ରୁଟି ଦେଉଛି ରୋଜଗାର
କଟକ : ଦୈନନ୍ଦିନ ଜୀବନରେ ସଂପ୍ରତି ରୁଟି ପ୍ରମୁଖ ସ୍ଥାନ ନେଲାଣି । ଯଦିଓ ଏହା କେବେ ଉତ୍ତର ଭାରତୀୟଙ୍କ ପ୍ରମୁଖ ଖାଦ୍ୟ ଥିଲା, କିନ୍ତୁ ଏବେ ଓଡ଼ିଶାର ପ୍ରାୟ ଅଧିକାଂଶ ଲୋକଙ୍କ ବିଶେଷକରି ସହରବାସୀଙ୍କ ରାତି୍ର ଭୋଜନରେ ରୁଟି ପ୍ରମୁଖ ଖାଦ୍ୟ ପାଲଟିଯାଇଛି । ରୁଟି ମେସିନରୁ ରୁଟି ତିଆରି କରି ବିକି୍ର କରିବା ଏକ ବ୍ୟବସାୟରେ ପରିଣତ ହୋଇଛି । ଏହି ରୁଟି ମେସିନ ରୋଜଗାର ମଧ୍ୟ ଯୋଗାଉଛି । ସ୍ଥାନୀୟ ଶେଖବଜାର ଛକ ନିକଟରେ ଗଢ଼ି ଉଠିଥିବା ଏକ କ୍ଷୁଦ୍ର ଉଦ୍ୟୋଗ ଏବେ ଶହଶହ ଲୋକଙ୍କର ଆବଶ୍ୟକତାକୁ ପୂରଣ କରୁଛି । ଏହି ଉଦ୍ୟୋଗ ଜରିଆରେ ଦୈନକ ୫ ହଜାରରୁ ୬ ହଜାର ପର୍ଯ୍ୟନ୍ତ ରୁଟି ପ୍ରସ୍ତୁତ ହେଉଛି । କଟକ ସହରରେ ରହି ପାଠ ପଢ଼ୁଥିବା ଯୁବଗୋଷ୍ଠୀଙ୍କ ଭିତରୁ ଅଧିକାଂଶ ଏହି କାରଖାନା ଉପରେ ନିର୍ଭରଶୀଳ । ପୁଣି ବିଭିନ୍ନ ହଷ୍ଟେଲ, ମେସ ଓ ଘରୋଇ ଡାକ୍ତରଖାନା ପାଇଁ ମଧ୍ୟ ଏଠାରୁ ରୁଟି ଯୋଗାଇ ଦିଆଯାଉଛି । ସହରବାସିନ୍ଦା ମଧ୍ୟ ପରିବାରର ଆବଶ୍ୟକତା ପାଇଁ ଏଠାକୁ ରୁଟି ନେବାକୁ ଆସିଥାନ୍ତି ।
ଶେଖ ବଜାର ଛକ ନିକଟରେ ଗଢ଼ି ଉଠିଥିବା ଏହି କ୍ଷୁଦ୍ର ଉଦ୍ୟୋଗଟି ପୂର୍ବରୁ ଅଟାକଳ ଭାବେ ପରିଚିତ ଥିଲା । ଲାଲା ଦୀଲିପ କୁମାର ରାୟ ଏହାକୁ ପରିଚାଳନା କରୁଥିଲେ । ପରେ ଅଟାକଳ ସହିତ ଅଟୋମେଟିକ ରୁଟି ମେକର ମେସିନ ଯୋଡ଼ି ହୋଇଗଲା । ଯାହାକୁ ଚଳାଇବାରେ ଦିଲୀପ ରାୟଙ୍କ ପୁରା ପରିବାର ସହଯୋଗ କରନ୍ତି । ନିଜର ୨ ଭାଇ ଓ ଉଚ୍ଚଶିକ୍ଷିତା ଝିଅଙ୍କୁ ସାଂଗରେ ନେଇ ଦିଲୀପ ୩ ବର୍ଷ ତଳେ ଏହି ଉଦ୍ୟୋଗ ସ୍ଥାପନ କରିଥିଲେ । ଏପର୍ଯ୍ୟନ୍ତ କେହି ହେଲେ ରୁଟି ପାଇଁ ଏଠାକୁ ଆସି ଫେରିନଥିବା ଶ୍ରୀ ରାୟ କହିଛନ୍ତି । ରାୟ ପରିବାର ନିଜର ଏହି ବ୍ୟବସାୟକୁ ନେଇ ବେଶ ଖୁସି ଅଛନ୍ତି । ସେମାନଙ୍କ ପରିବାର ପ୍ରତିପୋଷଣ ଲାଗି ଯାହା ବି ଆବଶ୍ୟକ ତାହା ଏହି ଲଘୁ ଉଦ୍ୟୋଗ ପୂରଣ କରୁଛି । ନୂତନ ଜ୍ଞାନ କୌଶଳକୁ ଆପଣେଇ ପୂରା ପରିବାରକୁ ଏକାଠି ରଖି ଗୋଟେ ସଫଳ ଉଦ୍ୟୋଗ ଚଳାଇବାରେ ସମସ୍ତ ପରିବାର ବେଶ ଖୁସି ଥିବା ଶ୍ରୀ ରାୟ କହିଛନ୍ତି ।