ସ୍କୁଲ ଉନ୍ନତିକରଣ କାର୍ଯ୍ୟ ନିମ୍ନମାନର!

 କାକଟପୁର: ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ୍ ଅନ୍ତର୍ଗତ ଆଳସାହି ପଂଚାୟତର ଆର୍ତ୍ତତ୍ରାଣ ଉଚ୍ଚ ବିଦ୍ୟାପୀଠରେ ନିମ୍ନମାନର କାର୍ଯ୍ୟ ହେଉଥିବା ଅଭିଯୋଗ କରିଛନ୍ତି ସ୍କୁଲ ପରିଚାଳନା କମିଟି ସଭାପତି ପଞ୍ଚାନନ ସ୍ୱାଇଁ । ସୂଚନା ଯୋଗ୍ୟ କି, ପୂର୍ବ ସରକାର ସମୟରେ ଆର୍ତ୍ତତ୍ରାଣ ବିଦ୍ୟାପୀଠକୁ ୫-ଟି ଅଧୀନରେ ଅର୍ଥ ମଂଜୁର ହୋଇଥିଲା । କିନ୍ତୁ ୩ ବର୍ଷ ବିତି ଯାଇଥିଲେ ମଧ୍ୟ ବ୍ଲକ୍ ପ୍ରଶାସନ ଏହି ବିଦ୍ୟାଳୟକୁ କାର୍ଯ୍ୟ କରିପାରିନଥିଲେ । କିନ୍ତୁ ଉକ୍ତ କାର୍ଯ୍ୟଟି ଦୁଇଦିନ ହେଲା ଆରମ୍ଭ ହୋଇ ବ୍ଲକ୍ କନିଷ୍ଠ ଯନ୍ତ୍ରୀଙ୍କ ନାମରେ କାର୍ଯ୍ୟାଦେଶ ରହିଛି । ହେଲେ ଯନ୍ତ୍ରୀଙ୍କ ବିନା ଉପସ୍ଥିତିରେ ସ୍କୁଲର କାର୍ଯ୍ୟ ହେଉଥିବା ଶ୍ରୀଯୁକ୍ତ ସ୍ୱାଇଁ ଅଭିଯୋଗ କରିଛନ୍ତି । ଶ୍ରୀଯୁକ୍ତ ସ୍ୱାଇଁଙ୍କ କହିବା ଅନୁଯାଇ ଏହି କାର୍ଯ୍ୟରେ ବ୍ୟବହୃତ ବାଲି ଅତି ସରୁ ଓ ଲୁଣି ବାଲି ଏବଂ ବ୍ୟବହୃତ ସିମେଣ୍ଟ ଅତି ନିମ୍ନମାନର । ବିଭାଗୀୟ ଅଧିକାରୀଙ୍କ ବିନା ଉପସ୍ଥିତିରେ ଚାଲୁଥିବା କହିବା ସହ ପୂର୍ବରୁ ନିମ୍ନମାନର କାର୍ଯ୍ୟ ଯୋଗୁଁ ଅସ୍ତରଙ୍ଗ ବ୍ଲକ୍ ତାଳଦା ପଢିଆରୀ ବିଦ୍ୟାପୀଠରେ ଛାତରୁ ସିଲିଂ ଖସି ଜଣେ କାର୍ଯ୍ୟରତ ଶିକ୍ଷୟିତ୍ରୀଙ୍କ ମୁଣ୍ଡରେ ପଡି ଗୁରୁତର ଆହତ ହୋଇଥିଲେ । ଯାହା ସେତେବେଳେ ଖବର କାଗଜର ଶିରୋନାମା ପାଲଟିଥିଲା ଏବଂ କେନ୍ଦ୍ରାପଟି ପଂଚାୟତ କଣ୍ଟାପଡା ସ୍କୁଲରେ ନିମ୍ନ୍ନମାନର କାର୍ଯ୍ୟ ଯୋଗୁଁ ଟାଇଲି ଉଠି ଯାଇଥିଲା । ଯାହା ପାଇଁ ପୂର୍ବର ସରକାରକୁ ସମାଲୋଚନା ହେବାକୁ ପଡିଥିଲା । ସବୁଠାରୁ ଗୁରୁତ୍ୱପୂର୍ଣ କଥା ହେଲା ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଉକ୍ତ କାର୍ଯ୍ୟର ଏଷ୍ଟିମେଣ୍ଟ କନିଷ୍ଠ ଯନ୍ତ୍ରୀଙ୍କୁ ମାଗୁଥିଲେ ମଧ୍ୟ ତାଙ୍କୁ ଦିଆଯାଉ ନାହଁ ବୋଲି ଅଭିଯୋଗ କରିବା ସହ ଜିଲ୍ଲାପାଳ ଏହି କାର୍ଯ୍ୟ ଉପରେ ଦୃଷ୍ଟି ଦେବାକୁ ଶ୍ରୀଯୁକ୍ତ ସ୍ୱାଇଁ ନିବେଦନ କରିଛନ୍ତି । ଏ ସମ୍ପର୍କରେ ଦାୟିତ୍ୱରେ ଥିବା ଯନ୍ତ୍ରୀଙ୍କୁ ଯୋଗା ଯୋଗ କରିବା ସମ୍ଭବ ହୋଇନାହିଁ ।