ବିଡିଏର ଟାଉନ୍ ପ୍ଲାନିଂ ଯୋଜନାକୁ ବିରୋଧ

  ବାରଙ୍ଗ : ଆସନ୍ତା ୨୯ ତାରିଖରେ କେନ୍ଦ୍ର କୃଷିମନ୍ତ୍ରୀ ଶିବରାଜ ସିଂ ଚୌହାନ ବିକଶିତ କୃଷି ସଂକଳ୍ପ ଅଭିଯାନ ଆରମ୍ଭ କରିବାକୁ ଯାଉଛନ୍ତି । ଏଥିପାଇଁ ବିଡିଏ ପକ୍ଷରୁ ଟାଉନ୍ ପ୍ଲାନିଂ ନାମରେ ଶହଶହ ଏକର ଚାଷ ଜମିକୁ ଅକ୍ତିଆରକୁ ନେବାକୁ ଉଦ୍ୟମ ଆରମ୍ଭ କରିଛନ୍ତି । ଯାହାକୁ ନେଇ ବାରଙ୍ଗ ଅନ୍ଧାରୁଆ ପଞ୍ଚାୟତବାସୀ ପ୍ରଶ୍ନ ଉଠାଇଛନ୍ତି । ଏ ନେଇ ଅନ୍ଧାରୁଆ ଓ ଦାସପୁରର ବାଲୁଙ୍କେଶ୍ୱର ମନ୍ଦିରରେ ଅନ୍ଧାରୁଆ କୃଷକ ଓ ଶ୍ରମିକସଂଘ ପକ୍ଷରୁ ଏକ ସଭାର ଆୟୋଜନ କରାଯାଇଥିଲା । ଏଥିରେ ଓଡ଼ିଶା କୃଷକ ସଂଘର ସମ୍ପାଦକ ସୁରେଶ ଚନ୍ଦ୍ର ପାଣିଗ୍ରାହୀ ଓ ଜଟଣୀ କମୁ୍ୟନିଷ୍ଟ ପାର୍ଟିର ସାଧାରଣ ସମ୍ପାଦକ ମୂରଲୀଧର ଜେନା ଅତିଥି ଭାବେ ଯୋଗ ଦେଇ ବିଡିଏର ଏହି ଟାଉନ୍ ପ୍ଲାନିଂ ଯୋଜନାକୁ ବିରୋଧ କରିଥିଲେ । ଚାଷୀମାନଙ୍କର ଚାଷଜମିରୁ ବିଡିଏ ୪୦ ପ୍ରତିଶତ ନେଇଯିବ ଏବଂ ବାକି ଜମି ମାଲିକଙ୍କୁ ୬୦ପ୍ରତିଶତ ଛାଡ଼ିଦେବ ବୋଲି ଗ୍ରାମବାସୀମାନେ କହିଛନ୍ତି  । ନେଉଥିବା ୪୦ପ୍ରତିଶତରୁ ଜମିର କ୍ଷତିପୂରଣ ମଧ୍ୟ ଦେବନାହିଁ । ଯାହାଫଳରେ ଚାଷୀମାନେ ନିଜ ବେଉସା ହରାଇବା ସହ କ୍ଷତିର ସମ୍ମୁଖୀନ ହେବେ । ତେବେ ସରକାରଙ୍କର ଏହି ନିଷ୍ପତ୍ତିକୁ ପଞ୍ଚାୟତବାସୀ ମାନିବାକୁ ପ୍ରସ୍ତୁତ ନାହାନ୍ତି ବୋଲି ରୋକ୍ଠୋକ୍ ଜଣାଇ ଦେଇଛନ୍ତି । ଏହି ସଭାରେ କବିରାଜ ସାହୁ, ପ୍ରସନ୍ନ ପଟ୍ଟନାୟକ, ଭଗବାନ ବେହେରା, ଭାବଗ୍ରାହୀ ସର୍ଜନ ସିଂହ, ସୁବାଷ ନାୟକ ପ୍ରମୁଖ ଯୋଗ ଦେଇ ଚାଷୀମାନଙ୍କ ସୁରକ୍ଷାକୁ ନେଇ ବିଭିନ୍ନ ପ୍ରସ୍ତାବ ରଖିଥିଲେ ।