ବାୟୁ ପ୍ରଦୂଷଣରେ ଦିଲ୍ଲୀର ରେକର୍ଡ
ନୂଆଦିଲ୍ଲୀ : ଧୂଆଁମୟ ହୋଇଯାଇଛି ଦିଲ୍ଲୀ ଆକାଶ । ବାୟୁ ପ୍ରଦୂଷଣରେ ରେକର୍ଡ କରିଛି ଦିଲ୍ଲୀ । ସୋମବାର ଦୀପାବଳି ରାତିରେ ଲୋକମାନେ ସବୁ ନିୟମକୁ ଭାଙ୍ଗି ମନଇଛା ବାଣ ଫୁଟାଇଲେ । ଫଳରେ ବିଷାକ୍ତ ଧୂଆଁରେ ଆଚ୍ଛାଦିତ ହୋଇଯାଇଛି ଦିଲ୍ଲୀ ଆକାଶ । ସୁପ୍ରିମକୋର୍ଟ କେବଳ ସବୁଜ ବାଣ ଫୁଟାଇବାକୁ ଅନୁମତି ଦେଇଥିବା ବେଳେ ତାହାକୁ ଲୋକେ ଫୁ... କରିଦେଇଥିଲେ । ଫଳରେ ଆଜି ବିଶ୍ୱର ସବୁଠାରୁ ପ୍ରଦୂଷିତ ସହରର ମାନ୍ୟତା ପାଇଛି ଦିଲ୍ଲୀ । ଯାହା ମଙ୍ଗଳବାର ସକାଳେ "ଗମ୍ଭୀର’ ବର୍ଗରେ ଆସିଥିଲା ।
ଦିଲ୍ଲୀର ଏକ ଅଂଶରେ ବାୟୁ ଗୁଣବତ୍ତା ସୂଚକାଙ୍କ (ଏକ୍ୟୁଆଇ) ୫୦୦ ରୁ ଅଧିକ ଦେଖାଯାଇଥିଲା । ଯାହା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦ୍ୱାରା ବିବେଚିତ ସ୍ତର ଅପେକ୍ଷା ୧୫ ଗୁଣ ଅଧିକ । କିଛି ଅଞ୍ଚଳରେ ପିଏମ୨.୫ ଓ ପିଏମ୧୦ ପ୍ରଦୂଷଣ ସୃଷ୍ଟି କରୁଥିବା ବିଷାକ୍ତ କଣିକାର ସ୍ତର ୧,୮୦୦ ର ସର୍ବାଧିକ ରେକର୍ଡ କରାଯାଇଥିଲା, ଯାହା ସୁସ୍ଥ ବୋଲି ବିବେଚିତ ସ୍ତର ଅପେକ୍ଷା ୧୫ ରୁ ୨୦ ଗୁଣ ଅଧିକ । ଏହି ସମୟରେ ବାୟୁ ଗୁଣବତ୍ତା ପରିଚାଳନା କମିଶନ (ସିଏକ୍ୟୁଏମ) ରବିବାରଠାରୁ ଜାତୀୟ ରାଜଧାନୀ ଅଞ୍ଚଳରେ ଗ୍ରେଡେଡ୍ ରେସପନ୍ସ ଆକ୍ସନ୍ ପ୍ଲାନ୍ (ଗ୍ରାପ)ର ଦ୍ୱିତୀୟ ପର୍ଯ୍ୟାୟ ଲାଗୁ କରିଛି । ସିପିସିବି ଅନୁଯାୟୀ, ‘ଗମ୍ଭୀର' ବାୟୁ ଗୁଣବତ୍ତା ସୁସ୍ଥ ଲୋକଙ୍କୁ ପ୍ରଭାବିତ କରେ ଓ ପୂର୍ବରୁ ରୋଗ ଥିବା ଲୋକଙ୍କୁ ଗମ୍ଭୀର ଭାବରେ ପ୍ରଭାବିତ କରେ ।