ହୋଟେଲ ମାଲିକ ଓ ପୁଲିସକୁ ମାଡ଼ ମାରି ୨ ଗିରଫ
ବାଲିଅନ୍ତା: ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥ ଉତ୍ତରା ଛକ ନିକଟରେ ଥିବା ଏକ ହୋଟେଲର ମାଲିକ ଓ ପୁଲିସ ଅଧିକାରୀଙ୍କୁ ମାଡ଼ ମାରିବା ଅଭିଯୋଗରେ ଧଉଳି ଥାନା ପୁଲିସ ୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ସେମାନେ ହେଲେ ସମ୍ପୃକ୍ତ ଥାନା ଅଧିନ ସରଦେଇପୁର ଗ୍ରାମର ତୋଫାନ ସାମଲ ଓ ଅମୁଲ୍ୟ ପ୍ରଧାନ । ଉଭୟଙ୍କ ଜାମିନ ନାମଞ୍ଜୁର ହେବାରୁ ଝାରପଡା ସ୍ଥିତ ବିଚାର ବିଭାଗୀୟ ହାଜତକୁ ପଠାଇଛି । ତୋଫାନ ଓ ଅମୁଲ୍ୟ ଗତକାଲି ରାତିରେ ଉତ୍ତରା ସ୍ଥିତ ‘ହୋଟେଲ ସ୍ୱାଦ'କୁ ଖାଇବାକୁ ଯାଇଥିଲେ । ସେମାନେ ଖାଇ ସାରିବା ପରେ ହୋଟେଲ ମାଲିକ ନରେନ୍ଦ୍ର ପ୍ରଧାନଙ୍କୁ ପଇସା ନ ଦେବା ସହ ଏଠାରେ ଦୋକାନ ହୋଟେଲ ଖୋଲିବାକୁ କିଏ ଅନୁମତୀ ଦେଇଥିଲା ଏବଂ ଏଠାରେ ଖୋଲିଛୁ ମାନେ ଆମକୁ ମାସକୁ ବଟି ଦେବୁ ବୋଲି କହିଥିଲେ । ମାତ୍ର ଏଥିରେ ହୋଟେଲ ମାଲିକ ନରେନ୍ଦ୍ର ରାଜି ନ ହେବାରୁ ସେମାନେ ତାଙ୍କୁ ଆଶ୍ରଭ୍ୟ ଭାଷାରେ ଗାଳିଗୁଲଜ କରିବା ସହ ମାଡ଼ ମାରିଥିଲେ । ଏହି ସବୁ ଘଟଣା ଚାଲିଥିବା ବେଳେ ସେହି ହୋଟେଲରେ ଖାଉଥିବା ଧଉଳି ଥାନାର ଜଣେ ଅତିରିକ୍ତ ଆରକ୍ଷୀ ଉଭୟଙ୍କୁ ଏପରି ପାଟିତୁଣ୍ଡ ନ କରିବାକୁ ବାରଣ କରିଥିଲେ, ମାତ୍ର ଉଭୟ ଅମୁଲ୍ୟ ଓ ତୋଫାନ ତାଙ୍କୁ ମଧ୍ୟ ଆକ୍ରମଣ କରିଥିଲେ ।