ବିକାଶ, ସମନ୍ୱୟ ଏବଂ ପର୍ଯ୍ୟବେକ୍ଷଣ ବୈଠକ
ଭୁବନେଶ୍ୱର : ମଙ୍ଗଳବାର ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜିଲ୍ଲା ବିକାଶ, ସମନ୍ୱୟ ଏବଂ ପର୍ଯ୍ୟବେକ୍ଷଣ କମିଟିର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ କମିଟିର ଅଧ୍ୟକ୍ଷ ସାଂସଦ ଅପରାଜିତା ଷଡ଼ଙ୍ଗୀ, ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦେ୍ଦବ, ଖୋର୍ଦ୍ଧା ଜିଲ୍ଲା ବିଜେପି ସଭାପତି ବିଶ୍ୱରଞ୍ଜନ ବଡ଼ଜେନାଙ୍କ ସମେତ ଖୋର୍ଦ୍ଧା ଜିଲ୍ଲାରେ ସମସ୍ତ ବିଧାୟକ, ବିଡିଓ, ତହସିଲଦାର ଏବଂ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ । ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ୪୮ଟି ପ୍ରମୁଖ ଯୋଜନାର କାର୍ଯ୍ୟକାରିତା ଏବଂ ଅଗ୍ରଗତି ସମ୍ପର୍କରେ ବୈଠକରେ ଆଲୋଚନା ହୋଇଥିଲା । ପ୍ରଧାନମନ୍ତ୍ରୀ ଆବାସ ଯୋଜନା । ଏହି ଯୋଜନାର ଲାଭ ଯେମିତି ପ୍ରତିଟି ହିତାଧିକାରୀ ପାଇପାରିବେ ସେନେଇ ବୈଠକରେ ଗୁରୁତ୍ୱାରୋପ କରିଥିଲେ ସାଂସଦ । କଚ୍ଚାଘରେ ରହୁଥିବା ଲୋକେ ପକ୍କା ଘର ପାଇପାରିବେ । ସେନେଇ ବରିଷ୍ଠ ଅଧିକାରୀଙ୍କ ସହ ବିଧାୟକମାନଙ୍କୁ ମଧ୍ୟ ଏହାର ଦାୟିତ୍ୱ ଦେଇଛନ୍ତି ଅପରାଜିତା । ବିଡିଓମାନେ ଘର ଘର ବୁଲି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପାଇବାକୁ ଥିବା ହିତାଧିକାରୀଙ୍କର ଏକ ରିପୋର୍ଟ ପ୍ରସ୍ତୁତ କରିବେ । ସେହି ଅନୁଯାୟୀ ଆଗାମୀ ଦିନରେ ହିତାଧିକାରୀଙ୍କୁ ଗୃହ ଆବଣ୍ଟନ କରାଯିବ । ସେହିପରି ଜଳସେଚନ, ବିଜୁଳି ଭଳି ୪୮ଟି ଯୋଜନା ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା । ଜିଲ୍ଲା ବିକାଶ, ସମନ୍ୱୟ ଏବଂ ପର୍ଯ୍ୟବେକ୍ଷଣ କମିଟିର ବୈଠକରେ ଯୋଜନାର କାର୍ଯ୍ୟକାରିତା ନେଇ ବିଭାଗୀୟ ଅଧିକାରୀଙ୍କୁ ଡେଡ୍ ଲାଇନ୍ ମଧ୍ୟ ପ୍ରଦାନ କରାଯାଇଛି । ନିର୍ଦ୍ଧାରିତ ସମୟସୀମାନ ମଧ୍ୟରେ ଯେମିତି ଉତ୍ତମ ଗୁଣବତ୍ତା ବଜାଇ ରଖି ସମସ୍ତ କାର୍ଯ୍ୟ ସମାପନ କରାଯିବ ସେନେଇ ଅଧିକାରୀମାନଙ୍କୁ ତାଗିଦ୍ କରିଛନ୍ତି ସାଂସଦ ।