ଜିଲ୍ଲାପାଳଙ୍କ ସ୍ୱାସ୍ଥ୍ୟ ବିଭାଗ କାର୍ଯ୍ୟ ସମୀକ୍ଷା

 ନୂଆପଡା : ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଦ୍ୱାରା ସ୍ୱାସ୍ଥ୍ୟ ବିଭାଗର କାର୍ଯ୍ୟ ଏବଂ ଅଣସଂକ୍ରାମକ ରୋଗ ନିୟନ୍ତ୍ରଣ ସମୀକ୍ଷା ବୈଠକ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡଃ ମନୋଜ କୁମାର ସାହୁ, ଏଡିଏମ୍ଓ ଡଃ ଲଲିତ ମୋହନ ବିଶି, ଡଃ ଉମାକାନ୍ତ ମେହେର, ଜିଲ୍ଳା ସମସ୍ତ ଡାକ୍ତରଖାନାର ମୁଖ୍ୟ ଅଧିକାରୀ, ବୈଷୟିକ ଅଧିକାରୀମାନେ ଯୋଗ ଦେଇଥିଲେ । ସମୀକ୍ଷାରୁ ଜଣାଯାଇଛି ଯେ, ଏପ୍ରିଲରୁ ଜୁନ୍ ୧୫ ମଧ୍ୟରେ ଜିଲ୍ଲାରେ ମାତୃ ମୃତୁ୍ୟ ସଂଖ୍ୟା ୩ ହୋଇଥିବା ବେଳେ ଶିଶୁ ମୃତୁ୍ୟ ୩୯ ରହିଛି । ଏଥିରେ ଜିଲ୍ଲାପାଳ ଦୁଃଖ ପ୍ରକାଶ କରି ଜିଲ୍ଲାରୁ ମାତୃ ଓ ଶିଶୁ ମୃତୁ୍ୟହାର ଶୂନ୍ୟ କରିବା ପାଇଁ ସମସ୍ତ ଅଧିକାରୀମାନଙ୍କୁ ନିଦେ୍ର୍ଦଶ ଦେଇଥିଲେ । ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାରେ ପ୍ରଥମ ପର୍ଯ୍ୟାୟରେ ୨,୮୮,୪୧୯ ସ୍ୱାସ୍ଥ୍ୟବୀମା କାର୍ଡ ପ୍ରାପ୍ତ ହୋଇଥିବାବେଳେ ସେଥିରୁ ୧,୪୯,୩୦୧ କାର୍ଡ ବଣ୍ଟନ ହୋଇଛି । ସମସ୍ତ ସ୍ୱାସ୍ଥ୍ୟ ବୀମାକାର୍ଡ ଅତି ଶୀଘ୍ର ହିତାଧିକାରୀଙ୍କୁ ବଣ୍ଟନ କରିବାକୁ ଜିଲ୍ଲାପାଳ ନିଦେ୍ର୍ଦଶ ଦେଇଛନ୍ତି । ଜିଲ୍ଲାରେ ଏପ୍ରିଲରୁ ଜୁନ୍ ୧୫ ମଧ୍ୟରେ ୨୧୩୬ ଜଣ ରକ୍ତଚାପ ରୋଗୀ, ୧୩୫୬ ଜଣ ମଧୁମେହ ରୋଗୀ ଏବଂ ୬୩୦୬ ସିକିଲ୍ ସେଲ୍ ରୋଗୀ ଚିହ୍ନଟ ହୋଇଛନ୍ତି । ଜିଲ୍ଲାର ସମସ୍ତ ଅଣ ସଂକ୍ରାମକ ରୋଗୀଙ୍କୁ ଚିହ୍ନଟ କରି ସମସ୍ତଙ୍କୁ ମାଗଣା ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯିବ । ସେହିପରି ଜିଲ୍ଲାକୁ ସମ୍ପୂର୍ଣ୍ଣ କୁଷ୍ଠ ରୋଗ ଓ ଟିବି ମୁକ୍ତ କରିବା ସହିତ ସମସ୍ତ ଶିକ୍ଷାନୁଷ୍ଠାନକୁ ତମାଖୁ ମୁକ୍ତ କରିବା ପାଇଁ  ଜିଲ୍ଲାପାଳ ସମସ୍ତ ଡାକ୍ତର ଓ କର୍ମଚାରୀଙ୍କୁ ଆହ୍ୱାନ ଦେଇଛନ୍ତି । ଜିଲ୍ଲାପାଳଙ୍କ ଏକ ଅଭିନବ ପଦକ୍ଷେପ ସ୍ୱରୂପ ଜିଲ୍ଲାର ସମସ୍ତ ଡାକ୍ତରଖାନାର ୱାର୍ଡମାନଙ୍କରେ ଲୋକପ୍ରିୟ ଭଜନ ତଥା ପୁରୁଣା ଚଳଚ୍ଚିତ୍ର ସଙ୍ଗୀତ ମଧୁର ସ୍ୱରରେ ଗୁଞ୍ଜରିତ ହେବ । ଏହି ମୁ୍ୟଜିକ୍ ଥେରାପି ରୋଗୀମାନଙ୍କ ମନରୁ ବିଷ ଓ ବିଷାଦ ଦୂର କରିବ । ଏହା ସେମାନଙ୍କୁ ଶାନ୍ତି ପ୍ରଦାନ କରିବା ସହିତ ସେମାନେ ଦୃତ ଆରୋଗ୍ୟ ଲାଭ କରିବେ ବୋଲି ଜିଲ୍ଲାପାଳ ଆଶା ପ୍ରକାଶ କରିଛନ୍ତି ।