ବିନା ନୋଟିସରେ ଡକାଯାଉଛି ଟେଣ୍ଡର : ଦୁର୍ନୀତିର ଗନ୍ଥାଘର ପାନୀୟଜଳ କାର୍ଯ୍ୟାଳୟ 

 ଯାଜପୁର : ଚଣ୍ଡିଖୋଲ ସ୍ଥିତ ଗ୍ରାମ୍ୟ ପରିମଳ ପାନୀୟଜଳ କାର୍ଯ୍ୟାଳୟ ଦୁର୍ନୀତିର ଗନ୍ଥାଘର ପାଲଟିଛି । କାର୍ଯ୍ୟାଳୟ ଅଧିକ୍ଷଣ ଯନ୍ତ୍ରୀଙ୍କ ଜାଣତରେ ଉକ୍ତ କାର୍ଯ୍ୟାଳୟରେ ବିନା ନୋଟିସ୍ରେ ଡ଼କାଯାଉଛି କୋଟି କୋଟି ଟଙ୍କାର ଟେଣ୍ଡର । ସରକାରୀ ନିୟମକୁ ନମାନି ଟେଣ୍ଡର ଫିକ୍ସିଂ କରାଯାଉଛି ବୋଲି ଅଭିଯୋଗ ହୋଇଛି । ସରକାରୀ ନିୟମ ଅନୁସାରେ ପାଞ୍ଚ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାରେ ଯେ କୌଣସି କାମ କରାଯିବ ତାହା ଟେଣ୍ଡର ଡକାଯିବାର ବ୍ୟବସ୍ଥା ରହିଛି । କିନ୍ତୁ ଚଣ୍ଡିଖୋଲ ଛକରେ ଥିବା ପଞ୍ଚାୟତ ରାଜ ଓ ପାନୀୟ ଅଧିକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଏପରି କରାନଯାଇ ଦଲାଲଙ୍କ ସହିତ ସମ୍ପୃକ୍ତ ଅଧିକ୍ଷକ ଯନ୍ତ୍ରୀ ପାଖାପାଖି ୧୫୦ରୁ ଉର୍ଦ୍ଧ୍ୱ ନଳକୂପ ପାଇଁ କିଛି ଦଲାଲଙ୍କ ଦ୍ୱାରା ଏହାକୁ ସେମାନଙ୍କ ମଧ୍ୟରେ ବାଣ୍ଟ ଦିଆଯାଇଛି । ନିୟମ ଅନୁସାରେ ଯେକୌଣସି କାର୍ଯ୍ୟ ପାଇଁ ଟେଣ୍ଡରକୁ ଯିବାକୁ ହେଲେ ପ୍ରଥମେ କାର୍ଯ୍ୟାଳୟର ନୋଟିସ ବୋର୍ଡରେ ସମ୍ପୃକ୍ତ କାର୍ଯ୍ୟର ବିବରଣୀ ସହିତ ଟେଣ୍ଡର ତାରିଖ ଲେଖାଯିବା ସହ କୌଣସି ଖବର କାଗଜରେ ଏହାର ବିଜ୍ଞାପନ କରାଯାଇ ଲୋକଙ୍କୁ ଅବଗତ କରିବା କଥା । କିନ୍ତୁ ଏଠାକାର ଅଧିକ୍ଷକ ଯନ୍ତ୍ରୀ ସେପରି କିଛି ନକରି ଅଣକା ପଞ୍ଚାୟତର ଜଣେ ଠିକାଦାରଙ୍କ ସହିତ ନିଜ କାର୍ଯ୍ୟାଳୟରେ ବସି ଟେଣ୍ଡର ବିଷୟରେ ଆଲୋଚନା କରୁଥିବା ଅଭିଯୋଗ ହୋଇଛି । ଏହି ଅଭିଯୋଗ କରିଛନ୍ତି ସୁଙ୍ଗୁଡା ପଞ୍ଚାୟତର ଜଣେ ସରକାରୀ ଦଳର ଆଗଧାଡିର ଯୁବକ । ଏବିଷରେ ଗ୍ରାମ୍ୟ ପରିମଳ ଓ ପାନୀୟଜଳ କାର୍ଯ୍ୟାଳୟର ଅଧିକ୍ଷକ ଯନ୍ତ୍ରୀଙ୍କୁ ଏବିଷୟରେ ପ୍ରତିକ୍ରିୟା ନେବାକୁ ବାରମ୍ବାର ମୋବାଇଲରେ କଲ୍ କଲାପରେ ମଧ୍ୟ ଫୋନ ଉଠାଇନଥିଲେ । ସହକାରୀ ନିର୍ବାହୀଯନ୍ତ୍ରୀ ଟେଣ୍ଡର ଆହ୍ୱାନ ଦାୟୀତ୍ୱ ଡିଭିଜନ ନିର୍ଣ୍ଣୟ କରିଥାଏ ବୋଲି ଗଣମାଧ୍ୟମକୁ କହୁଛନ୍ତି । ଏଠାରେ ପ୍ରଶ୍ନ ଉଠୁଛି ବଡଚଣାର ବିଭିନ୍ନ ସ୍ଥାନରେ ଖୋଳାଯିବାକୁ ଥିବା ୪ଶହରୁ ଉର୍ଦ୍ଧ ନଳକୂପ ଖୋଳିବା ପାଇଁ ବ୍ୟବସ୍ଥା ଥିବା ବେଳେ ନିର୍ଦିଷ୍ଟ ଦୁଇ ଜଣ ଠିକାଦାରଙ୍କ ବିନା ଟେଣ୍ଡରରେ ୧୫୦ ନଳକୂପ ଖନନ ପାଇଁ ଅନୁମତି ଦିଆଗଲା କିପରି? ମୌସୁମୀ ଆସିବା ପୂର୍ବରୁ ନଳକୂପ ସରିବା ନେଇ ସନେ୍ଦହ ସୃଷ୍ଟି କରିଥିବା ବେଳେ ବିଭାଗୀୟ ଉଚ୍ଚପଦସ୍ତ ଅଧିକାରୀ ଟେଣ୍ଡର ଫିକ୍ସିଂର ତଦନ୍ତ କରିବାକୁ ଦାବି କରାଯାଇଛି ।