ଚୁଆ ପାଣି ମେଣ୍ଟାଉଛି ଶୋଷ 


 ଢେଙ୍କାନାଳ : ସ୍ୱାଧିନତାର ୭୮ବର୍ଷ ପରେ ଆଜିବି ମୌଳିକ ସୁବିଧାରୁ ବଞ୍ଚôତ ଆଦିବାସୀ । ସରକାର ଆଦିବାସୀଙ୍କର ବିକାଶର କଥା କହି ଡ଼ିମିଣ୍ଡିମ ପିଟୁଥିବା ବେଳେ ବାସ୍ତବ ଚିତ୍ର ଅଲଗା । ସମାନ୍ୟ ଜଳ ମୁନ୍ଦାଏ ପାଣି କୋଡିଏରୁ ଊଦ୍ଧ୍ୱର୍ ଆଦିବାସୀ ପରିବାର ସଂଘର୍ଷ କରୁଥିବାବେଳେ ଚୁଆ ପାଣି ମେଣ୍ଟାଉଛି ଶୋଷ । ଏପରି ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ପିଙ୍ଗୁଆ ଗ୍ରାମପଞ୍ଚାୟତ ଅଧିନସ୍ଥ ବାଲିକିଆରିର ନାଉଗୋଡାବସ୍ତିରେ । ଶହେରୁ ଅଧିକ ଆଦିବାସୀ ଉକ୍ତ ବସ୍ତିରେ ରହୁଥିବାବେଳେ ପିଇବା ପାଣି ମୁନେ୍ଦ ପାଇଁ ନାହିଁ ନ ଥିବା ହଇରାଣ ହେଉଛନ୍ତି । ପାହାଡ଼ ତଳେ ଅବସ୍ଥିତ ଏହି ବସ୍ତିବାସିନ୍ଦାଙ୍କ ପାଇଁ ଚୁଆପାଣି ପାଲଟିଛି ଜୀବନ ରେଖା । ଦୈନନ୍ଦିନ କାର୍ଯ୍ୟ ପାଇଁ ଆବଶ୍ୟକୀୟ ପାଣି ପାଇଁ ସେମାନେ ବର୍ଷସାରା ଏହି ଚୁଆ ଉପରେ ନିର୍ଭର କରିଥାନ୍ତି । ବର୍ଷା ଦିନେ ଯାହା ଯେମିତି ଚଳି ଯାଉଥିବା ବେଳେ ଖରାଦିନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୁଅନ୍ତି ବସ୍ତି ବାସିନ୍ଦାମାନେ । ପ୍ରତି ନିର୍ବାଚନ ସମୟରେ ଏହି ସରଳ ଆଦିବାସୀଙ୍କୁ ସମସ୍ୟାର ସମାଧାନ ପାଇଁ କଥା ଦେଇ ନେତାମାନେ ଭୋଟ ହାତେଇବା ପରେ ସେମାନଙ୍କ ସମସ୍ୟାକୁ ଭୁଲି ଯାଇଥାନ୍ତି ।  ତେବେ ଏହି ସମସ୍ୟା ନେଇ ପ୍ରଶାସନ ଠାରୁ ନେତା ମନ୍ତ୍ରୀ ପର୍ଯ୍ୟନ୍ତ ସମସ୍ତଙ୍କ ପାଖକୁ ଧାଇଁ ଧାଇଁ ନିରାଶ ହୋଇଗଲେଣି ବସ୍ତିବାସିନ୍ଦା । ବସୁଧା ଯୋଜନାରେ ବିଶୁଦ୍ଧ ପାନୀୟ ଜଳ ଘରେ ଘରେ ପହଞ୍ଚାଇବାକୁ ସରକାରଙ୍କ ପକ୍ଷରୁ ଅନେକ ଯୋଜନା କାର୍ଯ୍ୟକାରୀ ହେଉଛି । କିନ୍ତୁ ଏହି ଗରିବ ଆଦିବାସୀ ମାନଙ୍କ ପାଇଁ ନେତା ହେଉ ଅଥବା ପ୍ରଶାସନ ଅଧିକାରୀ କାହାରି ମନରେ ଦୟା ଭାବ ଟିକେ ନାହିଁ । ଉକ୍ତ ଚୁଆରୁ ଯେତିକି ପାଣି ବାହାରୁଚି ତାହା ପୁଣି ସମୁଦ୍ରକୁ ଶଙ୍ଖ ସଦୃଶ । ଏବେଠାରୁ ଉକ୍ତ ପଡାରେ ପାନୀୟ ଜଳ ଯୋଗାଣକୁ ସୁନିଶ୍ଚିତ କରାନଗଲେ ଆଗାମୀ ଦିନରେ ଏଠାରେ ଜନ ଆନେ୍ଦାଳନ ଦେଖା ଦେଇପାରେ ବୋଲି ଜଣାପଡିଛି ।