‘ବିକଶିତ ଭାରତ ବିଲ୍ଡାଥନ’ ଯୁବ ଉଦ୍ଭାବକଙ୍କୁ ସଶକ୍ତ କରିବ : ଧର୍ମେନ୍ଦ୍ର

 ନୂଆଦିଲ୍ଲୀ/ଭୁବନେଶ୍ୱର  : କନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଙ୍ଗଳବାର ନୂଆଦିଲ୍ଲୀ ଠାରେ ସାରା ଦେଶର ସ୍କୁଲ ଛାତ୍ରଛାତ୍ରୀଙ୍କ ମଧ୍ୟରେ ନବସୃଜନକୁ ବଢାଇବା ଲକ୍ଷ୍ୟରେ ‘ବିକଶିତ ଭାରତ ବିଲ୍ଡାଥନ – ୨୦୨୫’ର ଶୁଭାରମ୍ଭ କରିଛନ୍ତି  । ଏହାବ୍ୟତୀତ ଶ୍ରୀ ପ୍ରଧାନ ପୃଥକ କାର୍ଯ୍ୟକ୍ରମରେ ଭାରତର ନବସୃଜନ ଯାତ୍ରା ଉପରେ ନୀତି ଆୟୋଗର ଏକ ରିପୋର୍ଟ ଉନ୍ମୋଚନ କରିବା ସହ ଟ୍ରାଇ ସର୍ଭିସେସ୍ ଏକାଡେମୀ ଟେକ୍ନୋଲୋଜି ସିମ୍ପୋଜିୟମର ଉଦଯାପନୀ ସମାରୋହରେ ଯୋଗଦେଇଛନ୍ତି  ।  
କେନ୍ଦ୍ରମନ୍ତ୍ରୀଙ୍କ କରକମଳରେ ଶୁଭାରମ୍ଭ ହୋଇଥିବା ‘ବିକଶିତ ଭାରତ ବିଲ୍ଡାଥନ୍ - ୨୦୨୫’ ଶିକ୍ଷା ମନ୍ତ୍ରଣାଳୟର ସ୍କୁଲ ଶିକ୍ଷା ଓ ସାକ୍ଷରତା ବିଭାଗ ଦ୍ୱାରା ଅଟଳ ଇନୋଭେସନ ମିଶନ, ନୀତି ଆୟୋଗ ଏବଂ ଏଆଇସିଟିଇ ସହଯୋଗରେ ଆୟୋଜନ କରାଯାଉଛି । ଏହି କାର୍ଯ୍ୟକ୍ରମରେ ଶ୍ରୀ ପ୍ରଧାନ ବିକଶିତ ଭାରତ ବିଲ୍ଡାଥନର ଜିଙ୍ଗଲ୍ ଏବଂ ଲୋଗୋର ମଧ୍ୟ ଶୁଭାରମ୍ଭ କରିଥିଲେ  । ସେ କହିଛନ୍ତି,  ବିକଶିତ ଭାରତ ବିଲ୍ଡାଥନ୍ ନାମକ ଏକ ବଡ଼ ସ୍କୁଲ ହାକାଥନ୍ ଆରମ୍ଭ କରାଯାଇଛି । ଏହାର ମୁଖ୍ୟ ଲକ୍ଷ୍ୟ ହେଉଛି ଛାତ୍ରଛାତ୍ରୀଙ୍କ ମଧ୍ୟରେ ନୂତନ ଚିନ୍ତାଧାରା ଏବଂ ଉତ୍ପାଦ ବିକାଶ କରିବାର କ୍ଷମତାକୁ ବଢ଼ାଇବା  । ଏଥିରେ ଛାତ୍ରଛାତ୍ରୀମାନେ ‘ଭୋକାଲ୍ ଫର୍ ଲୋକାଲ’, ‘ଆତ୍ମନିର୍ଭର ଭାରତ', ‘ସ୍ୱଦେଶୀ' ଏବଂ ‘ସମୃଦ୍ଧି' ପରି ଚାରୋଟି ବିଷୟବସ୍ତୁ ଉପରେ କାମ କରିବେ । ଏହି କାର୍ଯ୍ୟକ୍ରମ ଦେଶରେ ନୂଆ ଚିନ୍ତାଧାରାକୁ ପ୍ରୋସôାହିତ କରିବ ଓ ଯୁବପିଢ଼ିଙ୍କୁ ଏକ ଉନ୍ନତ, ବିକଶିତ, ଓ ଆତ୍ମନିର୍ଭର ଭାରତ ଗଠନରେ ମୁଖ୍ୟ ଭୂମିକା ଗ୍ରହଣ କରିବା ପାଇଁ ପ୍ରସ୍ତୁତ କରିବ । 
୨୩ରୁ ଅକ୍ଟୋବର ୬ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନଙ୍କ ପାଇଁ ବିକଶିତ ଭାରତ ବିଲ୍ଡାଥନ୍ ପୋର୍ଟାଲ୍ ରେ ପଞ୍ଜିକରଣ କରିବା ପାଇଁ ଏକ ୱିଣ୍ଡୋ ରହିବ । ଆଉ ଏକ ପୃଥକ କାର୍ଯ୍ୟକ୍ରମରେ ଶ୍ରୀ ପ୍ରଧାନ କେନ୍ଦ୍ର ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା ଓ ଭୂପୃଷ୍ଠ ବିଜ୍ଞାନ ମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂହ ଓ ନୀତି ଆୟୋଗର ସଦସ୍ୟ ଡକ୍ଟର ଭିକେ ସାରସ୍ୱତଙ୍କ ଉପସ୍ଥିତିରେ  ଭାରତର ନବସୃଜନ ଯାତ୍ରା ଉପରେ ନୀତି ଆୟୋଗର ଏକ ରିପୋର୍ଟ ଉନ୍ମୋଚନ କରିଥିଲେ  । ଅପରପକ୍ଷରେ ଶ୍ରୀ ପ୍ରଧାନ ଟ୍ରାଇ ସର୍ଭିସେସ୍ ଏକାଡେମୀ ଟେକ୍ନୋଲୋଜି ସିମ୍ପୋଜିୟମର ଉଦଯାପନୀ ସମାରୋହରେ ପ୍ରତିରକ୍ଷା ରାଷ୍ଟ୍ର ମନ୍ତ୍ରୀ ସଞ୍ଜୟ ସେଠଙ୍କ ସହ ଯୋଗଦେଇଥିଲେ ।