ବାଲିଚୋରି ରୋକିବାରେ ପୁଲିସ ବିଫଳ
ଭଣ୍ଡାରିପୋଖରୀ : ଭଣ୍ଡାରିପୋଖରୀ ଥାନା ଅଞ୍ଚଳରୁ ବାଲିଚୋରି ଓ ବେଆଇନ ପରିବହନରେ ବିରାମ ଲାଗିପାରୁ ନାହିଁ । ବାଡ କ୍ଷେତ ଖାଇଲା ଭଳି ବାଲି ଚୋରିରେ ପୁଲିସର ଭୂମିକା ସର୍ବଦା ସନେ୍ଦହ ଘେରରେ ରହିଛି । ସ୍ଥାନୀୟ ଅଞ୍ଚଳର କୁଖ୍ୟାତ ବାଲି ମାଫିଆଙ୍କ ସହ ପୁଲିସର ମଧୁଚନ୍ଦି୍ରକା ତୁଟୁ ନାହିଁ । ଅସାଧୁ ପୁଲିସ କର୍ମଚାରୀଙ୍କ ଦ୍ୱାରା କବଳିତ ଥାନା ବାଲିମାଫିଆମାନଙ୍କ ବନ୍ଧୁଘର ପାଲଟିଛି । ବୈତରଣୀ ନଦୀର ଦକ୍ଷିଣପାଶ୍ୱର୍ ସାଳବା ଘାଟରୁ ବାଲି ଉତ୍ତୋଳନ ନାମରେ ମଞ୍ଜୁରୀରୋଡ ଫାଣ୍ଡି ଅନ୍ତର୍ଗତ ବାବଲପୁର ସୀମାରୁ ବିପୁଳ ଭାବେ ଉତ୍ତୋଳନ ହେଉଛି । ଲଘୁଖଣିଜ ଅଧିକାରୀମାନେ ଏହାକୁ ଦେଖି ନଦେଖିଲା ପରି ଆଡେଇ ଯାଉଛନ୍ତି । ଅନ୍ୟପକ୍ଷରେ ଏହି ଘାଟରୁ ଉତ୍ତୋଳିତ ବାଲି ମଞ୍ଜୁରୀରୋଡ ଅଞ୍ଚଳକୁ ବ୍ୟାପକ ଭାବେ ପରିବହନ ହେଉଛି । ସେହିପରି ବାଲିପୋଖରୀ ଏସକେପ ସମ୍ମୁଖରୁ ବାଲି ଉତ୍ତୋଳନ ଯଥାରୀତି ଚାଲୁଛି । ମଣିନାଥପୁର, ମୁଢ଼ାପଦା, ଦାଣ୍ଡକୂଳ, ତିଖିଲିଆ ଆଦି ଅଞ୍ଚଳରୁ ବାଲି ଉତ୍ତୋଳନ ବେଆଇନ ଭାବେ କରାଯାଉଛି । ଭଣ୍ଡାରିପୋଖରୀ-ମଣିନାଥପୁର ପୁର୍ତ୍ତରାସ୍ତା ଦେଇ ଦୈନିକ ୪୦ ରୁ ଅଧିକ ହାଇୱା ବେଆଇନ ବାଲି ପରିବହନ କରୁଛନ୍ତି । ଯେତେ କଟକଣା ହେଲେ ବି କୁଖ୍ୟାତ ମାଫିଆମାନଙ୍କ ବାଲି ବ୍ୟବସାୟରେ କୌଣସି ଆଞ୍ଚ ଆସୁନାହିଁ । ପୁଲିସ ଉଚ୍ଚ କର୍ତ୍ତୃପକ୍ଷଙ୍କ ଉଦାସୀନତା ଯୋଗୁଁ ସ୍ଥାନୀୟ ପୁଲିସ ବାଲିମାଫିଆଙ୍କ ସାଥ ଦେଉଛି ବୋଲି ସାଧାରଣରେ ମତ ପ୍ରକାଶ ପାଇଛି । ସାଳବା ଘାଟରୁ ବାଲି ଉତ୍ତୋଳନ ।