ବିପଦସଂକୁଳ ଗୁଣ୍ଡିଚା ଘର, ପ୍ରଶାସନର ଦୃଷ୍ଟି ପଡୁ

ଖଣ୍ଡପଡ଼ା: ପ୍ରତି ବର୍ଷ ପବିତ୍ର ଘୋଷଯାତ୍ରା ରେ ଜଗନ୍ନାଥ ମହାପ୍ରଭୁ ମନ୍ଦିରରୁ ବାହାରି  ଖଣ୍ଡପଡ଼ା ସହରର ୯ନଂ ୱାର୍ଡ ସ୍ଥିତ ବିପଦଶଙ୍କୁଳ ଗୁଣ୍ଡିଚାଘରେ ଅବସ୍ଥାନ କରିଥାନ୍ତି ।ସେହି ସମୟରେ ବିଗ୍ରହଙ୍କ ଦର୍ଶନ ନିମନ୍ତେ ଗୁଣ୍ଡିଚାଘରେ ଶହଶହ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ । ତେବେ ରାଜରାଜୁଡା ଅମଳରୁ କାଠ ଖମ୍ବ ଓ ଟିଣ ଛପରରେ ନିର୍ମିତ ପୁରାତନ ଗୁଣ୍ଡିଚାଘରଟି ସମୟାନୁକ୍ରମେ ରକ୍ଷଣାବେକ୍ଷଣ ଅଭାବରୁ ଏବେ ଜରାଜୀର୍ଣ୍ଣ ଅବସ୍ଥାରେ ଦଣ୍ଡାୟମାନ । କାଳକ୍ରମେ ବିପଦଶଙ୍କୁଳ ହୋଇ ପଡିଥିବା ସେହି ଗୁଣ୍ଡିଚାଘରେ ଶ୍ରୀଜୀଉ ୯ ଦିନ ବ୍ୟାପି ଯାତ୍ରା ଅବସରରେ ଅବସ୍ଥାନ କରୁଥିବାରୁ ଭକ୍ତ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ବାରମ୍ବାର ପ୍ରଶାସନ ଓ ଲୋକପ୍ରତିନିଧିଙ୍କ ଦୃଷ୍ଟି ଆକର୍ଷଣ ସତ୍ତ୍ୱେ ଗୁଣ୍ଡିଚାଘରର ଉନ୍ନତିକରଣ ଦିଗରେ କେହି ଧ୍ୟାନ ଦେବାତ ଦୂରର କଥା ସାମାନ୍ୟ  ମରାମତି ଦିଗରେ ଆନ୍ତରିକତା ପ୍ରକାଶ ନକରିବା ପରିତାପର ବିଷୟ ।
ଖଣ୍ଡପଡା ରାଜ ପରିବାର ଦ୍ୱାରା ପରିଚାଳିତ ଶ୍ରୀଜଗନ୍ନାଥଙ୍କ ଏକର ଏକର  ଜମିବାଡି, ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ରହିଛି । ତେବେ ଏତେ ସବୁ ସତ୍ତ୍ୱେ ମହାପ୍ରଭୁ ୯ ଦିନ ବ୍ୟାପି ପବିତ୍ର ଘୋଷଯାତ୍ରା  ଅବସରରେ ବିପଦଶଙ୍କୁଳ ଗୁଣ୍ଡିଚାଘରେ ଅବସ୍ଥାନ କରୁଥିବାରୁ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ବର୍ଷ ବର୍ଷ ଧରି ବିଶ୍ୱନିୟନ୍ତା ଜଗତର ନାଥ ଶ୍ରୀ ଜଗନ୍ନାଥଜୀଉ ବିପଦଶଙ୍କୁଳ ଗୁଣ୍ଡିଚାଘରେ ରହି ଆସୁଥିଲେ ହେଁ ଏହାର ଉନ୍ନତିକରଣ ଦିଗରେ ଖଣ୍ଡପଡ଼ା ରାଜ ପରିବାରର ସଦସ୍ୟମାନେ ଦୃଷ୍ଟି ନଦେବା ଦୁଃଖର ବିଷୟ । ଅପରପକ୍ଷେ ରାଜ୍ୟ ସରକାର ମଠ, ମନ୍ଦିର ପରି ପ୍ରାଚୀନ କିର୍ତ୍ତୀରାଜି ଓ ଐତିହ୍ୟର ସୁରକ୍ଷା ଦିଗରେ କୋଟି କୋଟି ଟଙ୍କା ବ୍ୟୟ କରୁଥିଲେ ହେଁ ଦୀପତଳ ଅନ୍ଧାର ପରି ଖଣ୍ଡପଡା ସ୍ଥିତ ବିପଦଶଙ୍କୁଳ ଗୁଣ୍ଡିଚାଘରଟି ସରକାରଙ୍କ ଦୃଷ୍ଟି ଆଢୁଆଳରେ ରହିଯାଇଛି । ବିଳମ୍ବରେ ହେଉପଛେ ଗୁଣ୍ଡିଚାଘରର ଉନ୍ନତିକରଣ ଦିଗରେ ଜିଲ୍ଲା ପ୍ରଶାସନ, ଖଣ୍ଡପଡା ଏନିଏସି କର୍ତ୍ତୃପକ୍ଷ, ବିଧାୟକ ଓ ସାଂସଦ ଦୃଷ୍ଟି ଦେବାକୁ ଖଣ୍ଡପଡ଼ା ସହରବାସୀ ଦାବି କରିଛନ୍ତି ।