ବାଲି ଓ ପୂର୍ବ ଶତ୍ରୁତାରୁ ଗଣ୍ଡଗୋଳ
ଜଗତସିଂହପୁର : ଜଗତସିଂହପୁର ଜିଲ୍ଲା ସଦର ଥାନା କାଠିଆ ପଡା ଦାସ ସାହି ଗାଁରେ ଅଘଟଣ । ବାଲି ପକା ସହିତ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ ଘଟିବା ସହ ମାରଣାସ୍ତ୍ର ଆକ୍ରମଣରେ ଉଭୟ ପକ୍ଷରୁ ୫ ଗୁରୁତର ଓ ୪ ଜଣ ଆହତ ହୋଇଛନ୍ତି । ଗୁରୁତରଙ୍କୁ ପ୍ରଥମେ ଜଗତସିଂହପୁର ଓ ପରେ କଟକ ସ୍ଥାନାନ୍ତର କରାଯାଇଛି । ଗତକାଲି ବିଳମ୍ବିତ ରାତିରେ ଏହି ସଂଘର୍ଷ ଘଟିଛି । ଦାସ ସାହି ଗାଁର ମଧୁ ଦାସ, ପ୍ରମୋଦ ଦାସ ଓ ବିଦ୍ୟାଧର ଦାସଙ୍କ ପରିବାର ମଧ୍ୟରେ ପୂର୍ବରୁ ଶତ୍ରୁତା ଲାଗିରହିଥିଲା । ଗତକାଲି ସନ୍ଧ୍ୟାରେ କଥା କଟା କଟିକୁ ନେଇ ଉଭୟ ପରିବାରର ମହିଳାଙ୍କ ମଧ୍ୟରେ ବଚଷା ହୋଇଥିବା ବେଳେ, ବିଳମ୍ବିତ ରାତିରେ ଏହି ଘଟଣା ଉଗ୍ର ରୂପ ନେଇଥିଲା । ଉଭୟ ତିନି ପରିବାରର ମହିଳା ଓ ପୁରୁଷ ପୁନର୍ବାର ପାଟିତୁଣ୍ଡ କରିବା ସହିତ ଖଣ୍ଡା, ଭୁଜାଲି, ପନିକି, କଟୁରୀରେ ମରଣାନ୍ତକ ଟେକା ହୋଇଥିବେବେଳେ, ଟେକା ପଥର ମାଡ଼ କରିଥିଲେ । ଫଳରେ ଉଭୟ ପରିବାରରୁ ୫ ଜଣ ଗୁରୁତର ହୋଇଥିବା ବେଳେ, କିଛି ଗ୍ରାମବାସୀ ଗଣ୍ଡଗୋଳକୁ ସମାଧନ କରିବାକୁ ଆସି ଆହତ ହୋଇଛନ୍ତି । ଆହତଙ୍କ ସାଗର ଦାସ ଓ ବିଦ୍ୟାଧର ଦାସ ସମାଧାନ କରିବାକୁ ଆସି ଗୁରୁତର ଆହତ ହୋଇଥିଲେ । ଆହତଙ୍କୁ କଟକ ବଡ ମେଡିକାଲକୁ ପଠାଇଦିଆଯାଇଛି । କାଠିଆ ପଡାର ସସ୍ମିତା ଦାସ ଜଗତସିଂହପୁର ଥାନାରେ ଲିଖିତ କରିଥିବାବେଳେ, ଅନ୍ୟ ପକ୍ଷରୁ କୌଣସି ଏତାଲା ହୋଇ ନଥିବା ସୂଚନା ମିଳିଛି । ଘଟଣା ସ୍ଥଳରେ ଜଗତସିଂହପୁର ପୋଲିସ ପହଞ୍ଚି ତଦନ୍ତ ଚଳାଇଥିବା ଜଣାପଡିଛି ।