କୃଷି ବିକାଶରେ ୧୨୮୯ କୋଟିର ହେବ ନିବେଶ 

 ଭୁବନେଶ୍ୱର : ଭୁବନେଶ୍ୱରସ୍ଥିତ ଜନତା ମଇଦାନରେ ଦୁଇଦିନ ଧରି ଚାଲିଥିବା ଉକôର୍ଷ ଓଡ଼ିଶାର ଦ୍ୱିତୀୟ ଦିବସର ପ୍ରଥମ ଅଧିବେଶନରେ ‘କୃଷି ଓ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ-ଓଡ଼ିଶାରେ ନିରନ୍ତର ଖାଦ୍ୟ ଓ ଅଭିବୃଦ୍ଧି’ ଶୀର୍ଷକ ଆଲୋଚନା ହୋଇଯାଇଛି । ଏହି ଅଧିବେଶନରେ ମୋଟ ୧୭ଟି ଏମ୍ଓୟୁ ସ୍ୱାକ୍ଷରିତ ହେବା ସହ ପ୍ରାୟ ୧୨୮୯ କୋଟି ଟଙ୍କାର ନିବେଶ ପାଇଁ ନିବେଶକମାନେ ସହମତି ପ୍ରଦାନ କରିଛନ୍ତି ।
ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଅଧିବେଶନରେ ନିବେଶକମାନଙ୍କୁ ସମ୍ବୋଧିତ କରି କହିଥିଲେ ଯେ, "ବିକଶିତ ଭାରତ ଲକ୍ଷ୍ୟକୁ ପୂରଣ କରିବା ପାଇଁ ଆମକୁ ବିକଶିତ ଓଡ଼ିଶା ଗଠନ କରିବାକୁ ହେବ । ଏଥି ପାଇଁ ଜୈବିକ କୃଷି, ଜଳବାୟୁ ସହନଶୀଳ କୃଷି ଓ ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟୋଗ ପ୍ରତିଷ୍ଠା ଆବଶ୍ୟକ । କୃଷି କ୍ଷେତରୁ ବଜାର ମୂଲ୍ୟ ପର୍ଯ୍ୟନ୍ତ ସବୁଥିରେ ଅଭିବୃଦ୍ଧି ହେବା ଦରକାର । ତେଣୁ ଆପଣମାନେ ଓଡ଼ିଶାରେ, ବିଶେଷ କରି କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରେ ନିବେଶ କରି ଓଡ଼ିଶାକୁ ଏକ ଅଗ୍ରଣୀ ରାଜ୍ୟ ଭାବେ ପରିବର୍ତ୍ତିତ କରନ୍ତୁ ।' ସେହିପରି ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ କହିଥିଲେ ଯେ, "ଓଡ଼ିଶା ଏକ କୃଷିଭିତ୍ତିକ ରାଜ୍ୟ ଏବଂ ସମ୍ଭାବନାରେ ଭରପୂର । କୃଷି, ପନିପରିବା, ମସଲା ଇତ୍ୟାଦି ଉତ୍ପାଦନରେ ଓଡ଼ିଶାର ପ୍ରଦର୍ଶନ ଉଲ୍ଲେଖନୀୟ । ଅଧିକ ପୁଞ୍ଜିନିବେଶ ଓଡ଼ିଶାକୁ ଆହୁରି ସଶକ୍ତ କରିବ ।'  
ସେହିପରି ମନ୍ତ୍ରୀ ରବିନାରାୟଣ ନାଏକ କହିଥିଲେ ଯେ, "ଓର୍ମାସ୍ ଓଡ଼ିଶା ଜୀବିକା ମିଶନ ଜରିଆରେ ଓଡିଶାର ଗ୍ରାମ୍ୟ ଅର୍ଥନୀତି ସଶକ୍ତ ହେଉଛି । ଏହାକୁ ଅଧିକ ସଶକ୍ତ କରିବା ପାଇଁ ଉଦ୍ୟୋଗୀମାନେ ଆଗେଇ ଆସନ୍ତୁ ।' ଏହି ଅବସରରେ ଅତିଥିମାନଙ୍କ ଦ୍ୱାରା ଶୀତଳଭଣ୍ଡାର ପୁସ୍ତିକା ଉନ୍ମୋଚିତ ହୋଇଥିଲା । ଆନୁଷ୍ଠାନିକ ଭାବେ ଆଜିଠାରୁ ୫୮ଟି ଶୀତଳ ଭଣ୍ଡାର ଖୋଲାଯିବା ଯୋଜନା ଲାଗୁ କରାଗଲା । ଏହି ଅବସରରେ ରାଜ୍ୟ ସରକାର ୧୭ଟି କମ୍ପାନୀ ସହ ଏମ୍ଓୟୁ ସ୍ୱାକ୍ଷର କରିଥିଲେ । ଏହା ଦ୍ୱାରା ୧୨୮୯ କୋଟି ଟଙ୍କାର ପୁଞ୍ଜିନିବେଶ ପାଇଁ ପଥ ପ୍ରଶସ୍ତ ହୋଇଛି । ଏଫ୍ପିଓ ଉପରେ ଏକ କଫି ଟେବୁଲ ପୁସ୍ତିକା ଉନ୍ମୋଚିତ ହୋଇଥିଲା । କୃଷି ବିଭାଗ ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ ସ୍ୱାଗତ ଭାଷଣ ପ୍ରଦାନ କରିଥିବାବେଳେ କୃଷି ନିଦେ୍ର୍ଦଶକ ପ୍ରେମଚନ୍ଦ୍ର ଚୌଧାରୀ ଧନ୍ୟବାଦ ଅର୍ପଣ କରିଥିଲେ । ଉଦ୍ୟାନ କୃଷି ନିଦେ୍ର୍ଦଶକ ନିଖିଲ ପୱନ୍ କଲ୍ୟାଣ ଓ ଶିଳ୍ପ ନିଦେ୍ର୍ଦଶକ ଡ. ପ୍ରଶାନ୍ତ କୁମାର ରେଡ୍ଡୀ ଅଧିବେଶନରେ ଉପସ୍ଥିତ ଥିଲେ ।