ବିଜେପି ନେତାଙ୍କୁ ପୁଲିସର ମାଡ : ଥାନା ଘେରିଲା ଯୁବମୋର୍ଚ୍ଚା
ହିଞ୍ଜିଳିକାଟୁ : ଜଣେ ଯୁବମୋର୍ଚ୍ଚା ନେତା ଓ ତାଙ୍କ ସହଯୋଗୀଙ୍କ ବିରୋଧରେ ଆସିଥିବା ଗଣ୍ଡଗୋଳ ଘଟଣାକୁ ନେଇ ଜୈନିକ ପୁଲିସ ଅଧିକାରୀ ବିଜେପି ନେତା ଓ ତାଙ୍କ ସହଯୋଗୀଙ୍କୁ ହିଞ୍ଜିଳି ଥାନାରେ ମାଡ଼ ମାରିବା ସହ ଦୁର୍ବବ୍ୟବହାର ପ୍ରଦର୍ଶନ କରିଥିବା ଅଭିଯୋଗ ହୋଇଛି । ଏଥିରେ ଉତକ୍ଷିପ୍ତ ହୋଇ ଯୁବ ମୋର୍ଚ୍ଚା କର୍ମୀ ବୁଧବାର ଥାନା ପରିସରରେ ହୋ ହାଲ୍ଲା କରିବା ସହ ସଂପୃକ୍ତ ପୁଲିସ କର୍ମଚାରୀଙ୍କୁ ତୁରନ୍ତ ଏଠାରୁ ବଦଳି କରିବାକୁ ଦାବି କରିଛନ୍ତି । ଉଚ୍ଚ ପୁଲିସ ଅଧିକାରୀ ଘଟଣାରେ ହସ୍ତକ୍ଷେପ ନ କଲେ ଆଗକୁ ହିଞ୍ଜିଳି ପୁଲିସ ବିରୋଧରେ ଆନେ୍ଦାଳନ ଚେତାବନୀ ଦେଇଛନ୍ତି ।
ଘଟଣା ଅନୁଯାୟୀ ହିଞ୍ଜିଳିକାଟୁ ନଗର ଭାଜପା ଯୁବ ମୋର୍ଚ୍ଚାର ସମ୍ପାଦକ ନିତେଶ ପଣ୍ଡା ଓ ତାଙ୍କ ସହଯୋଗୀ ଅନ୍ୟ ଜଣେ ବ୍ୟକ୍ତିଙ୍କ ସହ ଗଣ୍ଡଗୋଳ ହେବା ଘଟଣା ନେଇ ଜୈନିକ ପୁଲିସ ଅଧିକାରୀ ମଙ୍ଗଳବାର ରାତିରେ ଥାନାକୁ ଡ଼ାକି ପଚରାଉଚୁରା ପରେ ମାଡ ମାରିବା ଓ ଦୁର୍ବବ୍ୟବହାର କରିଥିଲେ । ପ୍ରତିବାଦରେ ହିଞ୍ଜିଳିକାଟୁ ଭାଜପା ଯୁବ ମୋର୍ଚ୍ଚା ପକ୍ଷରୁ ଥାନା ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଥାନା ଆଇଆଇସି ଓ ଭାଜପା ନେତା ମାନେ ଏଥିନେଇ ଆଲୋଚନା କରିଥିଲେ । ମାଡ଼ ମାରିଥିବା ପୁଲିସ କର୍ମଚାରୀଙ୍କୁ ଏଠାରୁ ଅନ୍ୟତ୍ର ବଦଳି କରିବାକୁ ହିଞ୍ଜିଳିକାଟୁ ଭାଜପା ପକ୍ଷରୁ ଦାବି କରାଯାଇଛି । ଅନ୍ୟ ପକ୍ଷରେ ଏହି ଘଟଣା ପରେ ଅଞ୍ଚଳରେ ବିଭିନ୍ନ ପ୍ରତିକ୍ରିୟା ପ୍ରକାଶ ପାଇଛି ।