ବିଶ୍ୱାଳ ସାହି-ବେହେରା ସାହି ରାସ୍ତା ଶୋଚନୀୟ
ବରୀ : ବର୍ଷାଦିନ ଆଗରୁ ଅସଜଡ଼ା ରାସ୍ତା ସଜାଡ଼ିବାକୁ ନିଦେ୍ର୍ଦଶ ରହିଛି । ବିଶେଷ କରି ନଦୀକୂୂଳ ଅଞ୍ଚଳ ରାସ୍ତା ମରାମତି ବା ନିର୍ମାଣକୁ ଗୁରୁତ୍ୱ ଦେବାକୁ ସରକାରୀ ନିଦେ୍ର୍ଦଶ ରହିଛି । ହେଲେ ପୂର୍ତ୍ତ ବିଭାଗ କିନ୍ତୁ ଖାମଖିଆଲ ହୋଇପଡ଼ିଛି । ଯାହାଫଳରେ ସାମାନ୍ୟ ବର୍ଷାରେ ବିଶ୍ୱାଳ ସାହି-ବେହେରା ସାହି ରାସ୍ତା କାଦୁଅରେ ଭର୍ତ୍ତି ହୋଇପଡ଼ିଛି । ବରୀ ବ୍ଲକ ଭଅଁରା ପଞ୍ଚାୟତର ଚଟୁମାରୀ ଗ୍ରାମର ବିଶ୍ୱାଳ ସାହି ଠାରୁ ସଙ୍ଗୁଅଗଦେଇପୁର ଗ୍ରାମର ବେହେରା ସାହି ପର୍ଯ୍ୟନ୍ତ ରାସ୍ତାକୁ କେହିବି ଦେଖିଲେ ଏହା ଏକ ସଡ଼କପଥ ବୋଲି ବିଶ୍ୱାସ କରିବନି । ଶୋଚନୀୟ ହୋଇପଡ଼ିଥିବା ରାସ୍ତାରେ ଯାତାୟତ କରିବା କଷ୍ଟକର ହୋଇପଡ଼ିଛି । ପ୍ରତ୍ୟେକ ଦିନ ଏହି ରାସ୍ତା ଲୋକମାନଙ୍କ ସହିତ ସ୍କୁଲ, କଲେଜକୁ ଛାତ୍ର ଓ ଛାତ୍ରୀ ଯାତାୟତ କରିଥାନ୍ତି । ପୂର୍ତ୍ତ ବିଭାଗ ଅଧିନରେ ଥିବା ରାସ୍ତାଟି ମରାମତି ନହେବା ଫଳରେ ବହୁ ସ୍ଥାନରେ ଗାଢ଼ ସୃଷ୍ଟି ହେଉଛି । ବିଭାଗ ରାସ୍ତା ପ୍ରତି ଦୃଷ୍ଟି ଦେଇ ମରାମତି କରିବାକୁ ଗ୍ରାମବାସୀ ଦାବି କରିଛନ୍ତି ।