ବାହୁଡ଼ା ଯାତ୍ରା ପ୍ରକ୍ରିୟା ଆରମ୍ଭ : ନାକଚଣା ଦ୍ୱାର ସମ୍ମୁଖରେ ତାଳଧ୍ୱଜ ଓ ଦର୍ପଦଳନ

 ପୁରୀ: ନବଦିନ ଯାତ୍ରାରେ ଯାଇ ଗୁଣ୍ଡିଚା ମନ୍ଦିରରେ ଅବସ୍ଥାନ କରୁଥିବା ଚତୁର୍ଦ୍ଧାମୂର୍ତ୍ତିଙ୍କ ବାହୁଡ଼ା ଯାତ୍ରା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ଆଷାଢ ଶୁକ୍ଳ ଷଷ୍ଠୀରେ କରାଯାଇଛି ରଥର ଦକ୍ଷିଣି ମୋଡ଼ । ଗୁଣ୍ଡିଚା ମନ୍ଦିର ସିଂହଦ୍ୱାର ସମ୍ମୁଖରେ ରହିଥିବା ପ୍ରଭୁ ବଳଭଦ୍ରଙ୍କ ତାଳଧ୍ୱଜ ଓ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥକୁ  ଦକ୍ଷିଣିମୋଡ଼ କରାଯାଇ ନାକଚଣା ଦ୍ୱାର ସମ୍ମୁଖକୁ ନିଆଯାଇଛି । ଆସନ୍ତା ଜୁଲାଇ ୫ ତାରିଖ ଶନିବାର ଦିନ ଅନୁଷ୍ଠିତ ହେବ ବାହୁଡ଼ାଯାତ୍ରା । ବୁଧବାର ସକାଳ ୭ଟା ୫ମିନିଟ୍ରେ ଗୁଣ୍ଡିଚା ମନ୍ଦିରର ଦ୍ୱାର ଫିଟିଥିଲା । ୭ଟା ୩୫ମିନିଟ୍ରେ ଭିତର ଶୋଧ କରାଯାଇ ୭ଟା ୫୫ମିନିଟ୍ରେ ସଂପନ୍ନ ହୋଇଥିଲା ମଙ୍ଗଳଆଳତି । ୮ଟା ୫ମିନିଟ୍ରେ ଠାକୁରମାନଙ୍କୁ ମଇଲମ କରାଯାଇଥିଲା । ୯ଟା ୧୦ମିନିଟ୍ରେ ତଡ଼ପଲାଗି, ,୯ଟା ୨୦ମିନିଟ୍ରେ ଅବକାଶ ପୂଜା ଠା ଓ ୯ଟା ୩୦ମିନିଟ୍ରେ ଅବକାଶ ପୂଜା ଆରମ୍ଭ ହୋଇ ୯ଟା ୪୫ମିନିଟ୍ରେ ଶେଷ ହୋଇଥିଲା । ଏହାପରେ ମଇଲମ, ବେଶ କରାଯାଇଥିଲା । ୯ଟା ୫୫ମିନିଟ୍ରୁ ୧୦ଟା ୧୫ମିନିଟ୍ ମଧ୍ୟରେ ସାହାଣମେଲା ଦର୍ଶନ ହୋଇଥିଲା । ୧୧ଟା ୧୫ମିନିଟ୍ରେ ସୂର୍ଯ୍ୟପୂଜା, ୧୧ଟା ୪୫ମିନିଟ୍ରେ ଦ୍ୱାରପାଳପୂଜା, ୧୧ଟା ୫୦ମିନିଟ୍ରେ ଗୋପାଳବଲ୍ଲଭ, ୧୨ଟା ୨୦ମିନିଟ୍ରେ ସକାଳଧୂପ ପୂଜା ବସିଥିଲା । ୧୨ଟା ୫୦ମିନିଟ୍ରେ ସକାଳଧୂପ ଟେରା ପଡ଼ିଥିବା ବେଳେ ଅପରାହ୍ନ ୧ଟାରେ ସକାଳଧୂପ ଶେଷ ହୋଇଥିଲା । ଏହାପରେ ଭୋଗମଣ୍ଡପ ଉଠିଥିଲା । ଭୋଗମଣ୍ଡପ ଉଠିବା ପରେ ୩ରଥର ଦକ୍ଷିଣ ମୋଡ଼ ପାଇଁ ଆଜ୍ଞାମାଳ ବିଜେ ହୋଇଥିଲା ଅପରାହ୍ନ ୨ଟାରେ । ପୂଜାପଣ୍ଡା ସେବୟାତମାନେ ଆଜ୍ଞାମାଳ ଆଣି ରଥରେ ଲାଗି କରିବା ପରେ ଆରମ୍ଭ ହୋଇଥିଲା ଦକ୍ଷିଣ ମୋଡ଼ । ପ୍ରଥମେ  ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥର ଦକ୍ଷିଣମୋଡ଼ କରାଯାଇ ନାକଚଣା ଦ୍ୱାର ସମ୍ମୁଖ ଶରଧାବାଲିକୁ ନିଆଯାଇଥିଲା । ଘଣ୍ଟ ଧ୍ୱନି ମଧ୍ୟରେ ପୁଲିସ ଓ ଭକ୍ତମାନେ ରଥ ଟାଣିଥିଲେ । ପରେ ପରେ ପ୍ରଭୁ ବଳଭଦ୍ରଙ୍କ ତାଳଧ୍ୱଜ ରଥର ଦକ୍ଷିଣମୋଡ଼ କରାଯାଇଥିଲା । ମୁଖ୍ୟମନ୍ତ୍ରୀଙ୍କ ଉପଦେଷ୍ଟା ପ୍ରକାଶ ମିଶ୍ର, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ଼. ଅରବିନ୍ଦ ପାଢୀ, ରଥଯାତ୍ରା ଦାୟିତ୍ୱରେ ଥିବା ସଚିବ ଅରବିନ୍ଦ ଅଗ୍ରୱାଲ, ଜିଲ୍ଳାପାଳ ଚଞ୍ଚଳ ରାଣା, ଏସ୍.ପି ଦାୟିତ୍ୱରେ ଥିବା ପିନାକ ମିଶ୍ର ଉପସ୍ଥିତ ରହି ରଥଟଣା କାର୍ଯ୍ୟ ପରିଚାଳନା କରିଥିଲେ ।