ପୁଅଙ୍କ ପାଇଁ ଅଣ୍ଟା ଭିଡ଼ିଲେ ବାପା
Odisha Politics

ଭୁବନେଶ୍ୱର : ‘ଆଗରୁ ମୋତେ ଭୋଟ ଦେଉଥିଲେ । ଏଥର ମୋ ପୁଅ ଆପଣଙ୍କୁ ଲାଗିଲା ।’ ପୁଅଙ୍କ ପାଇଁ ପ୍ରଚାର ମଙ୍ଗ ଧରି ଏମିତି ନିବେଦନ କରୁଛନ୍ତି ବାପା । ପ୍ରଚାର ଜୋରଦାର ଆରମ୍ଭ ହୋଇଯାଇଥିବାବେଳେ ଏବେ ରାଜନେତାମାନେ ପିଲାଙ୍କୁ ଜିତାଇବା ପାଇଁ ଦିନରାତି ଏକ କରିଦେଇଛନ୍ତି । ଏମିତିକି ପୁଅ ପ୍ରାର୍ଥୀ ହୋଇଥିଲେବି ବାପାଙ୍କ ଆଖିରୁ ନିଦ ହଜିଯାଇଛି ।
ବରିଷ୍ଠ ନେତା ବିଜୟ ମହାପାତ୍ର ୨୦୦୦ରୁ ବିଧାନସଭା ମାଟି ମାଡ଼ି ପାରିନାହାନ୍ତି । ଏଥର କିନ୍ତୁ ତାଙ୍କ ପୁଅ ଅରବିନ୍ଦ ବିଜେଡ଼ିରେ । ନିଜର ପୁରୁଣାଗଡ଼ ପାଟକୁରାରୁ ନିର୍ବାଚନ ଲଢୁଛନ୍ତି । ଅନେକ ବର୍ଷ ପରେ ବିଜୟର ସ୍ୱାଦ ଚାଖିବା ପାଇଁ ବିଜୟ ଏବେ ପାଟକୁରାର ପ୍ରତି ପଞ୍ଚାୟତ ନେତାଙ୍କ ସହ କଥା ହେଉଛନ୍ତି । ପୁରୁଣା ତିକ୍ତତାକୁ ଭୁଲି ଅତନୁ ସବ୍ୟସାଚୀ ନାୟକଙ୍କ ସହ ଏକାଠି ବସି ଆଲୋଚନା ମଧ୍ୟ କରୁଛନ୍ତି । ମାହାଙ୍ଗା ବିଧାୟକ ପ୍ରତାପ ଜେନା ଏଥର ଟିକେଟ ପାଇବା ନିଶ୍ଚିତ ଥିଲା । କିନ୍ତୁ କୋର୍ଟରେ ମାମଲା ଥିବାବେଳେ ସେ କେତେକ ପ୍ରସଙ୍ଗରେ ବିବାଦୀୟ ହୋଇଯାଇଛନ୍ତି । ତେଣୁ ତାଙ୍କ ପୁଅ ଅଙ୍କିତଙ୍କୁ ବିଜେଡ଼ି ଟିକେଟ ଦେଇଛି । ପୁଅ ପ୍ରଥମ ଥର ପାଇଁ ନିର୍ବାଚନ ଲଢିବାକୁ ଯାଉଥିବାବେଳେ ତାଙ୍କୁ ଜିତାଇବା ପାଇଁ ସେ ହିଁ ବ୍ଳୁପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି ।
ବଲାଙ୍ଗୀରରୁ ଦୁଇ ଦୁଇ ଥର ରାଜ ପରିବାରକୁ ମାତ୍ ଦେଇ ରେକଡର଼୍ କରିଛନ୍ତି ନରସିଂହ ମିଶ୍ର । ବୟସାଧିକ୍ୟ କାରଣରୁ ସେ ଏଥର ପୁଅ ସମରେନ୍ଦ୍ରଙ୍କୁ ବାଟ ଛାଡ଼ିଛନ୍ତି । ରାଜ ପରିବାର ସହ ପୁଣି ଥରେ ତାଙ୍କର ମୁହାଁମୁହିଁ ହେବ । ଯେଉଁଥିପାଇଁ ନରସିଂହ ଏବେ ବଲାଙ୍ଗୀରରେ ବସି ପୁଅ ପାଇଁ ଗୋଟି ଚଳାଇବା ଆରମ୍ଭ କରିଦେଇଛନ୍ତି । କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା ଚବିଶ ନିର୍ବାଚନ ଲଢ଼ିବେ ନାହିଁ । ତାଙ୍କ ପୁଅ ଅଭିନନ୍ଦନଙ୍କୁ ନୂଆପଡ଼ାରୁ ବିଜେପି ପ୍ରାର୍ଥୀ କରିଛି । ପୂର୍ବରୁ ବସନ୍ତ ନୂଆପଡ଼ାରୁ ବିଧାୟକ ହୋଇଥିବାରୁ ସେ ହିଁ ପୁଅର ବିଜୟ ଭାର କାନ୍ଧକୁ ନେଇଛନ୍ତି । ଜର୍ଜ ତିର୍କୀ ଓ ତାଙ୍କ ପୁଅ ରୋହିତ ଯୋଶେଫ ତିର୍କୀ ଗତ ନିର୍ବାଚନରେ ହାରି ଯାଇଥିଲେ । ଏଥର କିନ୍ତୁ ତାଙ୍କ ପୁଅକୁ ବିଜେଡ଼ି ଟିକେଟ ଦେଇଛି । ପଲା ଭାରି ଥିବାରୁ ପ୍ରଥମ ଥର ପାଇଁ ପୁଅର ବିଧାନସଭା ପ୍ରବେଶ ପାଇଁ ଜର୍ଜ ବି କୌଣସି ସୁଯୋଗ ହାତଛଡ଼ା କରୁନାହାନ୍ତି ।
ଟାଣୁଆ ଆଦିବାସୀ ନେତା ମଙ୍ଗଳା କିଷାନଙ୍କ ପୁଅ ଅନୀଲ ବରୁଆ ଏଥର ନିର୍ବାଚନ ଲଢୁଛନ୍ତି । ତେଣୁ ନିଜ ରାଜନୀତିକ ଅଭିଜ୍ଞତା ଆଧାରରେ ପୁଅଙ୍କୁ ଜିତାଇବା ପାଇଁ ସେ ବି ଲାଗି ପଡ଼ିଛନ୍ତି । ଏଥର କଳାହାଣ୍ଡିରେ ବାପା ଓ ପୁଅ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି । ଭକ୍ତଚରଣ ଦାସ ନର୍ଲାରେ ଲଢିବାର ଥିବାବେଳେ ପୁଅ ସାଗର ଚରଣ ଦାସ ପୁଣି ଭବାନୀପାଟଣାରୁ ନିର୍ବାଚନ ଲଢିବେ । ଭକ୍ତ ଉଭୟ ନର୍ଲା ଓ ଭବାନୀପାଟଣା ପାଇଁ ରଣନୀତି ପ୍ରସ୍ତୁତି କରୁଛନ୍ତି । ଚିକିଟି ରାଣୀ ଉଷାଦେବୀଙ୍କର ରାଜନୀତିକ କ୍ୟାରିୟର ବହୁତ ଲମ୍ବା । ବହୁବାର ବିଧାୟିକା ଓ ମନ୍ତ୍ରୀ ହେବାର ସେ ସୁଯୋଗ ପାଇଛନ୍ତି । ଏଥର ସେ ଆଉ ନିର୍ବାଚନ ନଲଢ଼ି ପୁଅ ଚିନ୍ମୟାନନ୍ଦ ଶ୍ରୀରୂପ ଦେବଙ୍କୁ ବାଟ ଛାଡ଼ିଛନ୍ତି । ପୁଅ ଲଢୁଥିଲେ ବି ମାଆ ହିଁ ତାଙ୍କ ପାଇଁ ରଣନୀତି କରୁଛନ୍ତି । କଂଗ୍ରେସ ନେତା ଭୁଜବଳ ମାଝୀ ଓ ତାଙ୍କ ଝିଅ ଡାକ୍ତର ଲିପିକା ମାଝୀଙ୍କୁ ଏଥର କଂଗ୍ରେସ ଟିକେଟ ଦେଇଛି । ଭୁଜବଳ ନିଜ ନବରଙ୍ଗପୁର ଲୋକସଭା ଆସନ ଅପେକ୍ଷା ଝିଅ ଲିପିକାଙ୍କୁ ଡାବୁଗାଁରେ ଜିତାଇବା ପାଇଁ ବେଶୀ ଉଦ୍ୟମ କରୁଥିବା ଦେଖିବାକୁ ମିଳୁଛି ।