ବିକାଶ ନାମରେ ପ୍ରହସନ    କୃତ୍ରିମ ପୋଖରୀ ପାଲଟିଛି ମୁଖ୍ୟ ରାସ୍ତା; ହନ୍ତସନ୍ତ ଗ୍ରାମବାସୀ

କାଳିଆପାଣି  :-   ଉଭୟ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଗମନା ଗମନ ବ୍ୟବସ୍ଥାକୁ ବେଶ୍ ଗୁରୁତ୍ୱ ଦେଉଛନ୍ତି । ଗାଁ ଗାଁରେ ପକ୍କା ସଡ଼କ ନିର୍ମାଣ କରାଯାଉ ଥିବା ବେଳେ ଗାଁରୁ ପଞ୍ଚାୟତକୁ ସଂଯୋଗ କରାଯାଉଛି ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ । ହେଲେ ସ୍ୱାଧୀନତାର ୭୬ବର୍ଷ ପରେ ବି ଗାଁରେ ନାହିଁ ପକ୍କା ସଡ଼କ ବୋଲି ଅଭିଯୋଗ ହୋଇଛି ସୁକିନ୍ଦା ବ୍ଲକ ଅନ୍ତର୍ଗତ କଅଁସ ପଞ୍ଚାୟତର ହାତୀହୁଡ଼ି ଗ୍ରାମକୁ ସଂଯୋଗ କରୁଥିବା ସଡ଼କ । ଏହି ଗ୍ରାମରେ ପାଖାପାଖି ୩୦ରୁ ଅଧିକ ପରିବାର ବସବାସ କରୁଥିବା ବେଳେ ସମସ୍ତ ପରିବାର ଦୈନନ୍ଦିନ ନିଜ କାର୍ଯ୍ୟପାଇଁ ଏହି ମୁଖ୍ୟ ସଡ଼କକୁ ନିର୍ଭର କରିଥାନ୍ତି । ଏହି ସଡ଼କଟି ଗାଁ ପାଇଁ ଏକାନ୍ତ ଅପରିହାର୍ଯ୍ୟ ଅଟେ । ଏହି ଗାଁ ଆଦିବାସୀ ଅଧୁ୍ୟଷିତ ଅଞ୍ଚଳରେ ଆସୁଛି । ଗ୍ରାମବାସୀ କୁହନ୍ତି କି ରାସ୍ତାରେ ବର୍ଷା ଦିନରେ ପାଦରେ ଚାଲି ଚାଲି ଯିବା ଆସିବା କରିହେଉନଥିବା ବେଳେ ସାଇକେଲ କିମ୍ବା ମୋଟର ସାଇକେଲ ଯିବା ଅସମ୍ଭବ । ରାସ୍ତାରେ ଏତେ ବଡ ବଡ଼ ଖାଲ ଖମା ସୃଷ୍ଟି ହୋଇଛି ଯାହାକି କୋତ୍ରିମ ପୋଖରୀ କହିଲେ କିଛି ଭୁଲ ହେବ ନାହିଁ । 
ଏମିତି କି ଜରୁରୀକାଳୀନ ଯାନ ଯାତାୟତ କରିବା ମଧ୍ୟ ଅସମ୍ଭବ ଅଟେ । ଗୋଟିଏ ପଟେ ରାଜ୍ୟ ସରକାର ବିକାଶର କଥା କହୁଛନ୍ତି । ସୁନାର ସୁକିନ୍ଦା ବିକାଶ ହୋଇଛି ବିକାଶ ହୋଇଛି କହି ଦିଣ୍ଡିମ ପିଟୁଥିବା ବେଳେ ହାତିହୁଡ଼ି ଗାଁ ଏହାର ବିଦୃପ କରୁଛି । ବାରମ୍ବାର ପକ୍କା ସଡ଼କ ନିର୍ମାଣ କରିବା ପାଇଁ ଦାବି କରି ଆସୁଥିଲେ ସୁଦ୍ଧା କେହି କର୍ଣ୍ଣପାତ କରୁ ନଥିବା କଥା କୁହନ୍ତି ଗ୍ରାମବାସୀ । କଂକ୍ରିଟ ରାସ୍ତା ନହେଲେ ନାହିଁ  ରାସ୍ତାରେ ମୋରମ ପକାଇ ସମତୁଲ କରିବା ପାଇଁ ଜନ ପ୍ରତିନିଧିଙ୍କୁ ବାରମ୍ବାର ଗୁହାରି କରିଥିଲେ ମଧ୍ୟ କେହି ଶୁଣୁନଥିବା କଥା ଅଭିଯୋଗ କରିଛନ୍ତି । ସାରୁଆବିଲ ଓ କୋମର୍ଦ୍ଧା ଖଣିକୁ ଲାଗି ଏହି ଗାଁଟି ଅବସ୍ଥିତ ଥିବା ବେଳେ ଗ୍ରାମବାସୀ ଖଣି କର୍ତୃପକ୍ଷଙ୍କୁ ମଧ୍ୟ ଏକାଧିକ ବାର ଅଭିଯୋଗ କରିଥିଲେ ମଧ୍ୟ ରାସ୍ତାରେ ମୋରମ ପକାଇବାକୁ ଦାବି କରିଆସୁଥିଲେ ମଧ୍ୟ କେହି କର୍ଣ୍ଣପାତ କରିନାହାନ୍ତି । ଦେଖିବାକୁ ବାକି ରହିଲା କେବେ ନିର୍ମାଣ ହେଉଛି ରାସ୍ତା ।