ହୁଣ୍ଡିରୁ ମିଳିଲା ୧କେଜିର ସୁନା ବିସ୍କୁଟ

ଜୟପୁର:  ମନ୍ଦିରକୁ ସାଧାରଣ ଭାବେ ଦାନ କଲେ ଆପଣ କ’ଣ ଦାନ କରିବେ । ଟଙ୍କା, ଜାଗାବାଡ଼ି କିମ୍ବା ଗହଣା ଭାବେ କିଛି ପରିମାଣର ସୁନା ଓ ରୁପା । କିନ୍ତୁ ସମାଜରେ ଏଭଳି କିଛି ଶ୍ରଦ୍ଧାଳୁ ଅଛନ୍ତି ଯେଉଁମାନେ ଅଧିକ ପରିମାଣର ସମ୍ପତ୍ତି ଦାନ କରି ଚର୍ଚ୍ଚାକୁ ଆସିଥା’ନ୍ତି । ଠିକ୍ ଏହିଭଳି ଘଟଣା ଘଟିଛି ରାଜସ୍ଥାନର ଚିତ୍ତୋରଗଡ଼ରେ ଥିବା ସାନୱାଲିୟା ସେଠ୍ ମନ୍ଦିରରେ । ଏହି ମନ୍ଦିରରେ ଭଗବାନ ଶ୍ରୀକୃଷ୍ଣ ପୂଜା ପାଉଥିବା ବେଳେ ଆଶ୍ଚର୍ଯ୍ୟଚକିତ ଭାବେ ଏହି ମନ୍ଦିର ଦାନବାକ୍ସରୁ ମିଳିଛି ୧ କେଜି ଓଜର ସୁନାବିସ୍କୁଟ ଓ ରୁପାର ଏକ ବନ୍ଧୁକ । ଏହାବାଦ ୨୩ କୋଟିରୁ ଅଧିକ ଟଙ୍କା, ଓ ରୁପାର ହ୍ୟାଣ୍ଡକପ ମଧ୍ୟ ମିଳିଛି । ସୂଚନାରୁ ଜଣାପଡ଼ିଛି ଯେ, ମନ୍ଦିର କର୍ତ୍ତୃପକ୍ଷ ୨ମାସର ବ୍ୟବଧାନରେ ଦାନବାକ୍ସ ଖୋଲିଥା’ନ୍ତି ଏବଂ ଗଣତି ପ୍ରକ୍ରିୟା ପ୍ରତି ମାସର ଅମାବାସ୍ୟାରେ କରାଯାଇଥାଏ । କିନ୍ତୁ ଚଳିତଥର ଯେତିକି ପରିମାଣର ଗହଣା ଓ ଟଙ୍କା ଗଣତି ହୋଇଛି, ତାହା ଆଗରୁ କେବେ ହୋଇ ନଥିଲା ବୋଲି କର୍ତ୍ତୃପକ୍ଷ ପ୍ରକାଶ କରିଛନ୍ତି ।
ସୂଚନାଯୋଗ୍ୟ, ଏହାକୁ ବିଭିନ୍ନ ପର୍ଯ୍ୟାୟରେ ଗଣତି କରାଯାଉଛି । ପ୍ରଥମ ପର୍ଯ୍ୟାୟରେ ୧୧.୩୪ କୋଟି ଟଙ୍କାର ଗଣତି ହୋଇଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟରେ ୩.୬୦ କୋଟି, ତୃତୀୟ ପର୍ଯ୍ୟାୟରେ ୪.୨୭ କୋଟି ଟଙ୍କା ଗଣତି ହୋଇଥିଲା । ବର୍ତ୍ତମାନ ସୁଦ୍ଧା ହୋଇଥିବା ଗଣତିରୁ ୨୩ କୋଟିରୁ ଅଧିକ ଟଙ୍କା ସଂଗ୍ରହ ହୋଇଛି । ଏହାବାଦ ଶ୍ରଦ୍ଧାଳୁମାନେ ମନ୍ଦିରକୁ ଆହୁରି ଅନେକ ଛୋଟ ଛୋଟ ସୁନା ବିସ୍କୁଟ, ରୁପାର ବିଭିନ୍ନ ସାମଗ୍ରୀ ଯଥା ରୁପାର ବନ୍ଧୁକ, ଗୋଟିଏ ରୁପାର ତାଲା ଚାବି ଓ ବଂଶୀ ମଧ୍ୟ ଦେଇଛନ୍ତି ।