ବିଜେପୁର ଷ୍ଟାଇଲ୍ରେ ବିଜେପିର ନୂଆପଡ଼ା ଅଙ୍କ : ସେଇ ସୂତ୍ରରେ ଅଙ୍କ କଷୁଛି ବିଜେଡ଼ି

ଭୁବନେଶ୍ୱର : ବିଜେପୁର ଷ୍ଟାଇଲ୍ରେ ନୂଆପଡ଼ା ଅଙ୍କ କଷିଛନ୍ତି ବିଜେଡ଼ି ଓ ବିଜେପି । ବିଜେଡ଼ିର ସମ୍ଭାବ୍ୟ ପ୍ରାର୍ଥୀ ଜୟ ଢୋଲକିଆ ପଦ୍ମ ପୋଖରୀରେ ବୁଡ଼ ପକାଇଛନ୍ତି । ସେପଟେ ବିଜେପିର ସମ୍ଭାବ୍ୟ ପ୍ରାର୍ଥୀ ତାଲିକାରେ ଥିବା ବରିଷ୍ଠ ନେତା ଯଦୁମଣି ପାଣିଗ୍ରାହୀଙ୍କୁ ବିଜେଡ଼ି ଖାଳେଇରେ ପୂରାଇବାକୁ କସରତ ଆରମ୍ଭ ହୋଇଯାଇଛି । ବିଜେପୁରରେ ଏଭଳି ରଣନୀତି ଦେଖିବାକୁ ମିଳିଥିଲା । କଂଗ୍ରେସର ସମ୍ଭାବ୍ୟ ପ୍ରାର୍ଥୀ ରୀତା ସାହୁଙ୍କୁ ବିଜେଡ଼ି ନିଜ ଦଳରେ ସାମିଲ୍ କରି ଟିକେଟ୍ ଦେଇଥିବାବେଳେ ବିଜେଡ଼ିର ଆଶାୟୀ ପ୍ରାର୍ଥୀ ଅଶୋକ ପାଣିଗ୍ରାହୀଙ୍କୁ ବିଜେପି ଟିକେଟ୍ ଦେଇଥିଲା ।
୨୦୧୭ ସେପ୍ଟେମ୍ବର ୨୩ । ବିଜେପୁର ଉପନିର୍ବାଚନ ପାଇଁ ଜୋରଦାର ଅଙ୍କ କଷା ଚାଲିଥାଏ । ଦିବଂଗତ କଂଗ୍ରେସ ବିଧାୟକ ସୁବଳ ସାହୁଙ୍କ ପରିବାରକୁ ଟିକେଟ ଦେବା ନିମନ୍ତେ ତତ୍କାଳୀନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ ମନସ୍ଥ କରିସାରିଥା’ନ୍ତି । ହେଲେ ସୁବଳଙ୍କ ପତ୍ନୀ ରୀତା ସାହୁ ଓ ପୁଅ ସୁମିତ ସାହୁ ବିଜେଡ଼ିରେ ମିଶିଗଲେ । ଏହି ଉପନିର୍ବାଚନ ପୂର୍ବରୁ ବିଜେଡ଼ି ବ୍ୟାକଫୁଟକୁ ଚାଲି ଯାଇଥିଲା । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ବିଜେପି ୨୦୧୭ ପଞ୍ଚାୟତ ନିର୍ବାଚନରେ ବରଗଡ଼ରେ ଧୂଅାଁଧାର ପ୍ରଦର୍ଶନ କରିଥିଲା । ବିଜେପୁରରେ ବିଜେଡ଼ିକୁ ଢେ଼ର ପଛରେ ପକାଇ ଦେଇଥିଲା ବିଜେପି । ସାରା ରାଜ୍ୟରେ ବିଜେଡ଼ି ୨୦୧୯ରେ ହାରିଯିବ କି ବୋଲି ଏକ ଧାରଣା ବି ସୃଷ୍ଟି ହୋଇଥିଲା । ତେଣୁ ବିଜେପୁର ଉପନିର୍ବାଚନରେ ବାଜିମାତ୍ କରିବା ବିଜେଡ଼ି ପାଇଁ ଏକ ସମ୍ମାନର ବିଷୟ ଥିଲା । ତେଣୁ କଂଗ୍ରେସର ଦିବଂଗତ ବିଧାୟକ ସୁବଳ ସାହୁଙ୍କ ପରିବାରକୁ ନିଜ ସପକ୍ଷରେ ଆଣିବା ପାଇଁ ଗୋଟି ଚାଳନା ଆରମ୍ଭ ହୋଇଯାଇଥିଲା । ଏକଦା ସୁବଳ ସାହୁଙ୍କ ସହ ପ୍ରସନ୍ନ ଆଚାର୍ଯ୍ୟଙ୍କର ମଜବୁତ୍ ସମ୍ପର୍କ ଥିଲା । ପ୍ରସନ୍ନଙ୍କର ଗୋଟି ଚାଳନାରେ ସୁବଳଙ୍କ ପତ୍ନୀ ଓ ପୁଅ ବିଜେଡ଼ିକୁ ଆସିଥିଲେ । ପୁଅ ସୁମିତ୍ ଟିକେଟ ପାଇବା ପାଇଁ ଅଧିକ ଆଶା ରଖିଥିଲେବି ଦଳ କିନ୍ତୁ ତାଙ୍କ ପତ୍ନୀ ରୀତା ସାହୁଙ୍କୁ ଟିକେଟ୍ ଦେଇଥିଲା ଓ ସେ ପ୍ରାୟ ୪୨ ହଜାର ଭୋଟରେ ବାଜିମାତ୍ ବି କରିଥିଲେ ।
ସେପଟେ ବିଜେଡ଼ି ନେତା ଅଶୋକ କୁମାର ପାଣିଗ୍ରାହୀଙ୍କୁ ଟିକେଟ୍ ଦେଇଥିଲା ବିଜେପି। ଅଶୋକଙ୍କର ବିଜେପୁରରେ ଭଲ ସଂଗଠନ ରହିଥିଲା । ତେବେ ସେ ପ୍ରାୟ ୬୧ ହଜାର ଭୋଟରେ ସୀମିତ ରହିଥିଲେ । ବିଜେପୁରର ରିମେକ୍ ଏବେ ନୂଆପଡ଼ାରେ ଦେଖିବାକୁ ମିଳିଛି । ତିନି ସପ୍ତାହ ତଳେ ଜୟ ଢୋଲକିଆଙ୍କ ସହ ଅମିତ ଶାହା କଥା ହୋଇଥିବା ନେଇ ଚର୍ଚ୍ଚା ହୋଇଥିଲା । ସୁରଟରେ ତାଙ୍କର ବେପାର ବଣିଜ ଥିବାରୁ ଢୋଲକିଆଙ୍କ ପରିବାରର କିଛି ବ୍ୟକ୍ତି ସ୍ଥାନୀୟ ବିଜେପି ନେତାଙ୍କୁ ଧରି ଅମିତ ଶାହଙ୍କ ସହ ଆଲୋଚନା କରିଥିଲେ । ଜୟ ବିଜେପିରୁ ଲଢ଼ିପାରନ୍ତି ବୋଲି ଅନେକ ଗଣମାଧ୍ୟମରେ ବି ଚର୍ଚ୍ଚା ହୋଇଥିଲା। ହେଲେ ଜୟ ନିଜେ ଗଣମାଧ୍ୟମରେ ଏହାକୁ ଖଣ୍ଡନ କରିଥିଲେ । ସେ କହିଥିଲେଯେ, ମୁଁ ବିଜେଡ଼ିରୁ ଲଢ଼ିବି । ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ତାଙ୍କ ସହ କଥା ହୋଇଛନ୍ତି । ଦଳରେ ବିଭ୍ରାଟ କରିବା ପାଇଁ ଏଭଳି କୁହାଯାଉଛି ବୋଲି ଜୟ କହିଥିଲେ । ହେଲେ ଦୁଇଦିନ ତଳେ ଜୟ ନୂଆଦିଲ୍ଲୀ ଯାଇଥିଲେ । ସେଠାରେ ବିଜେପି ନେତାଙ୍କ ସହ ଭେଟି ଆଲୋଚନା କରିଥିଲେ । ଏହା ପରେ ପରେ ଜୟ ବିଜେପି ଯିବେ ବୋଲି ଚର୍ଚ୍ଚା ଜୋର ଧରିଥିବାବେଳେ ଆଜି ସକାଳୁ ଏହା ସ୍ପଷ୍ଟ ହୋଇଯାଇଥିଲା । ଦୁଇ ଦିନ ତଳେ ବିଜେଡ଼ିର ଜନସମ୍ପର୍କ ପଦଯାତ୍ରାରେ ନବୀନଙ୍କ ସହ ଜୟଙ୍କର ପୋଷ୍ଟର ଲାଗିଥିବାବେଳେ ତାଙ୍କ ମା’ବି ଶୋଭାଯାତ୍ରାରେ ନବୀନ ପଟ୍ଟନାୟକ ଓ ଶଙ୍ଖ ଚିହ୍ନ ଜିନ୍ଦାବାଦର ନାରା ଦେଇଥିଲେ। କିନ୍ତୁ ୪୮ ଘଣ୍ଟା ପରେ ସବୁ ଚିତ୍ର ବଦଳି ଯାଇଥିଲା । ବିଜେପିରେ ଯୋଗଦେବା ପରେ ଜୟ ଢୋଲକିଆ ବିଜେପିରୁ ପ୍ରାର୍ଥୀ ହେବା ନିଶ୍ଚିତ ହୋଇଯାଇଛି ।
ଅପରପକ୍ଷରେ ବିଜେପିର ଆଶାୟୀ ପ୍ରାର୍ଥୀଙ୍କ ମଧ୍ୟରୁ ଅଭିନନ୍ଦନ ପଣ୍ଡା ଏବେ ଗୁମସୁମ୍ ରହିଥିବାବେଳେ ଦଳୀୟ ନିଷ୍ପତ୍ତିକୁ ମାନିବେ ବୋଲି କହିଛନ୍ତି ବସନ୍ତ ପଣ୍ଡା । ସେପଟେ ପ୍ରସନ୍ନ ପାଢ଼ୀ ଓ ଯଦୁମଣି ପାଣିଗ୍ରାହୀଙ୍କ ସହ ବିଜେଡ଼ି ଯୋଗସୂତ୍ର ଆରମ୍ଭ କରିଦେଇଛି । ବିଜେଡ଼ି ସହ ପ୍ରସନ୍ନଙ୍କର ପୁରୁଣା ସମ୍ପର୍କ ଥିବାବେଳେ ବାରବାର ଦଳରୁ ପ୍ରତାରିତ ହେଉଥିବାରୁ ଯଦୁମଣି ବି ଅସୁଖୀ ଅଛନ୍ତି । ଆସନ୍ତାକାଲି ନୂଆପଡ଼ାରେ ପିଏସି ଓ ଷ୍ଟିୟରିଂ କମିଟି ସଭ୍ୟ ଆଲୋଚନା କରିବା ପରେ ଚିତ୍ର ସ୍ପଷ୍ଟ ହୋଇଯିବ । ଏସବୁ ଭିତରେ ବିଜେପିର କିଛି କାର୍ଯ୍ୟକର୍ତ୍ତା କ୍ଷୁବ୍ଧ ଥିବା ଜଣାପଡ଼ିଛି । ଏନେଇ ସେମାନେ ସୋସିଆଲ ମିଡ଼ିଆରେ ବାର୍ତ୍ତା ଦେଇଛନ୍ତି । ଢୋଲକିଆଙ୍କ ପରିବାର ବିରୋଧରେ ଦଳୀୟ କାର୍ଯ୍ୟକର୍ତ୍ତାମାନେ ଲଢୁଥିବାବେଳେ ଆଜି କିଭଳି ଭୋଟ୍ ଦେବେବୋଲି ସେମାନେ ପଚାରିଛନ୍ତି । ଅପରପକ୍ଷରେ ଅସନ୍ତୁଷ୍ଟଙ୍କୁ ମନାଇବା ପାଇଁ ଆସନ୍ତାକାଲି ବିଜେପିର ଏକ ଟିମ୍ ନୂଆପଡ଼ା ଯିବ।