ବାହାର ଠିକାଦାରଙ୍କୁ ଠାବ କର : ମୁଖ୍ୟମନ୍ତ୍ରୀଙ୍କ ଚିଠି

ବାହାର ଠିକାଦାରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଟାର୍ଗେଟ । ୧୦ ବର୍ଷର ଫାଇଲ୍ ଖୋଜି ଇଞ୍ଜିନିୟରିଂ କାମ କରୁଥିବା ଆଉଟସୋର୍ସିଂ ସଂସ୍ଥାକୁ ଠାବ କରିବାକୁ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖି ରିପୋର୍ଟ ମାଗିଛନ୍ତି ମୁଖ୍ୟମନ୍ତ୍ରୀ । ସରକାରଙ୍କ ନିଜସ୍ୱ ଇଞ୍ଜିନିୟରିଂ ବିଭାଗ ଏବଂ ଦକ୍ଷ ଇଞ୍ଜିନିୟର ଥାଉ ଥାଉ କାହିଁକି ଆଉଟ୍ ସୋର୍ସିଂ ସଂସ୍ଥାକୁ କାମ ଦିଆଯାଇଛି ବୋଲି ପ୍ରଶ୍ନ କରିଛନ୍ତି । ମୁଖ୍ୟମନ୍ତ୍ରୀ ଚିଠିରେ ସ୍ପଷ୍ଟ ଭାବେ ଲେଖିଛନ୍ତି ଯେ, ଆମର ଯାନ୍ତ୍ରିକ ବିଭାଗ ଗୁଡ଼ିକରେ ସର୍ଭେ, ଅନୁସନ୍ଧାନ, ଡିଜାଇନ, ଏଷ୍ଟିମେଟ୍ ଆଦି ପ୍ରାରମ୍ଭିକ କାର୍ଯ୍ୟଗୁଡ଼ିକ ପାଇଁ ସ୍ବତନ୍ତ୍ର ଉପବିଭାଗ ଅଛି । କିଛି ବର୍ଷ ପୂର୍ବରୁ ସରକାରୀ ଯନ୍ତ୍ରୀମାନେ ଏ ସମସ୍ତ କାମ ତୁଲାଉଥିଲେ । ଏବେ କାହିଁକି ଆଉଟସୋର୍ସିଂ ମାଧ୍ୟମର ଅଭ୍ୟୂଦୟ ହେଲା ବୋଲି ପ୍ରଶ୍ନ କରିଛନ୍ତି ମୁଖ୍ୟମନ୍ତ୍ରୀ । ବିଗତ ୧୦ ବର୍ଷ ଭିତରେ କେଉଁ ବିଭାଗକୁ, କେଉଁ ବେସରକାରୀ ସଂସ୍ଥାଗୁଡ଼ିକୁ ଆଉଟସୋର୍ସିଂ ମାଧ୍ୟମରେ କେଉଁ ପ୍ରକାର କାମ ଦିଆଯାଇଛି, ତା’ର ତଥ୍ୟ ସଂଗ୍ରହ କରି ସମୀକ୍ଷା କରିବାକୁ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ।