ବିଏମ୍ସିର ଆଧୁନିକ ଶୌଚାଳୟ ଉଦ୍ଘାଟିତ
ଭୁବନେଶ୍ୱର : ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି)ପକ୍ଷରୁ ଆଜି ୩ଟି ସ୍ଥାନରେ ସର୍ବସାଧାରଣଙ୍କ ପାଇଁ ଆଧୁନିକ ଶୌଚାଳୟ ଉଦ୍ଘାଟିତ ହୋଇଛି । ସିଆରପି ଛକ ନିକଟ ପ୍ରିୟଦର୍ଶନୀ ମାର୍କେଟ ପରିସରରେ ଏକ ଆଧୁନିକ ଶୌଚାଳୟକୁ ଏକାମ୍ର ବିଧାୟକ ଶ୍ରୀ ବାବୁ ସିଂ, ମେୟର ସୁଲୋଚନା ଦାସ ଉଦ୍ଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଡେପୁଟି ମେୟର ମଞ୍ଜୁଲତା କହଁର, ପରିମଳ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ବିରଞ୍ଚି ନାରାୟଣ ମହାସୂପକାର, ସ୍ଥାନୀୟ କର୍ପୋରେଟରଙ୍କ ସହ ବହୁ ବରିଷ୍ଠ ନାଗରିକ, ମାର୍କେଟ ଆସୋସିଏସନର କର୍ମକର୍ତ୍ତା ସାମିଲ ହୋଇଥିଲେ । ସେହିପରି ସତ୍ୟନଗରସ୍ଥିତ ତୋଷାଳି ପ୍ଲାଜା ନିକଟରେ ଏକ ଆଧୁନିକ ଶୌଚାଳୟ ଉଦ୍ଘାଟିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଭୁବନେଶ୍ୱର-ମଧ୍ୟ ବିଧାୟକ ଶ୍ରୀ ଅନନ୍ତ ନାରାୟଣ ଜେନା ଯୋଗଦେଇଥିଲେ । ପରେ ଉକôଳ ହସ୍ପିଟାଲ ନିକଟରେ ମଧ୍ୟ ଅନ୍ୟ ଏକ ଶୌଚାଳୟ ଉଦଘାଟିତ ହୋଇଯାଇଛି । ଏଠାରେ ଆୟୋଜିତ କାର୍ଯ୍ୟକ୍ରମରେ ମେୟର ସୁଲୋଚନା ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶୌଚାଳୟର ଉଦ୍ଘାଟନ କରିଥିଲେ । ସୂଚନାଯୋଗ୍ୟ କି ସହରର ପରିମଳ ଏବଂ କ୍ରମ ବର୍ଦ୍ଧିଷ୍ଣୁ ଜନ ସଂଖ୍ୟାକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ମହାନଗର ନିଗମର ପ୍ରତ୍ୟେକ ଜନ ସମାଗମ ସ୍ଥାନରେ ଶୌଚାଳୟର ସୁବ୍ୟବସ୍ଥା କରାଇବା ପାଇଁ କମିଶନର ରାଜେଶ ପ୍ରଭାକର ପାଟିଲଙ୍କ ପରାମର୍ଶ କ୍ରମେ କ୍ରମାଗତ ଭାବେ ପ୍ରକଳ୍ପଗୁଡିକ ହାତକୁ ନିଆଯାଉଛି । ସହରରେ ପରିମଳ ବ୍ୟବସ୍ଥାକୁ ସହଜ ଓ ସୁଗମ କରିବା ପାଇଁ ଏହି ତିନୋଟି ସର୍ବସାଧାରଣ ଶୌଚାଳୟକୁ ମିଶାଇ ଏବେ ବିଏମ୍ ସି ଅଂଚଳରେ ମୋଟ ୧୧୧ଗୋଟି ସାମୂହିକ ଶୌଚାଳୟ ରହିଛି । ୭୦ ଗୋଟି ଗୋଷ୍ଠୀ ଶୌଚାଳୟ ଏବଂ ୨୫ଟି ଇ-ଟଏଲେଟ୍ ନିର୍ମାଣ କରାଯାଇଛି । ସମୁଦାୟ ୧୪୬୫ ଗୋଟି ସିଟ୍ ରହିଛି । ଅର୍ଥାତ୍ ଗୋଟିଏ ଦିନରେ ୫୦ ହାଜରରୁ ଅଧିକ ଲୋକ ଶୌଚ ହେବାର ବ୍ୟବସ୍ଥା ରହିଛି ।