଜଣ ଯୁବ କ୍ରୀଡାବିତ ଅଶୋକ ଦଣ୍ଡସେନା ଦୁଇଟି ସ୍ୱର୍ଣ୍ଣ ପଦକ ଏବଂ ସୁସ୍ମିତା ଟିଗା ଗୋଟିଏ ରୌପ୍ୟ ପଦକ ହାସଲ କରି ଓଡିଶା ପୁଲିସକୁ ଗୌରବାନ୍ୱିତ କରିଛନ୍ତି । ଓଡିଶା ପୁଲିସର କ୍ରୀଡ଼ାବିତ ଗତ ଛଅ ଦିନ ମଧ୍ୟରେ ୧୩ଟି ସ୍ୱର୍ଣ୍ଣ ପଦକ, ୩ଟି ରୌପ୍ୟ ପଦକ ଓ ୪ ଟି ବ୍ରୋଞ୍ଜ ପଦକ ସହ ମୋଟ ୨୦ଟି ପଦକ ହାସଲ କରିଛନ୍ତି ।
କନଷ୍ଟେବଲ୍ ଅଶୋକ ଦଣ୍ଡସେନା ପୁରୁଷ ବିଭାଗ ୨୧ କିମି ହାଫ ମାରାଥନ୍ ଦୌଡ ଓ ୨୧ କିମି ହାଫ୍ ମାରାଥନ୍ ଦୌଡ (ଟିମ୍ ଇଭେଣ୍ଟ)ରେ ୨ଟି ସ୍ୱର୍ଣ୍ଣ ପଦକ ବିଜୟୀ ହୋଇଛନ୍ତି । ପୂର୍ବରୁ ସେ ୮୦୦ ମିଟର, ୧୫୦୦ ମିଟର, ୫୦୦୦ ମିଟର ଓ ୧୦୦୦୦ ମିଟର ଦୌଡ ଓ  ୩୦୦୦ ମିଟର ଷ୍ଟିପଲଚେଜ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ବିଜୟୀ ହୋଇଥିଲେ । ଅନୁରୂପ ଭାବେ କନଷ୍ଟେବଳ ସୁସ୍ମିତା ଟିଗା ମହିଳା ବିଭାଗ ୨୧ କିଲୋମିଟର ହାଫ ମାରାଥନ୍ ଦୌଡରେ ରୌପ୍ୟ ପଦକ ବିଜୟୀ ହୋଇ ଓଡ଼ିଶା ପୁଲିସ ପାଇଁ ଗୌରବ ଆଣିଛନ୍ତି । ପୂର୍ବରୁ ସେ  ୧୫୦୦ ମିଟର ଦୌଡ଼ ଓ ୩୦୦୦ ମିଟର ଷ୍ଟିପଲ ଚେଜ୍ରେ ସ୍ୱର୍ଣ୍ଣ ପଦକ, ୮୦୦ ମିଟର ଦୌଡରେ ରୌପ୍ୟ ପଦକ  ଏବଂ  ୪୦୦/୪୦୦ ରିଲେରେ ବ୍ରୋଞ୍ଜ ପଦକ ଜିଣିଛନ୍ତି । ଏହି ଯୁବ କ୍ରୀଡ଼ାବିତଙ୍କ ସଫଳତାରେ ରାଜ୍ୟ ଆରକ୍ଷୀ ମହାନିଦେ୍ର୍ଦଶକ ଯୋଗେଶ ବାହାଦୁର ଖୁରାନିଆ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ସହ କ୍ରୀଡ଼ାବିତଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି ।