ବିକାଶ ରିପୋର୍ଟ କାର୍ଡ ପ୍ରଦାନ କଲେ ସରପଞ୍ଚ

 ବାଲିଅନ୍ତା, :  ଜୟଦେବ ନିର୍ବାଚନ ମଣ୍ଡଳୀରେ ପ୍ରଥମ ଥର ପାଇଁ ଜଣେ ସରପଞ୍ଚ ନିଜର ରିପୋର୍ଟ କାର୍ଡ ଉପସ୍ଥାପନ କରିଛନ୍ତି । ବାଲିଅନ୍ତା ବ୍ଲକ ଉମାଦେଇବ୍ରହ୍ମପୁର ପଞ୍ଚାୟତର ସରପଞ୍ଚ ରମାଲତା ନାୟକ ନିର୍ବାଚଲତ ହେବା ପରେ ୨ ବର୍ଷ ୮ ମାସ ମଧ୍ୟରେ ସେ କରିଥିବା ବିଭନ୍ନ ଜନହିତକର ଏବଂ ବିକାଶମୂଳକ କାର୍ଯ୍ୟ ସମ୍ପର୍କରେ ସାମ୍ବାଦିକଙ୍କୁ ‘ବିକାଶର ରିପୋର୍ଟ କାର୍ଡ’ ପ୍ରଦାନ କରିଛନ୍ତି । ସୁଦର୍ଶନ ଦାରୁ ପୀଠ ଠାରେ ଆୟୋଜିତ ଏକ ସାମ୍ୱାଦିକ ସମ୍ମୀଳନୀରେ ସରପଞ୍ଚ ଶ୍ରୀମତୀ ନାୟକ ଅଢେଇ ବର୍ଷରୁ ଉର୍ଦ୍ଧ ସମୟର ସରପଞ୍ଚ ଭାବେ କ'ଣ କରିଛନ୍ତି ନିର୍ବାଚନୀ ପ୍ରତିଶ୍ରୁତି କେତେ ପାଳନ ହୋଇଛି, ସେ ବିଷୟରେ ସୂଚନା ଦେଇଥିଲେ । ବିଶେଷ କରି ଏହି ରିପୋର୍ଟ କାର୍ଡରେ ତାଙ୍କ ସମୟରେ ପଞ୍ଚାୟତରେ ଶିକ୍ଷାର ମାନବୃଦ୍ଧି ପାଇଁ ୯୮ ଲକ୍ଷ ଟଙ୍କା ବ୍ୟୟରେ ଏକ ହାଇସ୍କୁଲ ନିର୍ମାଣ କରାଯାଇଛି । ୩୩ ଲକ୍ଷ ବ୍ୟୟରେ ପଞ୍ଚାୟତରେ ଯଶୁଆପୁରରେ ଏକ ସ୍ୱାସ୍ଥ୍ୟ ଉପକେନ୍ଦ୍ର ସ୍ଥାପନ କରାଯାଇଛି । ପଞ୍ଚାୟତରେ ଆଲୋକିକରଣ ପାଇଁ ବିଭିନ୍ନ ଛକ ମାନଙ୍କରେ ୨୦ ଟି ହାଇମାଷ୍ଟ ଲାଇଟ୍ ଲାଗିଛି, ପଞ୍ଚାୟତରେ ୧୪ଟି କମୁ୍ୟନିଟ୍ ସେଣ୍ଟର ସ୍ଥାପନ ଇତ୍ୟାଦି ତଥ୍ୟ ଉଲ୍ଲେଖ ରହିଛି । ଏଥିସହ ପଞ୍ଚାୟତର ବିଭିନ୍ନ ଦାବିକୁ ପଞ୍ଚାୟତ ସମିତିରେ ଉଠାଇବା ଓ ପଞ୍ଚାୟତର ବିଭିନ୍ନ ସମସ୍ୟାକୁ ସର୍ବଦା ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ବୋଲି କହିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ୱାର୍ଡ ସଭ୍ୟ ଅଭିମନୁ୍ୟ ଭୋଇ, ସତ୍ୟଭାମା ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ ।