ବାଚସ୍ପତି ସମ୍ମିଳନୀରେ ଯୋଗଦେଲେ ସୁରମା
ଭୁବନେଶ୍ୱର : ଓଡ଼ିଶା ବିଧାନସଭାର ବାଚସ୍ପତି ସୁରମା ପାଢ଼ୀ ଦୁଇଦିନିଆ ଭୋପାଳ ଗସ୍ତରେ ଯାଇ ସେଠାରେ ‘ବିଧାନସଭାରେ କମିଟି ବ୍ୟବସ୍ଥାର କାର୍ଯ୍ୟକାରିତା ଓ ଏହାକୁ କିପରି ଅଧିକ ପ୍ରଭାବୀ କରାଯାଇପାରିବ’ ସେ ସମ୍ପର୍କିତ ସମୀକ୍ଷା ବୈଠକରେ ଯୋଗ ଦେଇଛନ୍ତି । ମଧ୍ୟପ୍ରଦେଶ ବିଧାନସଭାର ବାଚସ୍ପତି ନରେନ୍ଦ୍ର ସିଂ ତୋମାରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବାଚସ୍ପତି ସମ୍ମିଳନୀରେ ପଶ୍ଚିମବଙ୍ଗ, ରାଜସ୍ଥାନ, ଉତ୍ତରପ୍ରଦେଶ, ସିକିମ୍, ହିମାଚଳ ପ୍ରଦେଶ ସମେତ ଓଡିଶା ଭଳି ୭ ରାଜ୍ୟର ବାଚସ୍ପତି ଯୋଗଦେଇଛନ୍ତି ।
ମଧ୍ୟପ୍ରଦେଶର ରାଜଧାନୀ ଭୋପାଳର ବିଧାନସଭାଠାରେ ଆୟୋଜିତ ଏହି ସମ୍ମିଳନୀ ଅବସରରେ ଯୋଗଦେଇ ବାଚସ୍ପତି ସୁରମା ପାଢ଼ୀ କହିଲେ ଯେ ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥାରେ ବିଧାନସଭା କମିଟିର ଭୂମିକା ଗୁରୁତ୍ୱପୂର୍ଣ୍ଣ । ବିଧାନସଭାର କମିଟିଗୁଡିକ ଶାସନ ବ୍ୟବସ୍ଥାର ସଠିକ୍ କାର୍ଯ୍ୟକାରିତାକୁ ସମ୍ପୂର୍ଣ୍ଣ ଭାବେ ତର୍ଜମା କରୁଥିବାବେଳେ ରାଜ୍ୟର ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିଥାଆନ୍ତି । କମିଟି ସବୁ ନିୟମିତ ଓ ନିରନ୍ତର ଭାବେ ରାଜ୍ୟର ବିଭିନ୍ନ ଜିଲ୍ଲା ଗସ୍ତ କରି ଯୋଜନାର ସଠିକ୍ ରୂପାୟନ ଦିଗ ପ୍ରତି ଦୃଷ୍ଟି ଦେଇଥାଆନ୍ତି ।
ଓଡିଶାରେ ୪ଟି ଆର୍ଥିକ କମିଟି, ଆକାଉଣ୍ଟ କମିଟି, ଏଷ୍ଟିମେଟ୍ କମିଟି, ପବ୍ଲିକ୍ ଅଣ୍ଡରଟେକିଙ୍ଗ୍ କମିଟି, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ କମିଟି ସମେତ ୧୦ଟି ସ୍ଥାୟୀ କମିଟି, ୧୨ଟି ହାଉସ୍ କମିଟି, ୫ଟି ଆଇନ ଅନୁଯାୟୀ ଗଠିତ କମିଟି ଓ ଆମେନିଟିଜ୍ କମିଟି ସମେତ ଆଡ୍ହକ୍ କମିଟି ସକି୍ରୟ ଭାବେ କାର୍ଯ୍ୟ କରୁଛି । ଓଡିଶା ବିଧାନସଭାର କମିଟି ବ୍ୟବସ୍ଥା ଖୁବ୍ ପ୍ରଭାବଶାଳୀ ଭାବରେ କାର୍ଯ୍ୟ କରୁଥିବାବେଳେ ଆଗାମୀ ଦିନରେ ଏହା କିପରି ଅଧିକ ସକି୍ରୟ ଓ ତ୍ୱରାନ୍ୱିତ ହୋଇ ଜନସାଧାରଣଙ୍କ ଆସ୍ଥାଭାଜନ ହୋଇପାରିବ ସେଥିପ୍ରତି ଆମେ ପ୍ରତିଶ୍ରୁତିବଦ୍ଧ ବୋଲି ବାଚସ୍ପତି ଶ୍ରୀମତୀ ପାଢ଼ୀ ଉଲ୍ଲେଖ କରିଥିଲେ ।