ମୂଲ୍ୟବୋଧ ଓ ସମାଜ ସେବା
ଡାକ୍ତର ଉମେଶ ଚନ୍ଦ୍ର ପାତ୍ର : ମନୁଷ୍ୟ ଶରୀରରେ ଆଖି, କାନ, ପାଟି ଆଦି ସବୁ ଅଙ୍ଗଗୁଡ଼ିକ ପରସ୍ପର ସହିତ ଅଭିନ୍ନ ଭାବରେ ସମ୍ପୃକ୍ତ । ଏହି ଅଙ୍ଗଗୁଡ଼ିକ ଯେପରି ମନୁଷ୍ୟ ପାଇଁ ଗୁରୁତ୍ୱପୂର୍ଣ୍ଣ ସେହିପରି ସାମାଜିକ ପ୍ରକ୍ରିୟାର ଏକ ଅଙ୍ଗ ଭାବରେ ମନୁଷ୍ୟ ମଧ୍ୟ ସମାଜ ପାଇଁ ଗୁରୁତ୍ୱ ପୂର୍ଣ୍ଣ । ମନୁଷ୍ୟ ମାନବଜାତିର ଏକ ଅଂଶ । ପ୍ରକୃତି ଈଶ୍ୱରଙ୍କର ଏକ ଅଂଶ । ଏହି ପାରସ୍ପରିକ ସମ୍ପର୍କକୁ ମନୁଷ୍ୟ ଜାଣିପାରି ନାହିଁ ।
ପ୍ରକୃତିରେ ଯାହା କିଛି ହେଉଛି ସେଥିରେ ମନୁଷ୍ୟ ଏକ ପ୍ରକାରର ମଞ୍ଚନିର୍ଦ୍ଦେଶକ ପରି । ନିଜର ଦାୟିତ୍ୱକୁ ଭୁଲିଯାଇ ମନୁଷ୍ୟ ନିଜର ଅଧିକାର ପାଇଁ ଲଢ଼ିଛି । ଗଭୀର ଭାବରେ ଅନୁସନ୍ଧାନ କଲେ ଜଣାଯିବ ଯେ ଏ ସଂସାରରେ ମନୁଷ୍ୟର କୌଣସି ଅଧିକାର ନାହିଁ । ତାର କେବଳ କର୍ତ୍ତବ୍ୟ ଅଛି, ଅଧିକାର ନୁହେଁ । ନିଜର କର୍ତ୍ତବ୍ୟ ସମ୍ପାଦନ ନ କରି ଅଧିକାର ପାଇଁ ଲଢ଼ିବା ନିର୍ବୋଧତା । ଯୁଗପୁରୁଷୋତ୍ତମ ଶ୍ରୀ ଶ୍ରୀ ଠାକୁର ଅନୁକୂଳଚନ୍ଦ୍ର ତାଙ୍କ ଆଧ୍ୟାତ୍ମିକ ସମ୍ଭାଷଣରେ ମାର୍ଗ ନିର୍ଦ୍ଦେଶ କରିଛନ୍ତି "ସଂସାରରେ ସବୁ ପ୍ରକାର ଦ୍ୱନ୍ଦ୍ୱ ଓ ବିଶୃଙ୍ଖଳାର କାରଣ ହେଉଛି ମନୁଷ୍ୟ ନିଜର କର୍ତ୍ତବ୍ୟକୁ ଭୁଲିଯିବା । ପ୍ରତ୍ୟେକ ବ୍ୟକ୍ତି ନିଜର କର୍ତ୍ତବ୍ୟର ସୁ ସମ୍ପାଦନ କଲେ ଜଗତ ଶାନ୍ତ ଓ ସମୃଦ୍ଧ ହେବ । ତାର ଏକମାତ୍ର ଅଧିକାର ହେଉଛି ନିଜର କର୍ତ୍ତବ୍ୟ ସମ୍ପାଦନ କରିବା । ତାର ଆଉ ଅନ୍ୟ କୌଣସି ଅଧିକାର ନାହିଁ । ପିତାମାତାମାନେ ନିଜର କର୍ତ୍ତବ୍ୟ ସମ୍ପାଦନ କଲେ ପିଲମାନେ ମଧ୍ୟ ନିଜର ଦାୟିତ୍ୱ ହୃଦୟଙ୍ଗମ କରିବେ । ପିଲାମାନେ ନିଜର ପିତାମାତାଙ୍କ ପ୍ରତି କର୍ତ୍ତବ୍ୟ ସମ୍ପାଦନ କଲେ ପିତାମାତାମାନେ ସମ୍ମାନିତ ହେବେ। ସେହିପରି ଶିକ୍ଷକମାନେ ସେମାନଙ୍କର କର୍ତ୍ତବ୍ୟ ସମ୍ପାଦନ କଲେ ଛାତ୍ରମାନେ ଠିକ ଭାବରେ ଆଚରଣ କରିବେ। ଛାତ୍ରଛାତ୍ରୀମାନେ ସେମାନଙ୍କର କର୍ତ୍ତବ୍ୟ ଠିକ୍ ଭାପବରେ ସମ୍ପାଦନ କଲେ, କର୍ମକର୍ତ୍ତାମାନେ ସମ୍ମାନ ଲାଭ କରିବେ ।'ଆଜି ଲୋକମାନେ ସେମାନଙ୍କର ଦାୟିତ୍ୱ ଭୁଲି ଯାଉଛନ୍ତି । ଜଗତ ପରସ୍ପର ସହିତ ସମ୍ପୃକ୍ତ ଅଂଶଗୁଡ଼ିକର ଏକ ଅଖଣ୍ଡ ଏକକ ଅଟେ । ପ୍ରତ୍ୟେକ ନିଜର କର୍ତ୍ତବ୍ୟ କଲେ ସମସ୍ତଙ୍କୁ ଳାଭ ମିଳିବ । ମଣିଷ ନିଜର କର୍ତ୍ତବ୍ୟ ସମ୍ପାଦନ କରିବାକୁ ଯୋଗ୍ୟ, ତାହାର ଫଳ ପାଇଁ ନୁହେଁ । "ଆଜି ଶିକ୍ଷା ଜଗତ ବହୁବିଧ ସମସ୍ୟାରେ ପରିପୂର୍ଣ୍ଣ । ତାହା ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କୁ ବିଚଳିତ କରୁଛି । ଶିକ୍ଷା ପଦ୍ଧତି ସମାଜରେ ମାନବୀୟ ମୂଲ୍ୟବୋଧର ବିଧ୍ୱଂସରେ ସହାୟକ ହେଉଛି । ଦେଶର ସର୍ବବିଧି କଲ୍ୟାଣର ଅଭିବୃଦ୍ଧି ଦିଗରେ ଶିକ୍ଷାନୁଷ୍ଠାନଗୁଡ଼ିକ ନେତୃତ୍ୱ ନେବା କଥା, କିନ୍ତୁ ସେଗୁଡ଼ିକ ଦେଶକୁ ପଥଭ୍ରଷ୍ଟ କରୁଛନ୍ତି । ତ୍ୟାଗ, ଚରିତ୍ରବତ୍ତା, ସାଧୁତା ଓ ନୈତିକତା ଆଦି ମାନବୀୟ ମୂଲ୍ୟବୋଧଗୁଡ଼ିକ ପ୍ରାୟ ଉଭେଇ ଗଲେଣି । ଆମର ଯାହା ଦରକାର ତାହା ଏକ ନୂତନ ଶିକ୍ଷାପଦ୍ଧତି ବା ଏକ ନୂତନ ସମାଜ ବ୍ୟବସ୍ଥା କିମ୍ବା ଏକ ନୂଆ ଧର୍ମ ନୁହେଁ । ନୂତନ ସମାଜ-ବ୍ୟବସ୍ଥା ପ୍ରତିଷ୍ଠା ପାଇଁ ବହୁ କଳ୍ପନା ଜଳ୍ପନା ହେଉଛି । ଏ ସବୁ ବୃଥା ବ୍ୟାୟାମ । ଆଜି ଆମର କେବଳ ଉତ୍ତମ ଲୋକ ଦରକାର । ମହତ୍ ମନ ଓ ହୃଦୟସମ୍ପନ୍ନ ଲୋକମାନେ ରହିଲେ ରାଷ୍ଟ୍ର ପ୍ରଗତିଶୀଳ ହେବ । ଏପରି ଲୋକମାନେ ସମାଜରେ ସେତକିବେଳେ ବାହାରିବେ ଯେତେବେଳେ ସମାଜରେ ମାନସିକ ନିର୍ମଳତା ଓ ନୈତିକତା ରହିବ । ନୈତିକ ମୂଳଦୁଆରେ ପ୍ରତିଷ୍ଠିତ ସମାଜ ହିଁ ଏପରି ମହତ୍ ଲୋକମାନଙ୍କର ପୁଷ୍ଟି କରିପାରିବ । ନୈତିକତା ଓ ଚରିତ୍ରବତ୍ତା ଆଧ୍ୟାତ୍ମିକ ଚେତନା ଉପରେ ଆଧାରିତ । ନୈତିକତା ଓ ଚରିତ୍ରବତ୍ତା ଆଧ୍ୟାତ୍ମିକତା ଉପରେ ନିର୍ଭରଶୀଳ । ଆଧ୍ୟାତ୍ମିକ ଶକ୍ତି ବିଶ୍ୱଶାନ୍ତି, ମାନବୀୟ ପ୍ରଗତି ଓ ସମୃଦ୍ଧିର ଉଚ୍ଚତର ଭବିଷ୍ୟତ ପାଇଁ ମାର୍ଗ ପ୍ରଶସ୍ତ କରେ ।'ମନୁଷ୍ୟ ଆଧ୍ୟାତ୍ମିକତାକୁ ଭୁଲିଯାଇ ବିଷୟ ବାସନା ଉପରେ ଆଧାରିତ କୃତ୍ରିମ ଜୀବନ ଯାପନ କରୁଛି । ରାଷ୍ଟ୍ରର କଲ୍ୟାଣ ନିମନ୍ତେ ଶିକ୍ଷାର ପ୍ରୟୋଗ ହେବା ଉଚିତ । ଶିକ୍ଷା ମାଧ୍ୟମରେ ଉପଲବ୍ଧ ଜ୍ଞାନ ସମାଜର କଲ୍ୟାଣ ନିମନ୍ତେ ନିଃସ୍ୱାର୍ଥପର ଭାବରେ ବିନିଯୋଗ କରାଯିବା ଉଚିତ । ଛାତ୍ରମାନଙ୍କ ମଧ୍ୟରେ ଏହିପରି ମନୋଭାବ ବିକଶିତ କରିବାକୁ ହେଲେ ସେମାନେ ଉତ୍ତମ ଗୁଣାବଳୀର ଅନୁଶୀଳନ କରିବା ଉଚିତ। କେବଳ ଉତ୍ତମ ଚରିତ୍ରସମ୍ପନ୍ନ ଛାତ୍ରର ମାତୃଭୂମି ପ୍ରତି ପ୍ରେମ ଓ ସମାଜକଲ୍ୟାଣ ପାଇଁ ଚିନ୍ତା ରହିବ । ଶିକ୍ଷା ବିଶ୍ୱକଲ୍ୟାଣ ପାଇଁ ଉତ୍ସର୍ଗିତ ହେବା ଉଚିତ । ଛାତ୍ରଠାରେ ଉତ୍ତମ ଗୁଣାବଳୀ ରହିଲେ ହିଁ ସେ ଜାତୀୟ ନିରାପତ୍ତା, ସମୃଦ୍ଧି ଓ କଲ୍ୟାଣ ଏବଂ ରାଷ୍ଟ୍ରର ଉନ୍ନତି ଓ ମାନବଜାତି ପ୍ରତି ପ୍ରେମ ପାଇଁ କାମ କରିପାରିବ । ଅତଏବ ମନୁଷ୍ୟକୁ ସମାଜର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ବୋଲି ପ୍ରତ୍ୟେକ ବିଶ୍ୱାସ କରିବା ଉଚିତ । "ହସ୍ତସ୍ୟ ଭୂଷଣଂ ଦାନଂ ସତ୍ୟ କଣ୍ଠସ୍ୟ ଭୂଷଣମ୍ । ଶ୍ରୋତ୍ରସ୍ୟ ଭୂଷଣଂ ଶାସ୍ତ୍ରଂ ଭୂଷଣୈଃ କିଂ ପ୍ରୟୋଜନମ୍ ।' କେବଳ ବିଦ୍ୟାରେ କୌଣସି ଫଳ ନାହିଁ । ରାବଣ ରାମଙ୍କ ପରି ବହୁ ବିଦ୍ୟା ଅଧ୍ୟୟନ କରିଥିଲା । ଶିକ୍ଷା ଦୃଷ୍ଟିରୁ ଦୁହେଁ ସମାନ ଥିଲେ । କିନ୍ତୁ ବାଲ୍ମିକୀ ରାବଣକୁ ମୂର୍ଖ ବୋଲି ବର୍ଣ୍ଣନା କରିଛନ୍ତି । ରାମଙ୍କୁ ପୂର୍ଣ୍ଣମାନବ ରୂପେ ବର୍ଣ୍ଣନା କରାଯାଇଛି । ଦୁହିଁଙ୍କ ମଧ୍ୟରେ ଏହି ପାର୍ଥକ୍ୟ ରହିଲା କେଉଁଠି ? ରାମ ନିଜର ଉପଲବ୍ଧ ସମସ୍ତ ଜ୍ଞାନକୁ ମହତ୍ ଉଦ୍ଦେଶ୍ୟରେ ଏବଂ ସମସ୍ତଙ୍କ କଲ୍ୟାଣ ପାଇଁ ବିନିଯୋଗ କରୁଥିଲେ । ତାଙ୍କର ଇନ୍ଦ୍ରିୟମାନଙ୍କ ଉପରେ ପ୍ରଭୁତ୍ୱ ଥିଲା । ସେ ତାଙ୍କର ଶାସକତ୍ୱ ତ୍ୟାଗ କରିଥିଲେ। ସେ ସତ୍ୟ ପାଇଁ ଶପଥ କରିଥିଲେ। ନିଜର ଜ୍ଞାନକୁ ସତ୍ୟ ପାଇଁ ମାନବଜାତି ଆଗରେ ଏକ ଆଦର୍ଶ ଜୀବନର ଦୃଷ୍ଟାନ୍ତ ରଖିଯିବା ପାଇଁ ଉତ୍ସର୍ଗ କରି ସେ ଦେଶର କଲ୍ୟାଣ ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିଲେ । ରାମ ନିଜର ତ୍ୟାଗ, ସତ୍ୟାନୁଶୀଳନ ଓ ନିଷ୍କଳଙ୍କ ଚରିତ୍ର ଦ୍ୱାରା ମାନବୀୟ ପରିପୂର୍ଣ୍ଣତାର ଆଦର୍ଶ ଥିଲେ । ଅପର ପକ୍ଷରେ ରାବଣ ନିଜର ସମସ୍ତ ଜ୍ଞାନ ଐନ୍ଦ୍ରିୟ ସୁଖଭୋଗରେ ବିନିଯୋଗ କରିଥିଲା । ସେ ନିଜ ଇନ୍ଦ୍ରିୟମାନଙ୍କର ଦାସ ହୋଇ ପଡ଼ିଥିଲା ଏବଂ ନିଜର ତଥା ନିଜ ଦେଶର ଧ୍ୱଂସକୁ ଡାକି ଆଣିଥିଲା । ଜଣେ ଯେତେ ଜ୍ଞାନ ଆହରଣ କଲେ ବି ତାହା ସମସ୍ତଙ୍କ ହିତ ପାଇଁ ପ୍ରୟୋଗ କରିବା ଉଚିତ । ତାହେଲେ ହିଁ ସେ ଜ୍ଞାନ-ସମ୍ପନ୍ନ ହୋଇ ପାରିବ । ଏପରି ଜ୍ଞାନୀଜନ ସମସ୍ତ ସଦଗୁଣରେ ଅଳଙ୍କୃତ ହେବା ଉଚିତ । ଏହି ମହତ୍ ଅଭିପ୍ରାୟରେ ପ୍ରାଚୀନ ଶିକ୍ଷାପଦ୍ଧତି ପ୍ରଚଳିତ ଥିଲା । ଆଜି ଛାତ୍ରମାନେ ଯାହା ସବୁ ଶିଖୁଛନ୍ତି ତାହା ଭାରତୀୟ ଶିକ୍ଷାପଦ୍ଧତି ସହିତ ଅସମ୍ପୃକ୍ତ । ଯେଉଁ ଶିକ୍ଷାପଦ୍ଧତି ମନକୁ ଭୃତ୍ୟଭାବାପନ୍ନ ପରି ପକାଏ ଏବଂ ଚାକିରି ଖୋଜିବାର ମନୋବୃତ୍ତି ସୃଷ୍ଟି କରେ, ତାହାର ଭାରତୀୟ ଶିକ୍ଷା ସହିତ କୌଣସି ସମ୍ପର୍କ ନାହିଁ ।
ମୋ : ୯୪୩୭୦୫୧୯୫୭