ବାଇଶି ପାହାଚ ମାହାତ୍ମ୍ୟ
ସିଂହଦ୍ୱାର ବା ପୂର୍ବଦ୍ୱାର ଦେଇ ବାଇଶି ପାହାଚ ଅତିକ୍ରମ କରି ରତ୍ନସିଂହାସନ ଉପରେ ଦାରୁ ବ୍ରହ୍ମଙ୍କୁ ଦର୍ଶନ କରିବା ଶୁଭଦାୟକ ଅଟେ । ବାଇଶି ପାବଚ୍ଛର ଦୁଇପଟରେ ଦକ୍ଷିଣ ଓ ଉତ୍ତରକୁ ଦୁଇଟି ପାଚେରୀ ଅଛି । ଉତ୍ତର ଆଡକୁ ଆନନ୍ଦ ବଜାର, ସ୍ନାନ ଦେବୀ ପ୍ରଭୃତି ଓ ଦକ୍ଷିଣ ଆଡକୁ ଚାହାଣି ମଣ୍ଡପ, ରୋଷଘର ପ୍ରଭୃତି ରହିଛି । ଶ୍ରୀକ୍ଷେତ୍ରରେ ଆମ୍ଭମାନଙ୍କ ଅଗୋଚରରେ ବହୁ ରହସ୍ୟମୟ ସ୍ଥାନ ରହିଛି । ଏହି ପରି କେତୋଟି ବିସ୍ମୟ ଓ ରହସ୍ୟମୟ ଦ୍ରବ୍ୟ ବାଇଶି ପାହାଚରେ ରହିଛି । ତାହା ହେଲା- ପିତୃତୀର୍ଥ, ଯମଖର୍ପର, ମାଙ୍କଡା ପଥର ଓ ମୁଗୁନି ପଥର ।
ଅକ୍ଷୟ କୁମାର ରାଉତ : ଦାରୁ ଦେବତା ଶ୍ରୀଜଗନ୍ନାଥ ଚାରି ଦିଗରେ ଚାରି ଧାମ ମଧ୍ୟରେ ଶ୍ରେଷ୍ଠ । ବିଶ୍ୱର ପ୍ରାଚୀନ ଦେବତା ରୂପେ, ପରଂବ୍ରହ୍ମ ରୂପୀ ଶ୍ରୀଜଗନ୍ନାଥ ମହାପ୍ରଭୁ ସର୍ବଜନବିଦିତ । ତେଣୁ ବୈଷ୍ଣବ, ଶୈବ, ଶାକ୍ତ, ଗାଣ ପତ୍ୟ, ବୌଦ୍ଧ, ଜୈନ୍ୟ, ଆର୍ଯ୍ୟ, ଅନାର୍ଯ୍ୟ, ଦ୍ରାବିଡ ଆଦି ବିଭିନ୍ନ ସମାଜ ଓ ଧର୍ମାବଲମ୍ବୀ ମାନେ ଶ୍ରୀଜଗନ୍ନାଥଙ୍କୁ ନିଜର ଆରାଧ୍ୟ ସର୍ବ ବ୍ରହ୍ମମୟ କର୍ତ୍ତା ରୂପେ ସ୍ୱୀକାର କରି ଆସିଛନ୍ତି । ଶ୍ରୀଜଗନ୍ନାଥ ହେଉଛନ୍ତି ତତ୍ତ୍ୱମୟ, ରହସ୍ୟମୟ ଓ ବୈଚିତ୍ର୍ୟମୟ ଦେବତା । ଶ୍ରୀକ୍ଷେତ୍ରରେ ତାଙ୍କର ଲୀଳା ଅତି ବିଚିତ୍ର । ତାଙ୍କର ବାଇଶି ପାହାଚ ଅଗମ୍ୟ ତତ୍ତ୍ୱମୟ ।
ଶ୍ରୀମନ୍ଦିରକୁ ଯିବାକୁ ହେଲେ ବାଇଶି ପାହାଚ ଅତିକ୍ରମ କରିବାକୁ ହୁଏ । ବାଇଶି ପାହାଚ ଶ୍ରୀଜଗନ୍ନାଥ ଚେତନାର ଅତୀ ରହସ୍ୟମୟ । ବାଇଶି ପାହାଚ ଲୋକ ସାଧାରଣରେ ପରିଚିତ ହେଉଥିଲେ ମଧ୍ୟ, କେତେକ ସମୟରେ ମରାମତି ଯୋଗୁ ସଂଖ୍ୟାରେ ପ୍ରଭେଦ ଥିବାର ପରିଲକ୍ଷିତ ହୁଏ । କେତେକ କହନ୍ତି ଏହି ପାହାଚର ସଂଖ୍ୟା ୨୨, ଅନ୍ୟ କେତେକ ମତରେ ଏହାର ସଂଖ୍ୟା ୨୪,୧୭.୧୫ ଏହିପରି ବିଭିନ୍ନ ଗବେଶକ ଭିନ୍ନ ଭିନ୍ନ ମତ ରଖିଛନ୍ତି । ଏହାର ସଂଖ୍ୟା ବର୍ତ୍ତମାନ ୨୧ ରହିଛି । ଆଉ ଗୋଟିଏ ପାହାଚ ଗୋପ୍ୟ ରହିଛି । ପ୍ରତ୍ୟେକ ପାହାଚର ଓସାର ପ୍ରାୟ ୬ ଫୁଟ ଉଚ୍ଚତା ୬ ଇଞ୍ଚ, ଲମ୍ବ ପ୍ରାୟ ୭୦ ଫୁଟ । ଏହି ପାହାଚ ଉପରେ ମହାଳୟା ଅମାବାସ୍ୟା ଦିନ ଲୋକେ ଶ୍ରାଦ୍ଧ ଓ ଦୀପ ଦାନ କରନ୍ତି । ମାନସିକ ଅନୁସାରେ ଭକ୍ତମାନେ ମହାପ୍ରସାଦ ସେବା କରନ୍ତି । ପିଲାମାନଙ୍କୁ ଦୀର୍ଘଜୀବୀ କରିବା ଆଶାରେ ବାପ ମା’ ବାଇଶିଟିଯାକ ପାହାଚରେ ଗଡେଇ ଉପରୁ ତଳକୁ ସିଂହ ଦ୍ୱାର ପର୍ଯ୍ୟନ୍ତ ଆଣନ୍ତି । ବାଇଶି ପାହାଚ କାହାର ପ୍ରତୀକ, ବିଭିନ୍ନ ଗବେଷକ ଭିନ୍ନମତ ପୋଷଣ କରନ୍ତି ଯଥା- ପଞ୍ଚ ମହାଭୂତ, ଦଶଇନ୍ଦ୍ରିୟ, ପଞ୍ଚତନ୍ତ୍ର,କ୍ଷେତ୍ର ଓ କ୍ଷେତ୍ରଜ୍ଞ ଏହି ସମସ୍ତଙ୍କର ପ୍ରତୀକ ହୋଇଚି ବାଇଶି ପାହାଚ । ସପ୍ତଲୋକ, ସପ୍ତପାତାଳ, ଅଷ୍ଟବୈକୁଣ୍ଠ ହେଉଛି ବାଇଶି ପାହାଚ । ସେହିପରି ସପ୍ତ ପୁରୁଷ, ଦଶ ବିଶ୍ୱଦେବ, ଓ ଚତୁସନଃ ବାଇଶି ପାହାଚର ପ୍ରତିକ । ପଞ୍ଚମାତ୍ରା, ପଞ୍ଚମହାଭୂତ, ପଞ୍ଚଜୀବ, ପଞ୍ଚଦେବ, ଜୀବାତ୍ମା ଓ ପରମାତ୍ମା ହେଉଛି ବାଇଶି ପହାଚ । ପଞ୍ଚରସ, ଅଷ୍ଟସାତ୍ତ୍ୱିକଭାବ, ତ୍ରୀବୀଜ, ତ୍ରୀଶକ୍ତି ଓ ତ୍ରିଗୁଣ ଏହି ଭାବର ସ୍ୱରୂପ ହେଉଛି ବାଇଶି ପାହାଚ । ଭାଗବତର ଦ୍ୱାଦଶ ସ୍କନ୍ଧ ଓ ଦଶତତ୍ତ୍ୱ ହେଉଛି ବାଇଶି ପାହାଚ । ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କ ସପ୍ତ ପୁରୁଷ ହେଉଛି ଏକୋଇଶି ଏବଂ ଶ୍ରୀଜଗନ୍ନାଥ ଯେ କି ପୁରୁଷରୁ ଅତୀତ ତାହାକୁ ମିଶାଇ ହେଉଛି ବାଇଶି ପାହାଚ । ଆଉ କେତେକ ମତ ଦିଅନ୍ତି ବାଇଶି ଗୋଟି ଗୁଣର ପ୍ରତିକ, ମାୟା, ଚେତନା, ବୁଦ୍ଧି, ନିଦ୍ରା, କ୍ଷୁଧା, ଛାୟା, ଶକ୍ତି, ତୃଷ୍ଣା, ଜାତି, ଲଜ୍ଜା, ଶାନ୍ତି, ଶ୍ରଦ୍ଧା, କାନ୍ତି, ବୃତ୍ତି, ସ୍ୃ ୁତି, ଦୟା, ତୃପ୍ତି, ମାତୃ, ଭ୍ରାନ୍ତି, ଜ୍ଞାନ, ପ୍ରଜ୍ଞା, ଏହି ବାଇଶି ଗୁଣର ପ୍ରତିକ ବାଇଶି ପାହାଚ । ଅଷ୍ଟାଦଶ ପୁରାଣ ଓ ଚାରିବେଦ ହେଉଛି ବାଇଶି ପାହାଚ । ଶବ୍ଦ ବା ସଙ୍ଗୀତର ବାଇଶିଟି ମୌଳିକ ରାଗର ପ୍ରତିକ ବାଇଶି ପାହାଚ । ପଞ୍ଚକର୍ମେନ୍ଦ୍ରିୟ, ପଞ୍ଚ ମହାଭୂତ, ପଞ୍ଚ ଜ୍ଞାନେନ୍ଦ୍ରିୟ, ପଞ୍ଚତନ୍ତ୍ର, ମନ ଓ ଅହଂକାର ହେଉଛି ବାଇଶି ପାହାଚର ପ୍ରତୀକ । ଅନ୍ୟକେତେକ ଗବେଶକ କୁହନ୍ତି ପଚିଶି ଗୋଟି ପାହାଚ ରହିଛି । ପଚିଶି ପ୍ରକୃତିର ପ୍ରତୀକ । ବାଇଶି ଗୋଟି ପରାପ୍ରକୃତି ଆଉ ତିନୋଟି ଅପରାପ୍ରକୃତି । ସେଥି ପାଇଁ ତିନୋଟି ପାହାଚ ବଙ୍କା, ବାଇଶିଟି ପାହାଚ ସିଧା ଅଟେ । ମେଘନାଦ ପ୍ରାଚୀର ନିର୍ମିତ ସମୟରେ ଗୋଟିଏ ପାହାଚ ଚଟାଣ ଦ୍ୱାରା ଲୁପ୍ତ ହୋଇଯାଇଛି । ତେଣୁ ୨୧ ଟି ପାହାଚ ଦୃଶ୍ୟମାନ । ସେ ଯାହା ହେଉନା କାହିଁକି ସାଧାରଣତ ୨୨ ଗୋଟି ପାହାଚ ବୋଲି ଆମେ ଧରି ନେଇଥାଉ । ସିଂହଦ୍ୱାର ବା ପୂର୍ବଦ୍ୱାର ଦେଇ ବାଇଶି ପାହାଚ ଅତିକ୍ରମ କରି ରତ୍ନସିଂହାସନ ଉପରେ ଦାରୁ ବ୍ରହ୍ମଙ୍କୁ ଦର୍ଶନ କରିବା ଶୁଭଦାୟକ ଅଟେ । ବାଇଶି ପାବଚ୍ଛର ଦୁଇପଟରେ ଦକ୍ଷିଣ ଓ ଉତ୍ତରକୁ ଦୁଇଟି ପାଚେରୀ ଅଛି । ଉତ୍ତର ଆଡକୁ ଆନନ୍ଦ ବଜାର, ସ୍ନାନ ଦେବୀ ପ୍ରଭୃତି ଓ ଦକ୍ଷିଣ ଆଡକୁ ଚାହାଣି ମଣ୍ଡପ, ରୋଷଘର ପ୍ରଭୃତି ରହିଛି । ଶ୍ରୀକ୍ଷେତ୍ରରେ ଆମ୍ଭମାନଙ୍କ ଅଗୋଚରରେ ବହୁ ରହସ୍ୟମୟ ସ୍ଥାନ ରହିଛି । ଏହି ପରି କେତୋଟି ବିସ୍ମୟ ଓ ରହସ୍ୟମୟ ଦ୍ରବ୍ୟ ବାଇଶି ପାହାଚରେ ରହିଛି । ତାହା ହେଲା- ପିତୃତୀର୍ଥ, ଯମଖର୍ପର, ମାଙ୍କଡା ପଥର ଓ ମୁଗୁନି ପଥର । ପତିତପାବନଙ୍କର ପଛ ପଟରେ କାଶୀ ବିଶ୍ୱନାଥଙ୍କର ତଳ ପାହାଚର ଉତ୍ତର ଦିଗରେ ଗୋଟି ସ୍ଥଳ ରହିଛି । ସେଠାରେ ପିତୃପୁରୁଷଙ୍କୁ ଶ୍ରାଦ୍ଧ ଦେବା, ମହାଳୟା ଦିବସରେ ଦୀପ ଦାନ କରିବା ସ୍ଥାନକୁ ପିତୃ ତୀର୍ଥ କୁହାଯାଏ । ସେହିପରି ପତିତପାବନଙ୍କ ଠାରୁ ଆଗକୁ ଗଲେ ତୃତୀୟ ପାହାଚର ଠିକ୍ ମଧ୍ୟ ସ୍ଥଳରେ ଏକ ଲୌହ ଫଳକ ରହିଛି । ଏହି ଫଳକର ନାମ ଯମଖର୍ପର । ଲୋକଶୃତି ଅନୁଯାୟୀ ଏହାକୁ ପତିତ ମାନେ ଅତିକ୍ରମ କରି ଯିବାର ନିଷେଧ ଅଛି । ଏହି ଫଳକକୁ ଗଲାବେଳେ ପାଦଦେଇ ସବୁ ପାପ ଛାଡି ଯାଆନ୍ତି । ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରି ଆସିଲା ବେଳେ ଏହି ଖର୍ପରକୁ ଆଉ ଛୁଅନ୍ତି ନାହିଁ । କାରଣ ପ୍ରଭୁଙ୍କୁ ଦର୍ଶନ ପରେ ସବୁ ପାପ ତାପରୁ ମୁକ୍ତି ମିଳିଥାଏ । ବାଇଶି ପାହାଚ ଦେଇ ଆଗକୁ ଗଲେ ୧୧ ନମ୍ବର ପାହାଚର ଡାହାଣ ପଟେ ରହିଛି ଖଣ୍ଡିଏ ମାଙ୍କଡା ପଥର । ଏହି ପଥର ପଛରେ ରହିଛି ଏକ ବିସ୍ମୟକର ଐତିହ୍ୟ । ଗଙ୍ଗ ବଂଶର ରାଜା ତୃତିୟ ଭାନୁଦେବ ବାଇଶି ପାହାଚର ପୁନଃନିର୍ମାଣ କରୁଥାଆନ୍ତି । ଏହି ସମୟରେ ତାଙ୍କର ସନ୍ତାନ ସନ୍ତତି ନ ଥିବାର କଷ୍ଟ ସାଙ୍ଗକୁ ଯବନ ମାନଙ୍କ ଆକ୍ରମଣ ତାଙ୍କ ମନସ୍ତାପକୁ ବହୁତ ବଢେଇ ଦେଇଥାଏ । ବାଇଶି ପାହାଚ ନିର୍ମାଣରେ ବାରମ୍ବାର ତ୍ରୁଟି ହେଉଥାଏ । କେଉଁଦିନ ଗୋଟିଏ ପାହାଚର ଓସାର କମିଗଲାଣିତ, କେତେବେଳେ ବଢି ଗଲାଣି, କେଉଁ ପାହାଚର ଉଚ୍ଚତା ବି ଠିକ୍ ଆସୁନଥାଏ । ଏହି ସମୟରେ ୧୧ ନମ୍ବର ପାହାଚର ଡାହାଣ ଦିଗକୁ ପାଣୀଝରଟିଏ ପଡିଲା । ସମସ୍ତ ଚେଷ୍ଟା ସତ୍ତେ୍ୱ ସେ ପାଣିଝର ବନ୍ଦ ହେଲା ନାହିଁ । ରାଜା ଅନାହାରେ ଶ୍ରୀଜଗନ୍ନାଥଙ୍କ ନିକଟରେ ଅଧିଆ ପଡି ରହିଲେ । ରାଜାଙ୍କୁ ଶ୍ରୀଜଗନ୍ନାଥ ସ୍ୱପ୍ନରେ କହିଲେ, ହେ ରାଜା ତୁମେ ଯାଇଁ ଚକ୍ରତୀର୍ଥରେ ଲକ୍ଷ୍ମୀନୃସିଂହଙ୍କ ପ୍ରାର୍ଥନା କର ସେ ତୁମର ମନୋବାଞ୍ଛା ପୂରଣ କରିବେ । ରାଜା ଲକ୍ଷ୍ମୀନୃସିଂହଙ୍କୁ ପ୍ରାର୍ଥନା କରିବାରୁ ନୃସିଂହ ରାଜାଙ୍କୁ ଆଦେଶ ଦେଲେ ତୁମେ କାଲି ପ୍ରଭାତରେ ସମୁଦ୍ର କୂଳରେ ଯେଉଁ ଆଶ୍ଚର୍ଯ୍ୟ ଦ୍ରବ୍ୟ ଦେଖିବ, ତାକୁ ନେଇ ଝର ପଡିଥିବା ସ୍ଥାନରେ ପକାଇ ଦେଲେ, ଝର ବନ୍ଦ ହୋଇଯିବ । ରାଜା ଦେଖିଲେ ସମୁଦ୍ର କୂଳରେ ପାଣି ଉପରେ ଖଣ୍ଡିଏ ମାଙ୍କଡା ପଥର ଭାସୁଥିବାର । ରାଜା ଆଶ୍ଚର୍ଯ୍ୟ ହୋଇ ଭକ୍ତି ଭାବରେ ପଥରଟିକୁ ଆଣି ସେହି ଝର ସ୍ଥାନରେ ସ୍ଥାପନା କରିବା ମାତ୍ରେ ଝର ବନ୍ଦ ହୋଇଗଲା । ତାପରେ ରାଜାଙ୍କର ସନ୍ତାନ ଲାଭ ହେଲା । ସେହି ଦିନ ଠାରୁ ଆଜି ପର୍ଯ୍ୟନ୍ତ ଅପୁତ୍ରିକମାନେ ସେହି ପଥର ଉପରେ ମହାପ୍ରସାଦ ଭକ୍ତି ଭାବରେ ଅର୍ପଣ କଲେ ସନ୍ତାନ ହୋଇଥାଏ । ଏହି ପଥରର ଲମ୍ବ ପ୍ରାୟ ଦେଢ ଚାଖଣ୍ଡ ଓ ଓସାର ପ୍ରାୟ ଚାଖଣ୍ଡେ । ଏହି ମାଙ୍କଡା ପଥର ଦେବଶିଳା ଭାବରେ ପରିଚିତ । ଏହି ଆଶ୍ଚର୍ଯ୍ୟ ଘଟଣା ଠାରୁ ଲୋକ ମୁଖରେ ଉଚ୍ଚାରିତ ହେଲା -
‘ହରି ବୋଲ ଭାଇ ଗୋବିନ୍ଦ ବୋଲ
ଭାସିଲା ପଥର ବୁଡିଲା ସୋଲ
ଭାନୁଦେବ ରାଜା କୀର୍ତ୍ତି ରଖିଲା,
ଝରଣା ପଥରେ ବନ୍ଦ କଲା
ଅପୁତ୍ରିକ ଦୋଷୁ ମୁକ୍ତ ହୋଇଲା,
ଯୁଗ ଯୁଗକୁ ଅମର ହୋଇଲା ।’
୧୫ ପାହାଚର ଉତ୍ତର ଦିଗକୁ ଖଣ୍ଡିଏ ମୁଗୁନି ପଥର ଦେଖିବାକୁ ମିଳେ । ଜଣେ ସାଧୁ ନାରୀ ମାନଙ୍କ ଗହଳରେ ଯାଉଥିଲେ, ସୁଆର ପିଲାମାନେ ତାଙ୍କୁ ଦେଖି ସରା ଫିଙ୍ଗିଦେଲେ, ସେ ସରା ସାଧୁଙ୍କ ଦେହରେ ବାଜି କଳା ମୁଗୁନି ପଥରରେ ପରିଣତ ହୋଇଗଲା । ସେହି ପଥରଟି ସାଧୁଙ୍କ ସ୍ମୃତିକୁ ମନେ ପକାଇବା ପାଇଁ ଅଦ୍ୟାବଧି ଏହି ପାହାଚରେ ରହିଅଛି । ବାଇଶି ପାହାଚ ଉପରେ ଦକ୍ଷିଣ ଦିଗରେ ସିଂହ ଦ୍ୱାର ରାସ୍ତାକୁ ଲାଗି କାଶୀ ବିଶ୍ୱେଶ୍ୱରଙ୍କ ମନ୍ଦିର । ମନ୍ଦିରଟି ଅତି ଛୋଟ ଲିଙ୍ଗ ମର୍ମର ପ୍ରସ୍ତରର, ଆକାରରେ ମଧ୍ୟ ଛୋଟ । ପୌରାଣିକ ବିଶ୍ୱାସ ରହିଛି ଯେ ମହାଦେବଙ୍କୁ ଦର୍ଶନ ନ କରି ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କଲେ ବିଷ୍ଣୁ ଦର୍ଶନର ଫଳ ମିଳେ ନାହିଁ । ବାଇଶି ପାହାଚରେ ବିଶ୍ୱର ନାଥ ବିଶ୍ୱନାଥ, ରତ୍ନ ସିଂହାସନରେ ଜଗତର ନାଥ ଶ୍ରୀଜଗନ୍ନାଥ, ଏହା ସମସ୍ତଙ୍କୁ ବିସ୍ମୟକର ମନେହୋଇଥାଏ ।
ପାରାଦ୍ୱୀପଗଡ, କୁଜଙ୍ଗ,ଜଗତସିଂହପୁର
ମୋ:୯୯୩୭୬୯୧୪୭୫