ବିଜୁ ଏକ୍ସପ୍ରେସ ୱେ ପାଲଟିଛି ମରଣଯନ୍ତା
କୋକସରା : ପୂର୍ବ ସରକାର ଗମନାଗମନ ନିମନ୍ତେ ବିଜୁ ଏକ୍ସପ୍ରେସ ୱେ ଚାରି ଲେନ୍ ମାଧ୍ୟମରେ ନୂଆପଡାରୁ କଳାହାଣ୍ଡିକୁ ସଂଯୋଗ କରିଦେଇଥିଲେ । ଚାରି ଲେନ୍ ବିଶିଷ୍ଟ ରାସ୍ତା ପୂର୍ତ୍ତ ବିଭାଗ ଅଧିନରେ ସମସ୍ତ କାର୍ଯ୍ୟ ହୋଇ ଆସୁଥିବା ବେଳେ ଅନେକ ସମୟରେ ବିଭାଗର କାର୍ଯ୍ୟକାରିତାକୁ ନେଇ ଅନେକ ଘଟଣା ସାମ୍ନାକୁ ଆସିଛି । ବିଜୁ ଏକ୍ସପ୍ରେସ ୱେ କଳାହାଣ୍ଡି - ନୂଆପଡ଼ା ଅଞ୍ଚଳର ଲୋକଙ୍କ ପାଇଁ ଜୀବନରେଖା ବୋଲି କୁହାଯାଉଥିଲା । କିନ୍ତୁ ଦିନକୁ ଦିନ ଯେଉଁ ଭଳି ଭାବେ ଦୁର୍ଘଟଣା ଜନିତ ମୃତୁ୍ୟ ଘଟୁଛି ଜୀବନରେଖା ଏବେ ମୃତୁ୍ୟରେଖାରେ ପରିଣତ ହେବାରେ ଲାଗିଛି । ଏହି ଏକ୍ସପ୍ରେସ ୱେ କଳାହାଣ୍ଡି ଜିଲ୍ଲାର ଗୋଲାମୁଣ୍ଡା, ଧର୍ମଗଡ ଦେଇ କୋକସରା ବ୍ଲକର ଆମପାଣି ପର୍ଯ୍ୟନ୍ତ ୭୦ କିମି ଲମ୍ବିଛି । ଚାରି ଲେନ୍ ଏକ୍ସପ୍ରେସ ୱେରେ ଦୈନଦିନ ଘଟଣା ଦୁର୍ଘଟଣା ଘଟିବାର ନଜର ରହିଛି । ତା ମଧ୍ୟରୁ ଏବେ ଲୋକଙ୍କ ବେଆଇନ ଡିଭାଇଡର କଟ ଦୁର୍ଘଟଣାକୁ ହାତ ଠାରିଲା ପରି ମନେହେଉଛି ।
ବିଭାଗ ପକ୍ଷରୁ ରାସ୍ତାର ଅନେକ ସ୍ଥାନରେ ଗତି ବିଧି ଉପରେ ସଂକେତ ରହିଛି, କେଉଁ ଜାଗାରେ ୮୦ ସ୍ପିଡ୍ , ଚଲେଇବାର ଅଛି ଆଗକୁ ୨ୱେ ରୁ ୨ୱେ କୁ ଗତିପଥ ପରିବର୍ତ୍ତନ କରିବାର ଅଛି ଏମିତି ବିଭିନ୍ନ ସଂକେତ ଲାଗି ରଖିଛି । ଯାହା ଦ୍ୱାରା କି ଦୁର୍ଘଟଣା ନିୟନ୍ତ୍ରଣ କରାଯାଇପାରିବ । ହେଲେ ଲୋକେ ଏସବୁ ଉପରେ ନଜର ନାହିଁ । ସର୍ଟକର୍ଟ ଯିବୁ ଶୀଘ୍ର ପହଁଞ୍ଚିବୁ ଏଭଳି ମାନସିକତା ଯୋଗୁଁ ରାସ୍ତାର ଡିଭାଇଡର କୁ କାଟି ଯାତାୟତ କରୁଥିବା ଯୋଗୁଁ ଦୁର୍ଘଟଣା ବୃଦ୍ଧି ପାଇବାରେ ଲାଗିଛି । ସର୍ଟକର୍ଟ ରାସ୍ତା ଆପଣାଇବା କୁ ଯାଇ ଏବେ ଧର୍ମଗଡ ରୁ କୋକସରା ବ୍ଲକର ଆମପାଣି ମଧ୍ୟରେ ଅନେକ ସ୍ଥାନରେ ବେଆଇନ ଭାବେ ଡିଭାଇଡର କାଟି ଲୋକ ଯାତାୟାତ କରୁଥିବା ଦେଖିବାକୁ ମିଳୁଛି । ଯାହା ବିପଦକୁ ଆମନ୍ତ୍ରଣ କରୁଛି । ଜନସାଧାରଣ ଅମୂଲ୍ୟ ଜୀବନକୁ ବିପଦକୁ ଠେଲିବାର ପ୍ରୟାସ କରୁଛନ୍ତି ଏବଂ ଏହି ଭଳି ବେଆଇନ କଟ ପୂର୍ତ୍ତ ବିଭାଗର ତଦାରଖ ଓ ପରୀକ୍ଷଣ ଅବହେଳା ଯୋଗୁଁ ଘଟୁଛି ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି । ବେଆଇନ ଡିଭାଇଡର କଟ୍ ଜାଗାକୁ ଚିହ୍ନଟ କରି ମରାମତି କରିବାକୁ ଦାବି ହୋଇଛି । ଏନେଇ ବିଭାଗୀୟ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ନେବାକୁ ଚେଷ୍ଟା କରିଥିଲେ ହିଁ ପ୍ରତିକ୍ରିୟା ମିଳିପାରିନାହିଁ ।