‘ବିକଶିତ ଓଡ଼ିଶା’ର ମୁଖଶାଳା ବାଲେଶ୍ୱର 

 ବାଲେଶ୍ୱର  : ବାଲେଶ୍ୱରର ବର୍ଷିୟାନ ଜନନେତା, ପୂର୍ବତନ ବିଧାୟକ ସ୍ୱର୍ଗତ ମଦନ ମୋହନ ଦତ୍ତ ତଥା ମଙ୍ଗୁ ଭାଇ ଭାରତୀୟ ଜନତା ପାର୍ଟି ଏବଂ ବିଚାରଧାରାର ବଡ଼ ସ୍ତମ୍ଭ ଥିଲେ  । ସମାଜର ସାଧାରଣ ଓ ନିମ୍ନ ଶ୍ରେଣୀର ଲୋକମାନଙ୍କ ସେବାକୁ ସେ ଜୀବନର ବ୍ରତ କରିଥିଲେ ବୋଲି ମଙ୍ଗଳବାର ବାଲେଶ୍ୱର ଠାରେ ତାଙ୍କର ପଞ୍ଚମ ଶ୍ରାଦ୍ଧବାର୍ଷିକୀ ଅବସରରେ ଆୟୋଜିତ ସ୍ମୃତିସଭାରେ ଯୋଗଦେବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ  ।  ସେହିପରି ବାଲେଶ୍ୱର ଏକ ଉଦ୍ଦୀପନା, ଉଜ୍ଜ୍ୱଳ ଆଲୋକ, ବିକଶିତ ଓଡ଼ିଶାର ମୁଖଶାଳା ବୋଲି  ପ୍ରଧାନ ମତପ୍ରକାଶ କରିଛନ୍ତି  ।  ଏହି ସ୍ମୃତିସଭାରେ ଯୋଗଦେବା ପୂର୍ବରୁ ପ୍ରଧାନ ଷ୍ଟେସନ ଛକ ଠାରେ ସ୍ୱର୍ଗତ ମଦନ ମୋହନ ଦତ୍ତଙ୍କ ଏକ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ଅନାବରଣ କରିଥିଲେ  । ତାଙ୍କ ସ୍ମୃତିରେ ଆୟୋଜିତ ରକ୍ତଦାନ ଶିବିର ଉଦଘାଟନ କରିବା ସହ ବୃକ୍ଷରୋପଣ କରିଥିଲେ  । ସ୍ଥାନୀୟ ଅଞ୍ଚଳର ଦିବ୍ୟାଙ୍ଗମାନଙ୍କୁ ସହାୟକ ଉପକରଣ, ଗରିବ ଓ ମେଧାବୀ ଛାତ୍ରଛାତ୍ରୀଙ୍କୁ ସହାୟତା ପ୍ରଦାନ ସହ ସ୍ୱେଚ୍ଛାସେବୀଙ୍କୁ ସମ୍ବର୍ଦ୍ଧନା କରିଥିଲେ କେନ୍ଦ୍ରମନ୍ତ୍ରୀ  । ‘ମଙ୍ଗୁ ଭାଇ ସ୍ମୃତି କମିଟି, ବାଲେଶ୍ୱର’ ପକ୍ଷରୁ ଆୟୋଜିତ ସ୍ମୃତିସଭାରେ ପ୍ରଧାନ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ତାଙ୍କ ସହ ଥିବା ସ୍ମୃତିକୁ ମନେପକାଇଥିଲେ  । ସେ କହିଛନ୍ତି, ମଙ୍ଗୁ ଭାଇ ଥିଲେ ବାଲେଶ୍ୱର ମାଟିର ଜଣେ ପରିଚିତ ଚେହେରା  । ଜଣେ ଲୋକପ୍ରିୟ ଜନନେତା  । ତାଙ୍କର ସାମାଜିକ ଜୀବନ ଅନେକଙ୍କ ପାଇଁ ଉଦାହରଣ  । ବାଲେଶ୍ୱରରେ ଶିକ୍ଷା, ସ୍ୱାସ୍ଥ୍ୟ, ନଗର ଉନ୍ନୟନ, ରୋଜଗାର ତଥା ସହରର ସର୍ବାଙ୍ଗୀନ ବିକାଶ ପାଇଁ ଅକ୍ଲାନ୍ତ ପରିଶ୍ରମ କରିଥିଲେ  । ଅନେକ କାର୍ଯ୍ୟକର୍ତ୍ତାଙ୍କୁ ତିଆରି କରିବା ତଥା ତୃଣମୂଳ ସ୍ତରରେ ଦଳୀୟ ସଂଗଠନକୁ ସଶକ୍ତ କରିବାରେ ତାଙ୍କର ଭୂମିକା ଅତୁଳନୀୟ ଥିଲା  ।