ନବ ବର୍ଷ ପାଇଁ ଚଳଚଞ୍ଚଳ ପର୍ଯ୍ୟଟନସ୍ଥଳି

ନୀଳଗିରି : ଶୀତୁଆ ପରିବେଶରେ ନୂଆ ଆଶା ନେଇ ୨୦୨୫ ନୂଆବର୍ଷକୁ ଧୁମ୍ଧାମରେ ମନାଇବା ପାଇଁ ସମସ୍ତଙ୍କ ମନରେ ଭରି ରହିଛି ଉକôଣ୍ଠା । ଚଳଚଞ୍ଚଳ ହୋଇ ଉଠିଛି ନୀଳଗିରିର ଅନେକ ପର୍ଯ୍ୟଟନ ସ୍ଥଳୀ । ତୃତୀୟ ଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିର ସହିତ ପ୍ରାକୃତିକ ପ୍ରାଚୁର୍ଯ୍ୟତାର ଗନ୍ତାଘର ନୀଳଗିରିର ପଞ୍ଚଲିଙ୍ଗେଶ୍ୱର, ସବୁଜ ବନାନୀ ସହିତ ବିସ୍ତୀର୍ଣ୍ଣ କୁଲଡିହା ଅଭୟାରଣ୍ୟ ସମେତ ନୀଳଗିରି ଅଧିଷ୍ଠାତ୍ରୀ ଦେବୀ ମା’ଭୂଧାରଚଣ୍ଡୀଙ୍କ ପୀଠରେ ଶହଶହ ପର୍ଯ୍ୟଟକଙ୍କ ଆଗମନ ହୋଇଛି ।
ନୀଳଗିରି ନିକଟ ଦେବଗିରି ପର୍ବତମାଳାର ଏକ ଚିରସ୍ରୋତା ଝରଣାର ପଥର ଖୋଲ ମଧ୍ୟରେ ଆବିର୍ଭୂତ ବାବା ପଞ୍ଚଲିଙ୍ଗେଶ୍ୱର ଶୈବ ପୀଠରେ ଜମୁଛି ପର୍ଯ୍ୟଟକଙ୍କ ଭିଡ । ଶ୍ରଦ୍ଧାଳୁମାନେ ୨୬୩ ଗୋଟି ପାହାଚ ଅତିକ୍ରମ କରି ମହାଦେବଙ୍କୁ ପୂଜାର୍ଚ୍ଚନା କରିବା ସହ ଏଠିକାର ପ୍ରକୃତିକ ସୌନ୍ଦର୍ଯ୍ୟ ଉପଭୋଗ କରିବା ସହିତ ଶୈବପୀଠର ପାଦଦେଶରେ ବଣଭୋଜିର ମଜା ନେଇ ଫେରିଥାନ୍ତି । ପର୍ଯ୍ୟଟକଙ୍କ ରାତ୍ରି ଯାପନ ପାଇଁ ପର୍ଯ୍ୟଟନ ବିଭାଗ ପକ୍ଷରୁ ପାନ୍ଥନିବାସ, ଏକାଧିକ ଘରୋଇ ଲଜର ସୁବିଧା ଥିବାରୁ ଆସ୍ତେ ଆସ୍ତେ ଭିଡ ଜମିବାରେ ଲାଗିଲାନି । କୁଲଡିହା ଅଭୟାରଣ୍ୟ ପ୍ରକୃତିପ୍ରେମୀ ଓ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ବନ ବିଭାଗ ପକ୍ଷରୁ ଗୋହିରାଭୋଳ ଠାରେ ରାତ୍ରିଯାପନ ପାଇଁ ‘ରିସିଆ ପ୍ରକୃତି ନିବାସ’ରେ ୯ଟି ତମ୍ବଘର, ପିଇବା ପାଣି, ଶୌଚାଳୟ ଏବଂସୌର ଆଲୋକର ବ୍ୟବସ୍ଥା ସହିତ ରୁଚିକର ଖାଦ୍ୟ ନିଆରା ମଜା ପର୍ଯ୍ୟଟକମାନଙ୍କୁ ଅଧିକ ଆକର୍ଷିତ କରିଛି । ପର୍ଯ୍ୟଟକମାନେ ବୁଲିବା ସମୟରେ ବଣ ପାହାଡ ଅଭୟାରଣ୍ୟର ଅପରୂପ ସୌନ୍ଦର୍ଯ୍ୟ ସହ ପଶୁପକ୍ଷୀଙ୍କୁ ଅତି ନିକଟରୁ ଦେଖିବାର ବ୍ୟବସ୍ଥା ରହିଛି । ଅଭୟାରଣ୍ୟକୁ ଲାଗିରହିଥିବା ଡ୍ୟାମ୍ ସାତଘାଟି, ରିସିଆ, ଜଡ଼ାଚୁଆ ଅଞ୍ଚଳରେ ଆସିଥିବା ପର୍ଯ୍ୟଟକ ବିଭିନ୍ନ ବନ୍ୟଜନ୍ତୁ ସମେତ ବିଭିନ୍ନ ପ୍ରଜାତିର ରଙ୍ଗବେରଙ୍ଗର ଦେଶୀ ଓ ବିଦେଶୀ ପକ୍ଷୀଙ୍କ ଅବାଧ ବିଚରଣ ରୋମାଞ୍ଚକର ଅନୁଭୂତି ନେଇଥାନ୍ତି । କୁଲଡିହା ଅଭୟାରଣ୍ୟ ଭିତରେ ବଣଭୋଜିର ଅନୁମତି ନଥିବାରୁ କେହି କେହି ରିଷିୟା ଡେମ୍ ନିକଟରେ ବଣଭୋଜିର ମଜା ନେଉଥିବା ଦେଖିବାକୁ ମିଳିଛି ।