ବାଟବଣା ‘ବସୁଧା’ ଯୋଜନା ଦଶ ଦିନ ହେବ ମିଳୁନି ପିଇବା ପାଣି
କାକଟପୁର: ଅସ୍ତରଙ୍ଗ ବ୍ଳକ ପାଟଳଦା ଗ୍ରାମପଞ୍ଚାୟତର ଆଦିକନ୍ଦ ପୁର ଗ୍ରାମ । ଯେଉଁଠି ପାଖା ପାଖି ତିନିସହ ଲୋକ ପିଇବା ପାଣି ଟିକେ ପାଇଁ ଡହଳ ବିକଳ ହେଉଛନ୍ତି । ଏହି ପିଇବା ପାଣି ସଂକଟ ଦୂର କରିବା ପାଇଁ ବିଜେଡି ସରକାର ୨୦୦୫ମସିହା ରେ ରାଜ୍ୟର ସର୍ବ ବୃହତ୍ତ ଗ୍ରାମାଞ୍ଚଳ ପାନୀୟ ଜଳଯୋଗାଣ ପ୍ରକଳ୍ପ ଆରମ୍ଭ କରିଥିଲେ । ପ୍ରାଚୀ ନଦୀରୁ ପାଣି ଉଠାଇ ଏକ ବିଶୋଧନ ପ୍ଲାଣ୍ଟରେ ବିଶୋଧନ କରାଯାଇ ବସୁଧା ଯୋଜନାରେ ପାଇପି ଯୋଗେ ଯୋଗାଇ ଦିଆଯାଉଛି । କିନ୍ତୁ ବିଭାଗୀୟ ଅଧିକାରୀ ଏବଂ ଗୁଡୁବଣି ଠାରେ ଥିବା ଟାଙ୍କିର ପରିଚାଳନା ଦାୟିତ୍ୱରେ ଥିବା କର୍ମଚାରୀଙ୍କ ମନମୁଖୀ କାର୍ଯ୍ୟ କାରଣରୁ ପିଇବାପାଣି ଗ୍ରାମର ଲୋକମାନଙ୍କ ପାଖରେ ପହଞ୍ଚି ପାରୁନାହିଁ । ଯେଉଁଥି ପାଇଁ ଲୋକମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ଯେହେତୁ ବିଭାଗ ପକ୍ଷରୁ ଯୋଗାଇ ଦିଆଯାଉଥିବା ପାଣି କେତେବେଳେ ଆସିବ କେବେ ଆସିବ ତାର କିଛି ସମୟ ନିର୍ଦ୍ଧାରିତ ନାହିଁ ଲୋକମାନେ ହାଣ୍ଡି, ବାଲ୍ଟି ଧରି ଟ୍ୟାପ ପାଖରେ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କଲା ପରେ ନିରାଶ ହେବାକୁ ପଡିଥାଏ । ଯେବେ ପାଣି ଆସେ ବହୁତ ଧୀରେ ଧୀରେ ଓ ଅଳ୍ପ ସମୟ ପାଇଁ ଆସିଥାଏ । ସେହି ସମୟରେ କିଏ ପାଣି ନେବ ସେହି କାରଣକୁ ନେଇ ନିଜ ନିଜ ଭିତରେ ପ୍ରତିଯୋଗିତା ତା ପରେ ସଂଘର୍ଷର ରୂପ ନେଇଥାଏ । ବିଶେଷ କରି ପିଇବା ପାଣି ଗତ ଦଶ ଦିନ ହେଲାଣି ବିନା କୌଣସି ସୂଚନାରେ ବନ୍ଦ କରିଦିଆ ଯାଇଛି । ଗ୍ରାମରେ ଥିବା ନଳ କୂପରୁ ଲୁଣି ଏବଂ ଆଇରନ ପାଣି ବାହାରି ଥିବାରୁ ତାହା ବ୍ୟବହାର ଯୋଗ୍ୟ ନୁହେଁ । ସେହି ସମୟରେ ଲୋକମାନେ ଜାରକୀନ, ବୋତଲ ଧରି ଦୁଇ କିଲୋମିଟର ଦୂର ଯାଆନ୍ତି ପାଣି ଆଣିବାକୁ । ଯେଉଁ ମାନେ ବୃଦ୍ଧ, ରୋଗୀ ,ମହିଳା ସେମାନେ ଏତେ ଦୂରରୁ ପାଣି ଆଣି ନପାରି ସେହି ଆଇରନ ପାଣିକୁ ବ୍ୟବହାର କରି ବିଭିନ୍ନ ପେଟ ରୋଗରେ ପୀଡ଼ିତ ହେଉଛନ୍ତି । ଏ ବିଷୟରେ ବିଭାଗୀୟ ଯନ୍ତ୍ରୀ ସତ୍ୟ ମହାନ୍ତିଙ୍କୁ ପଚାରିବାରେ କେତେବେଳେ କେଉଁ ମନ୍ତବ୍ୟ ଦିଅନ୍ତି ସେ ନିଜେ ଜାଣିପାରନ୍ତି ନାହିଁ । କେତେବେଳେ କୁହନ୍ତି ମୁଁ ଜାଣିନି, ବୁଝିକି କହିବି ଏବେ କହୁଛନ୍ତି ଟାଙ୍କି ସଫା ହେଉଚି ସେଇଥିପାଇଁ ଗ୍ରାମରେ ପାଣି ପହଁଚି ପାରୁ ନାହିଁ । ରାଜ୍ୟ ସରକାର, ଜିଲ୍ଲା ପ୍ରଶାସନ, ବ୍ଲକ ପ୍ରଶାସନ ପାଣି ଯୋଗେଇଦେବା ପାଇଁ ସମୟ ଧାର୍ଯ୍ୟ, ନିୟମିତ ଜଳ ଯୋଗାଣ, କୌଣସି କାରଣ ବସତ ଯଦି ଜଳ ଯୋଗାଣ ବନ୍ଦ ରୁହେ ତାହାଲେ ଆଦିକନ୍ଦ ପୁର ଗ୍ରାମବାସୀଙ୍କୁ ପୂର୍ବ ସୂଚନା ଦେବା, ଏବଂ ଟାଙ୍କି ଦ୍ୱାରା ଗ୍ରାମକୁ ଜଳ ଯୋଗାଇବା ପାଇଁ ବ୍ୟବସ୍ଥା କରିବା, ପାନୀୟ ଜଳ ଅପବ୍ୟବହାରକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବା, ଓ ଗ୍ରାମବାସୀ ଭୋଗୁଥିବା ଜଳ କଷ୍ଟକୁ ଆଖି ଆଗରେ ରଖି ଜଳଯୋଗାଣର ସୁ ପରିଚାଳନା କରିବାକୁ ଗ୍ରାମବାସୀ ଦାବି କରିଛନ୍ତି ।