ବିପଦ ସଂକୁଳ ଘରେ ଚାଲିଛି ଶିକ୍ଷାଦାନ
ନିଶ୍ଚିନ୍ତକୋଇଲି : ନିଶ୍ଚିନ୍ତକୋଇଲି ମଣ୍ଡଳ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଅଧିନସ୍ଥ କେଣ୍ଟାଳ ପଂଚାୟତ ଲେଙ୍କା ସାହିଠାରେ ଅବସ୍ଥିତ ହରପାର୍ବତୀ ପ୍ରାଥମିକ ବିଦ୍ୟାଳୟ ଏକ ବିପଦ ସଂକୁଳ ବାତ୍ୟା ଆଶ୍ରୟସ୍ଥଳୀ ଗୃହରେ କାର୍ଯ୍ୟ କରୁଥିବା ଦେଖିବାକୁ ମିଳିଛି । ଏହି ପ୍ରାଥମିକ ବିଦ୍ୟାଳୟରେ ପ୍ରଥମରୁ ପଂଚମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ର ଛାତ୍ରୀମାନେ ପାଠ ପଢୁଛନ୍ତି ।ବିଦ୍ୟାଳୟର ନିଜସ୍ୱ ଜମିରେ ନିର୍ମାଣ କରାଯାଇଥିବା ଏହି ବାତ୍ୟା ଆଶ୍ରୟସ୍ଥଳୀର ଛାତରୁ ରଡ୍ ବାହାରିବା ସହିତ ଅନେକ ସ୍ଥାନରେ କାନ୍ଥରେ ମଧ୍ୟ ବଡ ବଡ ଫାଟ ସୃଷ୍ଟି ହୋଇଛି । ସେହି ଦଦରା ଛାତ ତଳେ ଛାତ୍ର ଛାତ୍ରୀମାନଙ୍କୁ ଶିକ୍ଷାଦାନ କରାଯାଉଛି । କେବଳ ସେତିକି ନୁହେଁ ସେହି ଦଦରା ଛାତ ତଳେ ମଧ୍ୟ ଅଙ୍ଗନୱାଡି କେନ୍ଦ୍ରର ପିଲାମାନେ ପାଠପଢୁଥିବା ଦେଖିବାକୁ ମିଳିଛି । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ସମସ୍ତଙ୍କୁ ଶିକ୍ଷା ଦେବା ଲକ୍ଷ୍ୟରେ ବିଭିନ୍ନ ଯୋଜନା ପ୍ରଣୟନ କରି କୋଟି କୋଟି ଟଙ୍କା ବ୍ୟୟ କରୁଥିବା ବେଳେ ହରପାର୍ବତୀ ପ୍ରାଥମିକ ବିଦ୍ୟାଳୟ କ୍ଷେତ୍ରରେ ତାହା ପ୍ରହସନରେ ପରିଣତ ହୋଇଛି । ଦୀର୍ଘ ଦିନରୁ ନିର୍ମାଣ ହୋଇଥିବା ବାତ୍ୟା ଆଶ୍ରୟସ୍ଥଳୀକୁ ନା କରାଯାଉଛି ମରାମତି ନା ନିର୍ମାଣ କରାଯାଉଛି ନୂତନ ବିଦ୍ୟାଳୟ ଗୃହ । ଭଙ୍ଗା ଦଦରା ଛାତ ତଳେ ପିଲାମାନଙ୍କୁ ପାଠ ପଢାଇବାକୁ ଛାତ୍ର ଛାତ୍ରୀଙ୍କ ଅଭିଭାବକମାନେ ଅସନ୍ତୋଷ ପ୍ରକାଶ କରୁଛନ୍ତି । ତୁରନ୍ତ ଶିକ୍ଷା ବିଭାଗୀୟ ଉଚ୍ଚ ପଦସ୍ଥ ଅଧିକାରୀ ଏଥିପ୍ରତି ଦୃଷ୍ଟି ଦେଇ ବିଦ୍ୟାଳୟର ସମସ୍ୟା ଦୂର କରି ସ୍ଥାୟୀ ପ୍ରତିକାର କରିବାକୁ ବିଦ୍ୟାଳୟରେ ଅଧ୍ୟୟନରତ ଛାତ୍ର ଛାତ୍ରୀଙ୍କ ଅଭିଭାବକମାନେ ଦୃଢ ଦାବି କରିଛନ୍ତି ।