ବାଟବଣା ଗାଁ କଲ୍ୟାଣ ସମିତି ଯୋଜନା!

ତାଳଚେର: ଗ୍ରାମାଞ୍ଚଳର ବିକାଶ ପାଇଁ ରାଜ୍ୟ ସରକାର ଗାଁ କଲ୍ୟାଣ ସମିତି ମାଧ୍ୟମରେ ବିଭିନ୍ନ ପଞ୍ଚାୟତକୁ କିଛି ଅର୍ଥ ଯୋଗାଇ ଦେଇଥାନ୍ତି । ହେଲେ ଏହି ଯୋଜନାରେ ଆସୁଥିବା ଅର୍ଥ କୌଣସି ଜନହିତକର କାର୍ଯ୍ୟରେ ଲାଗୁନଥିବାବେଳେ ବାଟବଣା ହେଉଥିବା ଅଭିଯୋଗ ହୋଇଛି ।
ଜାତୀୟ ଗ୍ରାମ୍ୟ ସ୍ୱାସ୍ଥ୍ୟ ମିଶନ ଜରିଆରେ ଗ୍ରାମାଞ୍ଚଳ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରି ସୁନ୍ଦର ପରିବେଶ ସହ ଗ୍ରାମ ଗୁଡ଼ିକୁ ସଫାସୁତରା କରିବା ଉଦେ୍ଦଶ୍ୟରେ ସରକାରଙ୍କ ପକ୍ଷରୁ ଗାଁ କଲ୍ୟାଣ ସମିତ ଗଠନ ହୋଇଛି । ଏହି ସମିତି ଗାଁରେ ପରିଷ୍କାର ପରିଚ୍ଛନ୍ନ ସହ ସ୍ୱାସ୍ଥ୍ୟ ସଚେତନତା ବାର୍ତ୍ତାର ପ୍ରସାର କରି ଅସହାୟଙ୍କୁ ସାହାଯ୍ୟ କରିବାରେ ଏହାର ମୁଖ୍ୟଲକ୍ଷ୍ୟ । ତାଳଚେର ଉପଖଣ୍ଡର ଦୁଇଟି ବ୍ଲକ ତାଳଚେର ଓ କଣିହାଁରେ ୪୮ଟି ପଞ୍ଚାୟତର ରହିଛି । ବିଭିନ୍ନ ଗ୍ରାମରେ ଗାଁ କଲ୍ୟାଣ ନିମନ୍ତେ ଗାଁ କଲ୍ୟାଣ ସମିତି ଗଠନ ହୋଇଛି । ହେଲେ ସମିତିକୁ ଆସୁଥିବା ଅର୍ଥ ସୂଚାରୂପେ ସମିତିମାନଙ୍କୁ ବଣ୍ଟନ ହେଉଥିବା ବେଳେ ଏହି ଅର୍ଥ କୌଣସି ଜନହିତକର କାର୍ଯ୍ୟରେ ଆସୁନଥିବା ଅଭିଯୋଗ ହେଉଛି । ଫଳରେ ରାଜ୍ୟ ସରକାରଙ୍କର ମହତ ଯୋଜନା ଏଠାରେ ବାଟବଣା ହୋଇଥିବା କୁହାଯାଉଛି । ସମିତିରେ ଗ୍ରାମର ତିନିମୁଖ୍ୟଙ୍କ ସହ ୱାର୍ଡ଼ସଭ୍ୟ, ଆଶାକର୍ମୀ ରହିବାର ଆବଶ୍ୟକତା ରହିଛି । ଏହାର ପରିଚାଳନା ପାଇଁ ମାସିକ ବୈଠକ ହେବାର ମଧ୍ୟ ବ୍ୟବସ୍ଥା ରହିଛି । ଏଥିପାଇଁ ପ୍ରତି ସମିତିକୁ ୧୦ହଜାର ଟଙ୍କା ଅନୁଦାନ ମିଳିଥାଏ । ମାସିକ ବୈଠକରେ ଏହି ଅର୍ଥରୁ ଆଶାକର୍ମୀଙ୍କୁ ୧୫୦ଟଙ୍କା, ଅଙ୍ଗନାବାଡ଼ି କର୍ମୀ ୧୦୦ଟଙ୍କା ଓ ୱାର୍ଡ଼ସଭ୍ୟଙ୍କୁ ୫୦ଟଙ୍କା ମିଳିଥାଏ । ବଳକା ଟଙ୍କାରେ ଗାଁର ପ୍ରବେଶ ଦ୍ୱାରରେ ସ୍ୱାସ୍ଥ୍ୟ ସଚେତନତା ପ୍ରଚାର, ଅଳିଆକୁଣ୍ଡ, ସରକାରୀ କୂଅରେ ବ୍ଲିଚିଙ୍ଗ ପକାଇବା ଓ ଗାଁକୁ ସଫାସୁତରା ରଖିବା ମୂଳଲକ୍ଷ୍ୟ ବୋଲି କୁହାଯାଉଛି । ମାତ୍ର ସରକାର ଦେଉଥିବା ଏହି ଅର୍ଥରାଶି କୌଣସି କାର୍ଯ୍ୟରେ ନ ଲାଗି କୁଆଡ଼େ କେବଳ କାଗଜପତ୍ରରେ ଉପଖଣ୍ଡରେ ଏସବୁ କାର୍ଯ୍ୟ ହେଉଥିବା ଦର୍ଶାଇ ଆସୁଥିବା ଟଙ୍କାକୁ ବାଟମାରାଣା ହେଉଛି ବୋଲି ଅଭିଯୋଗ ହେଉଛି । ତେବେ ବର୍ତ୍ତମାନ ତାଳଚେର ଅଞ୍ଚଳରେ ଡ଼େଙ୍ଗୁର ଭୟ ରହିଥିବା ବେଳେ ଗ୍ରାମାଚଂଳ ଗୁଡିକରେ ଘାସବୁଦା, ଅନାବନା ଗଛଲତା, ଡ଼୍ରେନେଜ ବ୍ୟବସ୍ଥା, ବିପର୍ଯ୍ୟ ଅବସ୍ଥାରେ ପଡ଼ି ରହିଥିବା ଦେଖିବାକୁ ମିଳିଛି । ଆସୁଥିବା ସରକାରୀ ଅନୁଦାକୁ ସଠିକ୍ ଭାବେ ଖର୍ଚ୍ଚ ହେଉଛି କି ନାହିଁ ଉପଖଣ୍ଡରେ ତାର ତଦାରଖ କରାଯାଉ ନାହିଁ । ତେବେ ଜିଲ୍ଲାପାଳ ଏଥିପ୍ରତି ଦୃଷ୍ଟି ଦେଇ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ, ଏସମସ୍ୟା ଗୁଡ଼ିକର ସମାଧାନ ହୋଇପାରିବ ବୋଲି ସାଧାରଣରେ ଚର୍ଚ୍ଚା ହୋଇଛି ।